କବିତା
ସରିଯାଉଅଛି ଋତୁ

ଦିନ ସରୁଅଛି ମାସ ବି ସରୁଛି
ସରିଯାଉଅଛି ଋତୁ
ଋତୁଚକ୍ର ଘୁରି ଶୀତ ଯିବ ସରି
ସରିଯିବ ଦେଖୁ ଦେଖୁ I
ଆସିଥିଲା ଶୀତ ଜଗତର ମିତ
ଥିଲା ସଭିଙ୍କର ହିତେ
ଅମଳର ଋତୁ ବୋଲି ପଡ଼େ ହୁରି
କୃଷକ ଉଷତ ସତେ I
ଚାଷୀର ଅଭାବ କଷଣ ନଥାଏ
ଧନଧାନ୍ୟରେ ଭରି
ଶୀତ ଶେଷ ଭାଗ ଅମଳ ସମୟ
ଚାଷୀ ସୁଖ ଅସୁମାରୀ I
ଶୀତ ସରିଆସେ ଶୀତ ବଳ କମି
ବଢ଼ିଯାଇ ଖରା ତେଜ
ମକରେ ବକର ଖରା ହୁଏ ଖର
କରାଏ ଆନେ ନିସ୍ତେଜ I
ଶୀତ ଆୟୁ କାଳ ସରିବା ଆଗରୁ
ଋତୁରାଜ ଥୁଏ ପାଦ
ଫେରିଯିବ ବୋଲି ଶୀତଋତୁ ମନେ
ନଥାଏ ବୁନ୍ଦାଏ ଖେଦ I
ହେମନ୍ତ ଯେମିତି ଶୀତ ବି ସେମିତି
ଜଣେ ଗଲେ ଜଣେ ଆସେ
ଯେ ଯାଏ ଅତୀତ ନୂଆ ଆଗନ୍ତୁକ
ଆସିଯାଇ ସିଏ ହସେ I
ଶୀତ ନ ଫେରୁଣୁ ଆସେଟି ବସନ୍ତ
ମୃଦୁ ମଳୟ ସାଥିରେ
ଜଗତ ହସିକି ପୁଲକିତ ଅତି
କୋଇଲି କୁହୁତାନରେ I
∎
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
ନିରଞ୍ଜନ ପତି
28-02-2025 / 13:11:51
ଭଲ କବିତା । ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ଭାଇ । ନମସ୍ତେ । ଜୟ ଜଗନ୍ନାଥ ।
Laxmi Priya Dash
06-02-2025 / 13:14:34
କବିତା ଟି ମନଛୁଆଁ ଅଟେ
sanjuktaparichha1@gmail.com
03-02-2025 / 18:15:45
କବିତା ଟି ଭଲ ଲାଗିଲା।