କବିତା
ଭୂତ

ଜେଜେମା`କୁ ମୋର ହେଲାଣି ନବେ
ଆଖିରେ ଚଷମା ପିନ୍ଧିନି କେବେ
ବାଉଁସ ଠେଙ୍ଗାଟେ ହାତରେ ଧରି
ଡଗ ଡଗ ଯାଏ ଦାଣ୍ଡରେ ଚାଲି
ଖାଲି ପାଦରେ
କି ଖରା ବରଷା ଅବା ଶୀତରେ l
ରାତି ନପାହୁଣୁ ଉଠି ପଡିବ
ତାଟିଖୋଲି ନିଜେ ବାହାରି ଯିବ
ଡାକେ ବାଟ ଗଲେ ନୂଆ ଗଡିଆ
ଖାଲି ହିଡ଼ ବାଟ ନାହିଁ ପଡିଆ
ପୋଖରୀ ପାଣି
ସାରିବ ଗାଧୁଆ ପାଧୁଆ ପୁଣି l
ଘରେ ଘରେ ପାଇଖାନା ହେଲାଣି
ଯେତେ କହିଲେବି ମୋଟେ ମାନୁନି
ବଦଳେଇ ଦେଲା ଘଟଣାଟିଏ
ସେଦିନୁ ବାହାର ଆଉ ନଯାଏ
ସଭିଏଁ ଖୁସି
ଯେ ଶୁଣେ ଘଟଣା ଦିଅଇ ହସି l
ସେଦିନ ବାଟରୁ ଆସିଲା ଫେରି
ଦେଖିଲେ ଜେଜେମା ଯାଇଛି ଡରି
ପିଇ ଦେଲା ପାଣି ଅଧ ବେଲାଏ
ବିଞ୍ଚି ପକାଇଲା ନାତୁଣୀ ବହେ
କଅଣ ହେଲା
ଭୂତ ଭୂତ କହି ମୁରୁଚ୍ଛା ଗଲା l
ଚେତା ପାଇଁ ବୁଢ଼ୀ ଉଠିଲା ବସି
ଘର ଲୋକ ଦେଲେ ଘସି ଆଉଁସି
ପଚାରିଲେ ତାଙ୍କୁ କଅଣ ହେଲା,
"ମୋ`ଆଗେ ଆଗେ ଭୁତଟେ ଥିଲା "
ଲାଗିଲା ଡର
ମୁଣ୍ଡ ଲାଗିଥିଲା ଆକାଶେ ତାର l
ମୁଁ ଚାଲୁଥିଲେ ଚାଲିବ ସିଏ
ମୁଁ ଅଟକିଲେ ଅଟକି ଯାଏ
ମୁଣ୍ଡ ଦେହ ତାର ଦିଶୁନି କିଛି
ଖାଲି ଗୋଡ଼ଟାରେ ଚାଲି ଯାଉଛି
ମନ ବିକଳ
ଦେହୁ ବାହାରିଲା ସରମ ଝାଳ l
ପାଦ ଚିପି ଚିପି ପଡିଲି ବୁଲି
ଭୂତ ମୋ`କଥା ଯାଇଛି ଭୁଲି
ଘରମୁହାଁ ସିଧା ଆସୁଛି ଫେରି
କଣେଇ ଚାହିଁଲି ଟିକିଏ ଡରି
ହାଉଳି ଖାଇ
ଦେଖିଲି ପଛରେ ଆସୁଛି ଧାଇଁ l
ଘର ପରିବାର ବିଚାର କଲେ
ଭୂତଟେ କେଉଁଠୁ ଆସିବ ଭଲେ l
ଭୂତଫୁତ କଣ ସତରେ ଥାଏ
ଡରିଗଲେ ମିଛ ଭୂତ ଗୋଡ଼ାଏ
ଛାଇ ନିଜର
ଭୂତ ଭାବି ପଶି ଯାଇଛି ଡର l
ପୁନେଇଁ ପାହାନ୍ତା କାଳୀ ଜହ୍ନିଆ
ନିଜ ଛାଇ ଦେଖି ବୁଢ଼ୀ ଛାନିଆ
ଲେଉଟିଲା ବେଳେ ପଛରେ ଛାଇ
ଭୂତ ବୋଲି ଭାବି ହାଉଳିଖାଇ l
ବୁଝିଲେ ପରେ
ବୁଢ଼ୀ ଶୌଚବାଚ ସେଦିନୁ ଘରେ l
∎
ଶ୍ରୀହରି ବିହାର, ଗହ୍ମାରିଆ, କେଉଁଝରଗଡ଼

ଲେଖା ସମ୍ପର୍କୀୟ ମତାମତ
Dhananjaya swain
01-08-2026 / 16:08:14
Very nice. If possible, change the word saucha bacha
Haripriya Pattnaik
01-08-2026 / 16:05:08
ମଜା ଗପଟିଏ। ଭଲଲାଗିଲା।
କୀର୍ତ୍ତନ ସାହୁ
01-08-2026 / 14:58:26
ଭଲ ଗପଟିଏ ପିଲାଙ୍କ ଜାଣିବା ପାଇଁ