କବିତା
ସପନ ନିତି ଆସଇ ଝରି

ଗୁଲୁ ଗୁଲିଆ କଅଁଳ ଓଠ ଥିରି ଥିରି ମୋ ଚାଲି,
ଆଖି ରେ ଭରା କେତେ ସପନ ନିତି ଆସଇ ଝରି ।
ଯାଉଛି ଛୁଇଁ ଧୀର ପବନ ଟିକି ଦେହରେ ଆସି,
ଯାଉଛି ନଇଁ ନୀଳ ଗଗନ ମାଟି କୁ ହସି ହସି ।
ଫୁଟୁଛି ଫୁଲ ଅମୁଲ ମୁଲ ପାଖୁଡା ତା `ର ଖୋଲି,
ଡାକୁଛି ସଦା ଯିବାକୁ ପାଶେ ଶରଧା ଅଛି ବୋଲି ।
ଯାଉଛି ଉଡ଼ି ଟିକି ଚଢେଇ ଟିକି ଡେଣା ଟି ଝାଡ଼ି,
ମୋ ପରି ତା `ର କୁନି ପିଲାଟେ କାନ୍ଦଇ ଗଡି ଗଡି ।
କହେ ବୁଝାଇ ଭାଇ ତାହାର ଅଝଟ କିଆଁ କର,
ଫେରିଲେ ମାଆ ହସ ଖୁସିରେ ଭରି ଯିବ ଏ ଘର ।
ଏକଥା ଦେଖି ପଡଇ ମନେ କାନ୍ଦଇ କଇଁ କଇଁ
ଯେଉଁଠି ଥିଲେ ଧନ ଲୋ କହି ମାଆ ଆସନ୍ତି ଧାଇଁ ।
ଗଛ ପତର ସବୁଜ ଡାଳ ଆଖିରେ ଯାଏ ଲାଖି,
ତାଙ୍କରି ଠାରୁ ମହତ ଗୁଣ ନିତି ପାରଇ ଶିଖି ।
ବହୁ ଜିନିଷ ହୋଇଛି ଗଢ଼ା ପାରୁ ନାହିଁ ମୁଁ କଳି,
କୃମି ଠୁଁ କୀଟ ହିତ ଅହିତ ସବୁରହିଛି ଭରି ।
ତାଙ୍କରି ଠାରୁ ଶିଖିବି ସଦା ନୂଆ ଜ୍ଞାନ ର ଧାରା
ଭଲ ପଥରେ ହୋଇବି ଗୁଣୀ
ସଜାଇ ଦେବି ସୁବାସ ଆଣି
ମହକି ଯିବ ସାରା ।
∎
ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
28-02-2025 / 13:08:21
ଭଲ କବିତା । ପଲ୍ଲୀ ଓ ପ୍ରକୃତି ମନସ୍କ ବର୍ଣ୍ଣନା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ନମସ୍ତେ । ଜୟ ଜଗନ୍ନାଥ ।
Laxmi Priya Dash
06-02-2025 / 13:12:59
ଖୁବ୍ ସୁନ୍ଦର, ଶିଶୁ ମନଛୁଆଁ