କବିତା
କହିବରେ ଭାଇ କିଏ

ଆମ୍ବଗଛମୂଳେ ବୁଲି ମୁଁ ଆସିଲି
ଗୋଟିଏ ପାଇଲି ନାହିଁ
କିଛିଦିନ ତଳେ ପାଚି ଝୁଲୁଥିଲା
ଆଉ ପାଉ ନାହିଁ କାହିଁ!
ସମୟ ହୋଇଲା ପାଚିକି ଝଡ଼ିଲା
ଗୋଟାଇ ନେଲେରେ କେତେ
ସକାଳରୁ ସଞ୍ଜ ଭିଡ଼ ଲାଗିଥିଲା
ଏଇ ଆମ୍ବପାଇଁ ସତେ।
ପିଲାଠାରୁ ବୁଢ଼ା ସଭିଁଙ୍କର ଲୋଭ
ପାଚିଲା ଆମ୍ବଟେ ପାଇଁ
ଖରାକୁ ନ ମାନି ଅମାନିଆଁ ହୋଇ
ଆସୁଥିଲେ କେତେ ଧାଇଁ।
ଆଜି ଯେତେବେଳେ ଶେଷ ହୋଇଗଲା
ଚାହିଁଲେନି ଗଛ ଆଡ଼େ
ଠିଆ ହୋଇଅଛି ଯୋଗୀଟିଏ ପରି
ଗାଆଁର ସଡ଼କକଡ଼େ।
ଦେଇ ଜାଣେ ସିଏ ନେଇ ତ ଜାଣିନି
ଉପକାରୀ ବନ୍ଧୁଟିଏ
ତାହାରି ରଣକୁ ଶୁଝାଇ ପାରିବ
କହିବରେ ଭାଇ କିଏ?
∎

ଲେଖା ସମ୍ପର୍କୀୟ ମତାମତ
ମହାନ କୁମର ସ୍ୱାଇଁ
23-08-2026 / 08:30:41
ଖୁବ୍ ସୁନ୍ଦର ଲାଗିଲା କବିତା ଟି
Niranjan Sahoo
02-08-2026 / 12:22:01
ସରିଲା ଆମ୍ବର ମଜା,ହେଜାଇ ଦେଲେ ଅଜା।ଅତି ସୁନ୍ଦର।
Haripriya Pattnaik
01-08-2026 / 15:52:45
ମନଛୁଆଁ କବିତା।