Skip to content
ଶିଶୁ କିଶୋର

ଗପ

ହଂସ ପିଠିରେ ବଗ

ହଂସ  ପିଠିରେ ବଗ

( ପୂର୍ବ ପ୍ରକାଶିତ ଉତ୍ତାରୁ)

ବୁଢ଼ାବଗ କଥା ନ ଶୁଣି ଛୁଆବଗ ଡଗଡଗ ହେଇ ହଂସ ପାଖକୁ ପଳେଇଲା। ହଂସ କହିଲା "ବଗଭାଇ ତୁମେତ ପହଁରି ପାରିବନି।ମୋ ପିଠିରେ ବସିପଡ। ମୁଁ ତୁମକୁ ପାଣି ଭିତରକୁ ନେଇଯିବି"। ଡେରି ନ କରି ଛୁଆବଗ ହଂସ ପିଠି ଉପରକୁ ଚଢ଼ିଗଲା। ହଂସ ଆଗକୁ ଆଗକୁ ପହଁରିଲା। ବୁଲୁବୁଲୁ ହଂସ ତାଙ୍କ ରାଇଜ କଥା କହିଲା। ହିମାଳୟ ପର୍ବତ କିପରି ଆକାଶକୁ ଛୁଇଁଛି। ବର୍ଷସାରା ତାହା ବରଫରେ ଢ଼ାଙ୍କି ହେଇଥାଏ। ପର୍ବତର ତଳେ ଘଞ୍ଚ ଜଙ୍ଗଲ। କେତେ ଜୀବଜନ୍ତୁ ଅଛନ୍ତି।ସେଇ ନିକଟରେ ଅଛି ମାନସରୋବର। ହ୍ରଦର ଜଳ ସୁଶୀତଳ।ସେଇଠି ମହାଭାରତ ଯୁଦ୍ଧ ସମୟରେ

କୈ।ରବଙ୍କ ବଡ଼ଭାଇ ଦୁର୍ଯ୍ୟୋଧନ ଲୁଚି ରହିଥିଲା।ମାନସରୋବର ପଦ୍ମ, କଇଁ ଫୁଲରେ ଭର୍ତ୍ତି ଥାଏ।ସେଇଠି ସେମାନେ ରୁହନ୍ତି। ହେଲେ ଶୀତଦିନେ ତାହା ଅତ୍ୟନ୍ତ ଥଣ୍ଡା ହେଇଯାଉଥିବାରୁ ସେଠାରେ ରହି ହୁଏନି।ତେଣୁ ସେମାନେ ଦଳଦଳ ହୋଇ ଅନ୍ୟ ସ୍ଥାନକୁ ଚାଲିଆସନ୍ତି।

ହଂସ ଏଇମିତି କଥା କହି ବଗକୁ ପିଠିରେ ବସେଇ ପହଁରିଲା ବେଳେ ଛୁଆବଗ ଗର୍ବରେ କୂଳ ଆଡ଼କୁ କଣେଇ କଣେଇ ଚାହୁଁଥାଏ।ତା` ଜାତିଭାଇଙ୍କୁ ଦେଖେଇ ହଉଥାଏ ଯେ ସେ କିପରି ରାଜହଂସ ଉପରେ ବସିଛି।

ଅନ୍ୟ ବଗମାନେ ଅବାକ୍ ହୋଇ ଚାହୁଁଥାଆନ୍ତି। ରାଜହଂସ କଥା ଗପୁଥାଏ ଆଉ ପଦ୍ମ କେଶର ବା ନାଡ଼ ଦେଖିଲେ ଖାଉଥାଏ।ଏଣେ ସେ ପହଁରିବା ବେଳେ ମାଛସବୁ ପାଣି ଭିତରେ ଡୁବି ଯାଉଥାଆନ୍ତି।ବିଚରା ଛୁଆବଗ ମାଛଟିଏ ଖାଇ ନ ପାରି ଭୋକରେ ଆଉଟୁ ପାଉଟୁ ହେଲାଣି। ଛୁଆବଗ କହିଲା "ହଂସଭାଇ,ଆଜି ସେତିକି ଥାଉ।ଚାଲ କୂଳକୁ ଯିବା।ଆଉଦିନେ ଆସିଲେ ତୁମଠାରୁ ଆହୁରି କଥା ଶୁଣିବି"।

ହଂସ କୂଳ ଆଡ଼କୁ ମୁହାଁଇଲା।ଛୁଆବଗ ଦେଖିଲା ତା ସାଙ୍ଗମାନେ ପେଟେପେଟେ ମାଛ ଖାଇ ହେଉଡି ମାରୁଛନ୍ତି।କୂଳ ଆସିଯିବାରୁ ଛୁଆବଗ ହଂସ ପିଠିରୁ ଓହ୍ଲେଇ ଡଗଡଗ ହେଇ ଚାଲିଯାଉଥିବାର ଦେଖି ବୁଢାବଗ ମୁରୁକି ହସି କହିଲା "ଆରେ ନାତି! କ`ଣ ପୋଖରୀଯାକ ମାଛ ଖାଇଦେଲୁକି?"

ଛୁଆବଗ କିଛି ଜବାବ ନ ଦେଇ ତରତର ହେଇ ଗୋଟିଏ ଅଣତୁଠ ଆଡ଼କୁ ଚାଲିଯାଇ ତୁନି ହୋଇ ବସି ଭାବିଲା , ଆଉଦିନେ ଏମିତି ଫୁଟାଣି ଦେଖେଇ ଉପାସରେ ରହିବି ନାହିଁ।

∎

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ନିରଞ୍ଜନ ସାହୁ

01-10-2025 / 22:06:38

ସୁନ୍ଦର ଓ ଶିକ୍ଷଣୀୟ

ବୃନ୍ଦାବନ କୁମ୍ଭାର

01-10-2025 / 17:17:56

ଅତି ସୁନ୍ଦର ଲେଖା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion