ଗପ
ମୂଷାଛୁଆର କରାମତି

ଟୁକୁଲୁଙ୍କର ରୋଷେଇ ଘରଟି ମାଟିରେ ତିଆରି।ନଡାଛପର ଚାଳ ଉପରେ ମାଡିଥାଏ କଖାରୁ ବା ଲାଉର ଲଟା।ସେଇଘରର ଗୋଟିଏ କଣରେ ମୂଷାଟିଏ ଗାତକରି ତା` ପରିବାର ସହ ରହୁଥାଏ।ପରିବାର କହିଲେ ତା`ର ଏକମାତ୍ର ପୁଅ ଓ ପୁଅର ମାଆ।ତା`ର ଜନ୍ମିତ ଆଉ ତିନୋଟି ପୁଅ,ଝିଅ ବିଲେଇ ହାବୁଡ଼ରେ ପଡ଼ି ଯାଇଥିଲେ। ସେଇଥିପାଇଁ ଏଇ ଏକୋଇରବଳା ଛୁଆଟିକୁ ମୂଷା ବାପା,ମାଆ ବହୁତ ଭଲପାଉଥାଆନ୍ତି।
ରୋଷେଇଘରେ କେତେପ୍ରକାର ଜିନିଷ ଥାଏ।ଚାଉଳ,ଡାଲି,ପରିବା କେତେ କଅଣ।ଘରର ଅଳ୍ପ ଦୂରରେ ଚାଷଜମି।ଧାନ, ମୁଗ,ବିରି ଅମଳ ସମୟରେ ସେସବୁ ଖାଇ ସେମାନେ ଖୁବ୍ ଆନନ୍ଦରେ ଥାଆନ୍ତି।
ଦିନେ ରାତିରେ ଜହ୍ନଆଲୁଅ ପଡ଼ିଥାଏ । ଝରକା ଖୋଲାଥିବାରୁ ରୋଷେଇଘର ଭିତରଟା ଉଜ୍ଜଳିଆ ଦିଶୁଥାଏ। ମୂଷାଛୁଆ ତା` ବାପା, ମାଆଙ୍କ ସହିତ ଗାତରୁ ବାହାରି ଆସିଲା। ସମସ୍ତେ ମିଶି ଚାଉଳ ବସ୍ତାରୁ ଚାଉଳ ଟୁକିବାକୁ ଲାଗିଲେ। କିଛି ସମୟ ପରେ ମୂଷାଛୁଆର ଘରଭିତରେ ରହିବାକୁ ମନ ହେଲାନାହିଁ। ରୋଷେଇଘରର ଖୋଲାଝରକା ଦେଇ ସେ ପଦାକୁ ବାହାରି ଆସିଲା। ବାହାରେ ଜହ୍ନ ଆଲୁଅ ବିଛାଡିହେଇ ପଡିଛି। ସେ ଆନନ୍ଦରେ ଡିଆଁଡେଇଁ କଲା। ହେଲେ ବୁଲିବାର ମଜା ନେବାପାଇଁ ସାଥୀଟିଏ ଦରକାର। ସେ ଚାରିଆଡକୁ ଅନେଇଲା। ଦେଖିଲା ତାଆରି ପରି ଦୁଇ ଚାରିଟା ଛୁଆ ରୋଷେଇ ଘର ପିଢା ଉପରେ ଖେଳାବୁଲା କରୁଛନ୍ତି। ପିଢା ଉପରେ କଖାରୁ ଲଟା ମାଡିଛି। ତଳକୂ ଓହଳି ଆସିଥିବା ଲଟାରେ ଦୋଳି ଖେଳିଖେଳି ସେ ପିଢା ଉପରକୁ ଉଠିଗଲା।
ସାଙ୍ଗମାନଙ୍କ ସାଥୀରେ ମିଶି ମୂଷାଛୁଆ ଢେର୍ ଡ଼ିଆଁ କୁଦା କଲା। ତା`ପରେ ଚାଳରେ ହୋଇଥିବା ଗୋଟେ ବଡ କଣା ବାଟେ ସେ ତା` ବାପାମାଆଙ୍କୁ ଦେଖିବାକୁ ଗଲା। କଣାରେ ମୁହଁ ଗଳେଇ ସେ ଯାହା ଦେଖିଲା ସେଥିରେ ଆଶ୍ଚର୍ଯ୍ୟ ହେଇଗଲା। ଝରକାବାଟେ ଜହ୍ନଆଲୁଅ ଖେଳେଇ ହେଇଯାଇଛି। ସେ ଦେଖିଲା ବିରାଟ ସାପଟାଏ ତା` ବାପାମାଆଙ୍କୁ ଖାଇବ ବୋଲି ଛକିଛି। ତା` ବାପାମାଆ ବି କମ ନୁହଁନ୍ତି। ସେମାନେ ତାଙ୍କର ଦେହକୁ ଫୁଲେଇ ଦାନ୍ତରେ ସାପକୁ ଆଘାତ କରିବାକୁ ପ୍ରସ୍ତୁତ ହେଉଛନ୍ତି।
ସାପଟି ଧୀରେ ଧୀରେ ମୂଷାମାନଙ୍କ ଆଡକୁ ଆଗେଇ ଆସିବା ବେଳେ ସେମାନେ ଖସି ଯାଉଛନ୍ତି।
ମୂଷାଛୁଆ ଆଉ ରହିପାରିଲାନି । ସେ ତା`ର ବାପାମାଆଙ୍କୁ ରକ୍ଷାକରିବାକୁ ସାହାସର ସହିତ ଚାଳରୁ ଓହ୍ଲେଇ କଣାବାଟେ ଘରଭିତରକୁ ଯିବାବେଳକୁ ଦେଖିଲା ସାପଟି ଲାଞ୍ଜରେ ତା ବାପାମାଆଙ୍କୁ ବନ୍ଦି କରିଦେଇଛି। ପାଟି ମେଲାକରି ସେମାନଙ୍କୁ ଖାଇବାକୁ ଯାଉଛି।
ମୂଷାଛୁଆର ମୁଣ୍ଡକୁ ବୁଦ୍ଧିଟାଏ ଜୁଟିଲା। ସେ ରୋଷେଇଘର ଥାକରୁ ଲଙ୍କାଗୁଣ୍ଡ ଥିବା ଜରି ପ୍ୟାକେଟଟିକୁ ଦାନ୍ତରେ କାମୁଡି ନେଇଆସିଲା। ଜରି ପ୍ୟାକେଟଟି ଖୋଲାଥିଲା। ସେ ଦେଖିଲା ସାପଟି ଠିକ ତଳକୁ ଫଣାଟେକି ଆଖିତରାଟି ଚାହିଁଛି। ତା` ଉପରେ ସାପର ନଜର ନାହିଁ। ମୂଷାଛୁଆ ଆଉ ଡେରିନକରି ଲଙ୍କାଗୁଣ୍ଡ ପ୍ୟାକେଟଟି ଧରି ସାପର ଫଣା ଉପରକୁ କୁଦା ମାରିଲା। ଲଙ୍କାଗୁଣ୍ଡତକ ସାପର ଆଖି ଉପରେ ଅଜାଡି ହେଇଯିବାରୁ ସାପଟି ଛଟପଟ ହେଲା। ତା` ଲାଙ୍ଗୁଡର ଫାଶ ହୁଗୁଳି ଗଲା।ଏଇ ମଉକାରେ ମୂଷାଛୁଆ ତା` ବାପାମାଆଙ୍କ ସ଼ାଥୀରେ ଆଖିପିଛୁଳାକେ ଚମ୍ପଟ ମାରିଲା।
∎

ଲେଖା ସମ୍ପର୍କୀୟ ମତାମତ