କବିତା
ଅଦଳବଦଳ

ଗ୍ରୀଷମ ଫେରିଲେ
ଖୁସିରେ ଫୁଲନ୍ତି ନଦୀ ନାଳ
ସୁନିଳ ଆକାଶେ କଳାମେଘ ଭାସେ
ପଦୁଅଁ ର ସରେ ଦିନକାଳ ।।
ବରଷା ଫେରିଲେ
ଶୁଭେ ନାହିଁ ମେଘ ଘଡ଼ଘଡ଼ି
ଶେଫାଳିଟି ଫୁଟେ ବାସ ତା`ର ଛୁଟେ
କଦମ୍ବ କୁସୁମ ଯାଏ ଝଡ଼ି ।।
ଶରତ ଫେରିଲେ
ଶିଶିର ପଡ଼ଇ ରାତି ହେଲେ
ଲାଗେ ନାହିଁ ଟାଣ ସୂରୁଯ କିରଣ
ଥଣ୍ଡା ଲାଗେ ଧୀର ବାଆ ଦେଲେ ।।
ହେମନ୍ତ ଫେରିଲେ
ସୁନାରଙ୍ଗୀ ଦିଶେ ଧାନବିଲ
ସହଳ ସହଳ ବିତେ ଦିନବେଳ
ଉଚ୍ଚ ଆକାଶରେ ଉଡ଼େ ଚିଲ ।।
ଶୀତଟି ଫେରିଲେ
ଅଲୋଡ଼ା ହୁଅଇ ଶୀତବାସ
ଧରଣୀର ଶୋଭା ଦିଶେ ମନଲୋଭା
ଆସି ପହଞ୍ଚଇ ମଧୁମାସ ।।
ବସନ୍ତ ଫେରିଲେ
ପିକ ଆଉ ଗାଏନାହିଁ ଗୀତ
ଶୁଖା ଦିଶେ ମାଟି ଶୀତଳ ଛାଇଟି
ବାଟୋଇ ଭାଇର ହୁଏ ମିତ ।।
ଜଣେ ଫେରିଗଲେ
ଆଉ ଜଣେ ନିଏ ଜାଗା ତା`ର
ଅଦଳବଦଳ ଇଏ ଗୋଟେ ଖେଳ
ଲାଗେ ସତେ ଅବା ଆଉ କା`ର ।।
ନିର୍ମାଲ୍ୟ ନୂଆପଡ଼ା, ନୟାବଜାର, କଟକ - ୦୪
ମୋ. - ୯୮୬୧୨୧୧୦୫୧

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
11-02-2026 / 19:05:51
ଖୁବ୍ ସୁନ୍ଦର ଲାଗିଲା କବିତା ଟି
ଶରତ କୁମାରୀ ସ୍ଵାଇଁ
04-02-2026 / 20:27:58
ଋତୁ, ଫେରି ଯିବା ପରେ - ବେଶ୍ ସୁନ୍ଦର ଉପସ୍ଥାପନା। ବହୁତ ଭଲ ଲାଗିଲା କବିତା ଟି। ନମସ୍କାର ସାର୍।
Tapan kumar swain
03-02-2026 / 15:10:16
ନିଆରା ଶୈଳୀ ର ଲେଖା ଭଲ ଲାଗିଲା
Dhananjaya swain
03-02-2026 / 00:33:27
Touched me.
ଜୟକୃଷ୍ଣ ସାହୁ
02-02-2026 / 18:18:45
ଛ ଋତୁର ସୁନ୍ଦର ଉପସ୍ଥାପନା। ଧନ୍ୟବାଦ।