କବିତା
ବୃନ୍ଦାବନ ମାଙ୍କଡ଼

ଯାଇଥିଲି ବୃନ୍ଦାବନ ଅଜା ସାଙ୍ଗେ ବୁଲି
ମଜାଳିଆ ଘଟଣାକୁ ପାରିବିନି ଭୁଲି।
ଚଷମାଟି ପିନ୍ଧି ଅଜା ଗାଡ଼ି ଆଗେ ବସି
କହୁଥିଲେ ମଜା କଥା କେତେ ହସି ହସି।
ପହଞ୍ଚିଲୁ ବୃନ୍ଦାବନେ ଚାଲୁଥାଏ ଗାଡ଼ି
ଗାଡିପରେ ଡେଇଁ ହନୁ ନେଇଗଲା କାଢ଼ି।
ଚିଲେଇଲେ ଲୋକ ସବୁ ହେଇ ନେଲା ନେଲା
ପାରିଲୁନି ଜାଣି ଆମେ କଅଣ ଯେ ହେଲା ?
କିଛି ବାଟ ଗଲା ପରେ ଅଜା ମତେ ଚାହିଁ
କହୁଛନ୍ତି ଅନ୍ଧାରିଆ ଦିଶେ କାହିଁ ପାଇଁ ?
କହିଲି ମୁଁ ଅଜା ତୁମ ଚଷମାଟି କାହିଁ
ଆଖିରେ ହାତ ମାରିଲେ ଚଷମାଟି ନାହିଁ।
ସେଥିପାଇଁ ସେଠି ବୋଧେ ଚିଲେଇଲେ ଲୋକ
କହିଲି ମୁଁ ଏହି ଠାରେ ଗାଡ଼ି ଏବେ ରୋକ।
ଓହ୍ଲାଇ ଦେଖିଲୁ ଯାହା ଲିଭୁ ନାହିଁ ମନୁ
ଚଷମାର କି ଅବସ୍ଥା କରୁଥାଏ ହନୁ !
ସତେ ଅବା ପ୍ରଶିକ୍ଷଣ ପାଇଛନ୍ତି ସେହି
ଟାଣିନେବେ ଚଷମାକୁ ଜାଣିବେନି କେହି।
ଆହୁରି ବି ଲୋକଙ୍କଠୁ ଆର ହନୁ ଦଳ
ନେଇଥାନ୍ତି ଚଷମାକୁ କରି କଉଶଳ
ପାଟିରେ ପୁରାଇ କେବେ ଆଖିରେ ସେ ଦେଇ
ଚାଲୁଥାନ୍ତି ଏ ଛାତରୁ ସେ ଛାତକୁ ଡେଇଁ।
ଯେତେ ବେଳେ ଡେଉଁଥାନ୍ତି ସିଏ ଫକଫକ
କାଳେ ହାତୁ ଖସିଯିବ ଛାତି ଦକଦକ।
ମନ ଭାଙ୍ଗିଗଲା ଦେଖି ଅଜାଙ୍କର ଆମ
ବିନା ଚଷମାରେ ତାଙ୍କ ଚଳେ ନାହିଁ କାମ।
ନିରୁପାୟେ ଆକୁଳରେ ଆଶଙ୍କାରେ ଥାଇ
ରହିଥାଉ ସବୁ ଲୋକ ଉପରକୁ ଚାହିଁ।
ମାଗିଲେ ଦିଅଇ ନାହିଁ ଖତେଇ ସେ ହୁଏ
ହେଲେ ସେହି ଖତେଇ ଯେ କେତେ କଥା କୁହେ !
କହିଲେ ସେଠିକା ଲୋକ ଫ୍ରୁଟି ତାର ପ୍ରୀୟ
ଦେଇ ଦେବ ଚଷମାକୁ ଫ୍ରୁଟି ତାକୁ ଦିଅ।
ପାଖେଥିଲା ଫ୍ରୁଟି ଏକ ଦେଲି ମୁହିଁ ଯାଚି
ଦେଖି ଦେଇ ଆସିଲା ସେ ଡେଇଁ ନାଚି ନାଚି।
ମିଳି ଗଲା ତାକୁ ଅବା ସତେ କୋଟି ନିଧି
ଥୋଇ ଗଲା ଚଷମାଟି ଛାଡ଼ି ସବୁ ଜିଦି।
ଚଷମାଟି ପାଇ ଅଜା ଖୁସି ହେଲେ ଭାରି
କଥା ପଦେ କହିଲେ ସେ ଲୁହାଠାରୁ ଭାରୀ।
ଆମେ ତାଙ୍କ ବାସସ୍ଥାନ କରୁଛନ୍ତି ନାଶ
ସେଥିପାଇଁ ସେ ସହରେ କରୁଛନ୍ତି ବାସ।
(ଟେକିନିକାଲ ଅଫିସର)
ଏସ. ଏସ. ପି. ଏଲ. , ଡି. ଆର. ଡି. ଓ. ,
ଲକ୍ଷ୍ନୌରୋଡ, ତିମାରପୁର, ଦିଲ୍ଲୀ-୧୧୦୦୫୪,
ମୋ-୯୫୪୦୨୩୬୬୪୬,

ଲେଖା ସମ୍ପର୍କୀୟ ମତାମତ
Pragati prava ojha
12-03-2024 / 19:35:29
Ehi kabita ti bahut bhala laguchi.
କୀର୍ତ୍ତନ ସାହୁ
04-03-2024 / 16:00:11
କବିତାଟି ମଜାଳିଆ । ପିଲାଙ୍କୁ ଭଲ ଲାଗିବ । ତେବେ ସଂକ୍ଷିପ୍ତ ହେଲେ ଆହୁରି ଭଲ ।
, ଉମାକାନ୍ତ ନାୟକ, ଜଗତସିଂହପୁର ସାହିତ୍ୟ ପରିଷଦ
04-03-2024 / 13:12:28
କବିତାରେ କାହାଣୀ ଟେ ରହିଛି। ଭଲ ଲାଗିଲା।
Basiran Bibi
02-03-2024 / 09:03:33
ପିଲାଙ୍କ ମନଲାଖି ସୁନ୍ଦର କବିତା
ଡକ୍ଟର ବସନ୍ତ କିଶୋର ସାହୁ
02-03-2024 / 07:01:14
ବିଷୟ ବସ୍ତୁ ଠିକ୍ ଅଛି । ମାଙ୍କଡ ଟୋପି ଗଳ୍ପର ଅନୁ ସରଣରେ ରଚିତ । ମାତ୍ର ଏତେ ବଡ କବିତା ପଢିବାକୁ ପିଲାଙ୍କର ଧର୍ଯ୍ୟ ରହିବ ନାହିଁ । କ୍ଷୁଦ୍ର କବିତା ଲେଖିବାକୁ ଅନୁରୋଧ ।