Skip to content
ଶିଶୁ କିଶୋର

କବିତା

ଆକାଶେ ହଜିଲା ମନୁଆ ଗୁଡ଼ି

ଆକାଶେ ହଜିଲା ମନୁଆ ଗୁଡ଼ି

ନୀଳ ଆକାଶରେ ଧାଡ଼ିକିଧାଡ଼ି
ରଙ୍ଗ ବେରଙ୍ଗର ଉଡ଼ୁଛି ଗୁଡ଼ି ।।
ଠିକିରି, ଚିଡ଼ିଆ, ପାନପତର
ଭଳି ଭଳି ଗୁଡ଼ି କେଡ଼େ ସୁନ୍ଦର ।।
ଦୁଲୁକୁଛି ଗାଆଁ ଖେଳ ପଡ଼ିଆ
ପିଲାଙ୍କ ମଉଜ ଗୁଡ଼ି ଉଡ଼ିଆ ।।
କିଏ କୁହେ ମୋର ନଚକମଣି
ନାଚି ନାଚି ମନ ନେଉଛି କିଣି ।।
ଆଉ କିଏ କୁହେ ଲୋଟଣିପାରା
ସହଜେ କାହାକୁ ନ ଦିଏ ଧରା ।।
ଆସମାନତାରା ପାଟ୍ଟପତନି
କାହା ଗୁଡ଼ି ଜମା ଖାଉନି କାନି ।।
ନାଆଟ ଖାଉଛି ମନୁଆ ଗୁଡ଼ି
ଘୂରି ଘୂରି ଯାଏ ଆଗକୁ ମାଡ଼ି ।।
ମନୁଆ ଲଟେଇ ସୂତା ଭରତି
ଘିଡ଼ି ଘିଡ଼ି ପେଇ ଫୁଲାଏ ଛାତି ।।
ଲଟେଇ ଅଟେ ତା` କଲିକତିଆ
ନମ୍ବରି ସୂତାକୁ ଗୁଡ଼ି ବାଘୁଆ ।।
ମାମୁ ଆଣିଦେଲେ ଏତେ ଦରବ
ମନୁଆ ମନରେ ଭାରି ଗରବ ।।
ସବୁ ଗୁଡ଼ି ଡେଇଁ ଆଗେ ବାଘୁଆ
ତଥାପି ପେଉଛି ସୂତା ମନୁଆ ।।
ବାଘୁଆ ଗୁଡ଼ିଟା ଆକାଶେ ପୋକ
ଚିନ୍ହି ହେଉନାହିଁ ତା` ରୂପଭେକ ।।
ଫେରିଲେ ପିଲାଏ ବେଳ ବୁଡ଼ିଲା
ମନୁଆ ଏଥର ଗୁଡ଼ି ପାରିଲା ।।
ସୂତାପାରି ହାତ ହୋଇଲା ବଥା
ମନୁଆ ପାଟିରୁ ନ ଶୁଭେ କଥା ।।
ହାତରୁ ଲଟେଇ ପଡ଼ିଲା ଖସି
ଚେତିଲା ମନୁଆ ଭୂଇଁରେ ବସି ।।
ସବୁ ପିଲା ଗଲେ ଯେ`ଯା ବାଟରେ
ଏକେଲା ମନୁଆ ଥିଲା ସେଠାରେ ।।
ଆକାଶେ ହଜିଲା ମନୁଆ ଗୁଡ଼ି
ଭେଁ ଭେଁ କାନ୍ଦି ଛାଡ଼ିଲା ରଡ଼ି ।।
କାନ୍ଦି କାନ୍ଦି ଗଲା ଘରକୁ ଧାଇଁ
କହିଲା ଗରବ କରିବ ନାହିଁ ।।
***
*ଗଣାମଲ୍ଲ ସାହି (ବାଲି ସାହି),
ପୁରୀ-752001
ମୋ : 7978696674

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ :୨୦୨୪ , ପ୍ରଥମ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion