Skip to content
ଶିଶୁ କିଶୋର

ଗପ

ସରିତାର ଦଶହରା ମଉଜ

ସରିତାର  ଦଶହରା ମଉଜ

          ଏ ବର୍ଷ ପୂଜାଛୁଟିରେ ସରିତା ତା ଆଈଙ୍କ ଘରକୁ ଯାଇଥିଲା । ଅଜା-ଆଈଙ୍କୁ  ଦେଖି ଖୁସି ହେଲା ।  ସେମାନେ କହିଲେ, ସରିତା ତୁ ଆସିଛୁ ଭଲ କଲୁ । ଆମ ଗାଁରେ ଦେବୀ ଦୁର୍ଗା ମା`ଙ୍କର ପୂଜା ଦେଖିବୁ । 

           ସରିତା ହଁ କହିଲା ।

           ଗେଲ ବରଷର ନାତୁଣୀ । ଅଜା-ଆଈଙ୍କ ସାଥିରେ ଦିନବେଳା ଭୋଜନ ସାରିଦେଲା । ବିଶ୍ରାମ ନେଲା । ବେଳ ବୁଡ଼ିଆସିଲା ବେଳକୁ ଅଜା-ଆଈର ହାତ ଧରିଲା । ଗାଁର ପୂଜା ମଣ୍ଡପ ଆଡ଼େ ବୁଲି ବାହାରିଲା । ମଣ୍ଡପରେ ତୋରଣ ଲାଗିଛି । ଭଳିକି ଭଳି ରଙ୍ଗରଙ୍ଗିଆ ଲାଇଟ୍ ।  ଦେବୀ ଦଶଭୁଜାଙ୍କ ପୂଜା ଚାଲିଛି । ବ୍ରାହ୍ମଣମାନେ ପୂଜା ପାଠ କରୁଛନ୍ତି । ସରିତା ଦେବୀ ଦୁର୍ଗା ମାଙ୍କୁ ଭକ୍ତିରେ  ନମସ୍କାର କଲା । ଘଡ଼ିଏ ଅନେଇରହିଲା। ଦଶଭୁଜରେ ଦଶଟା ଅସ୍ତ୍ର । ମହିଷାସୁରଙ୍କ ଛାତି ଉପରେ ମା` ଙ୍କର ପାଦ ଓ ତ୍ରିଶୂଳ ରହିଛି  । ମହିଷାସୁର ଆଁ କରି ଚାହିଁଛି । 

          ଆଈ କହିଲେ - ଡର ଲାଗୁଛି କି ସରିତା ?

          ଆଈ ନାହିଁ ଯେ, ମହିଷାସୁର ବହୁତ ଦୁଷ୍ଟ ଅସୁର ହୋଇଥିବ । ଦେବତାମାନଙ୍କୁ ହଇରାଣ କରିଥିବ । 

         ହଁ ଲୋ ନାତୁଣୀ ତୁ ଠିକ୍ ଭାବିଛୁ । ମହିଷାସୁର ବହୁତ ଦୁଷ୍ଟ ଥିଲା । ସାହସୀ ଓ  ବଳୁଆ ବି  ଥିଲା । ମନେ ମନେ ଗର୍ବ କରୁଥିଲା । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ଲୋକଙ୍କୁ ହ୍ଇରାଣ କରୁଥିଲା । ସେ ଜଣେ ନାରୀ ହାତରେ ମରିବ ବୋଲି ଜାଣିଥିଲା।  ମା ଯେମିତି ସନ୍ତାନର ଦୁଃଖ ସହିପାରନ୍ତନି ସେମିତି ଦୁର୍ଗା ମା` ତିନିପୁର ଲୋକମାନଙ୍କର ଦୁଃଖ ସହିପାରିଲେନି । ସେ  ଦେବତାମାନଙ୍କର ଅସ୍ତ୍ର ଧରି ସିଂହ ପିଠିରେ ବସି ଦୁଷ୍ଟ ମହିଷାସୁରକୁ ବଧ କରିଦେଲେ । ବିପଦରୁ ସଭିଙ୍କୁ ଉଦ୍ଧାର କଲେ । ସେଥିପାଇଁ ଏ ଦିନଟିକୁ ବିଜୟା ଦଶମୀ ବୋଲି କୁହାଯାଏ । ସେଥିପାଇଁ ସବୁଆଡ଼େ ମା ଦେବୀ ଦୁର୍ଗାଙ୍କୁ ଆଶ୍ୱିନ ମାସରେ ପୂଜା କରାଯାଏ ।   ମା ଦୁର୍ଗାଙ୍କୁ ମୁଣ୍ଡିଆ ମାରିଦେ । ତୋତେ ସବୁ ବିପଦରୁ ରକ୍ଷା କରିବେ । 

          ସରିତାର ଅଜା କହିଲେ -ଏଥର ଚାଲ ମୀନାବଜାର ବୁଲିବା । ଗୁପଚୁପ୍ ,ଠୁଙ୍କାପୁରି ଖାଇବା । ଦୋଳିରେ ବସିବା । ଖେଳନା ଦେଖିବା ।  

            ହଁ ହଁ ଅଜା ଚାଲ ବେଗି ବେଗି ଚାଲ, ଭୋକ ଲାଗିଲାଣି ।

             ସରିତା ଅଜାଙ୍କ ହାତ ଧରି ମୀନାବଜାର ବୁଲିଲା । ଠୁଙ୍ଗାପୁରି ଖାଇଲା । ଦୋଳିରେ ବସି ମଜା ନେଲା । ତା ଅଜା- ଆଈ ସରିତାର ଦୋଳି ଖେଳ ଦେଖିଲେ । ଦୋଳି ଖେଳ ସାରି  ଅଜା ଆଈଙ୍କ ସାଥିରେ ସରିତା ଘରକୁ ଫେରିଲା । 

          ସରିତାର ମାମୁ ସନ୍ଧ୍ୟାବେଳକୁ ଘରକୁ ଫେରି ଆସିଥିଲେ।   ସରିତାକୁ ଦେଖି ଖୁସି ହେଲେ । ସରିତା ମାମୁଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା । ତା ମାମୁ କହିଲେ - ଆ ଆ  ତୋତେ ଭୋକ ଲାଗିବଣି । ମୋ ପାଖରେ ବସି ଖାଇଦେ । 

         ସରିତା ମାମୁଙ୍କ ପାଖରେ ବସିଲା । ପେଟପୂରା ଖାଇଦେଲା । ଯାହାସବୁ ଦେଖିଥିଲା ଗୋଟି ଗୋଟି କରି କହିପକେଇଲା । ତା ମାମୁ କହିଲେ -  ସତରେ ତୁ ମୋର ସୁନା ଭାଣିଜୀ । ଦଶହରା ଛୁଟିରେ ଆସିଲୁ ବୋଲି କେତେ ମଉଜ କଲୁ । 

         ସରିତା ମନଖୁସିରେ ହସିଦେଲା । ତା ମାମୁଙ୍କ ହାତରୁ ଶିଶୁପତ୍ରିକାଟେ ଛଡ଼େଇନେଲା । ମନଦେଇ ଗପ କବିତା ପଢ଼ିଦେଲା । ମା ଦୁର୍ଗାଙ୍କ ବିଷୟରେ ଅଧିକା କଥା ଜାଣିଲା ।

∎
ଭୁବନେଶ୍ବର 
୭୦୦୮୧ ୪୨୦୪୦

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଅକ୍ଟୋବର:୨୦୨୫ , ଦ୍ବିତୀୟ ବର୍ଷ:ଦଶମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ମୋହନ କୁମାର ସ୍ୱାଇଁ

03-10-2025 / 13:53:03

ଖୁବ୍ ସୁନ୍ଦର ଲାଗିଲା

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion