ଜ୍ଞାନବିଜ୍ଞାନ
ଜୀବ ଜଗତର ବିସ୍ମୟ : ଆର୍ଚର ବା ତୀରନ୍ଦାଜୀ ମାଛ

ଏମିତି ଅନେକ ଜୀବଙ୍କ ବିଷୟରେ ଜଣା ଅଛି, ଯେଉଁମାନଙ୍କର ଜୀବନ ଶୈଳୀ ଅତ୍ୟନ୍ତ କୌତୂହଳପ୍ରଦ। ସେ ସବୁ କୌତୂହଳପୂର୍ଣ୍ଣ ବିଷୟ ଜାଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ ଯେ, ଜଗତରେ ଏଭଳି ବିସ୍ମୟକର ଜୀବ ମଧ୍ୟ ରହିଛନ୍ତି। ସେମିତି ଏକ ମାଛ ହେଲା ଆର୍ଚର ବା ତୀରନ୍ଦାଜୀ ମାଛ। ସେମାନଙ୍କର ଖାଇବାର ପ୍ରଣାଳୀ ସତରେ ବହୁତ ନିଆରା। ଖାଦ୍ୟ ରୂପେ କୀଟପତଙ୍ଗକୁ ବ୍ୟବହାର କରୁଥିବା ଏହା ଏକ ମାଂସାଶୀ ପ୍ରାଣୀ ଅଟେ।
ଜୀବଜଗତରେ ଟାକ୍ସୋଟିଡ଼ା ଭଳି ଏକ ଛୋଟ ପରିବାରର ଅନ୍ତର୍ଭୁକ୍ତ ଏହି ମାଛର ପ୍ରାୟ ନଅଟି ପ୍ରଜାତି ଭାରତ ସମେତ ବାଂଲାଦେଶ, ଶ୍ରୀଲଙ୍କା, ଫିଲିଫାଇନସ୍, ଇଣ୍ଡୋନେସିଆ ଆଦି ଦକ୍ଷିଣ-ପୂର୍ବ ଏସିଆ ତଥା ଉତ୍ତର ଅଷ୍ଟ୍ରେଲିଆର ନିଉଗିନି ଭଳି ଅଳ୍ପ କେତେକ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ଅଧିକାଂଶ ପ୍ରଜାତି ମଧୁର ଜଳ ପରିସ୍ଥାନରେ ବାସ କରୁଥିବାବେଳେ ଦୁଇ ତିନୋଟି ପ୍ରଜାତି ଲୁଣାଜଳରେ ମଧ୍ୟ ବାସ କରିବା ଦେଖାଯାଏ। ଟାକ୍ସୋଟିସ୍ର ଅର୍ଥ ହେଲା ଧନୁର୍ଦ୍ଧାରୀ ବା ତୀରନ୍ଦାଜୀ। ଏହି ମାଛ ସାଧାରଣତଃ କୀଟପତଙ୍ଗଙ୍କୁ ଖାଦ୍ୟରୂପେ ଗ୍ରହଣ କରିଥାଏ ଯାହା ତା’ର ବାସସ୍ଥାନକୁ ଲାଗି ରହି ବଢ଼ିଥିବା ଗଛଲତାରେ ବସବାସ କରିଥାନ୍ତି କିମ୍ବା ଜଳସ୍ରୋତରେ ଭାସୁଥିବା ବିଭିନ୍ନ ବସ୍ତୁ ବା ଗଛଲତା ଉପରେ ବସିଥାନ୍ତି। ସେମାନଙ୍କୁ ଲକ୍ଷ୍ୟ କରି ଏହି ମାଛ ଛେପ ପକାଇଲା ଭଳି କିମ୍ବା ଧନୁ ରୁ ତୀର ମାରିଲା ଭଳି ପାଣିର ଫୁଆରା ଫିଙ୍ଗିଥାଏ। ଫଳରେ ପାଣି ମାଡରେ ସେହି କୀଟପତଙ୍ଗ ଝଡ଼ି ପାଣି ଉପରେ ପଡ଼ିଯାଆନ୍ତି ଏବଂ ମାଛ ତତ୍କ୍ଷଣାତ୍ ସେମାନଙ୍କୁ ଉଦରସ୍ଥ କରି ଖାଇ ପକାଏ। ଏଭଳି ଶୀକାରକୁ ଲକ୍ଷ୍ୟ କରି ପାଣି ମାଡ଼ କରୁଥିବାରୁ ଏଇ ମାଛକୁ ଆର୍ଚର ବା ତୀରନ୍ଦାଜୀ ମାଛ ବୋଲି ନାମକରଣ କରାଯାଇଅଛି।
ଏହାର ଶରୀରର ମଧ୍ୟଭାଗ ଚେପଟା ହୋଇ ଓସାରିଆ ହୋଇଥିବାବେଳେ ମୁଣ୍ଡ ଏବଂ ଲାଞ୍ଜ ଆଡ଼କୁ କ୍ରମଶଃ ସରୁଆ ହୋଇଥାଏ। ଏମାନଙ୍କର ଲମ୍ବ ପ୍ରାୟ ୧୨ ସେଣ୍ଟିମିଟର ରୁ ଆରମ୍ଭ କରି ୪୦ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇଥାଏ। ବିଭିନ୍ନ ପ୍ରଜାତି ଅନୁଯାୟୀ ଏମାନଙ୍କ ମଧ୍ୟରୁ କେତେକଙ୍କର ଧୂସରିଆ ରୂପେଲି ରଙ୍ଗର ଶରୀର ଥାଇ ତା’ ଉପରେ କାହାର ଜେବ୍ରା ଭଳି କଳାରଙ୍ଗର ପଟାଳିଆ ଦାଗ ଥାଏ ତ ଆଉ କେତେକଙ୍କର ଗୋଲାକାର ଛୋଟ ଦାଗ ସବୁ ରହିଥାଏ, ଯାହା ମାଛର ଶରୀରକୁ ସୁନ୍ଦର କରିଥାଏ। ଆଉ କେତୋଟି ପ୍ରଜାତିର ମାଛର ରଙ୍ଗ ଇଷତ୍ ସ୍ୱର୍ଣ୍ଣାଭ ମଧ୍ୟ ହୋଇଥାଏ। କାହା ଦେହର କାତି ସାନ ତ ଆଉ କାହା ଦେହର କାତି ବଡ଼ ହୋଇଥାଏ। ତଳପାଟି ଉପର ପାଟି ଠାରୁ ଅଧିକ ଟିକେ ଲମ୍ବା ଥାଏ ଏବଂ ଏହା ଆଗକୁ ପଛକୁ ହୋଇପାରେ। ଏହି ମାଛର ମୁହଁ ସାମ୍ନାରେ ଦୁଇଟି ବଡ଼ ଆଖି ରହିଛି, ଯଦ୍ଦ୍ୱାରା ସେ ଶୀକାରକୁ ଖୁବ୍ ଭଲ ଭାବରେ ଦେଖିପାରେ।
ନାମ ଅନୁଯାୟୀ ଗଛ ଉପରୁ ଶୀକାରକୁ ତଳକୁ ଖସାଇବାରେ ଏମାନେ ଏତେ ତୀକ୍ଷ୍ଣ ଯେ ଅଧିକାଂଶ ସମୟରେ ପାଣିଫିଙ୍ଗି ସେମାନେ ଏକାଥରକେ ଶୀକାରକୁ ଖସାଇ ଦେଇପାରନ୍ତି। ଏହି କାରଣରୁ ସେମାନେ ଜଣେ ସାର୍ପସୁଟର ଠାରୁ କୌଣସି ଗୁଣରେ କମ୍ ନୁହନ୍ତି। କୂଳରେ ଥିବା ଗଛମାନଙ୍କ ଉପରେ ପ୍ରାୟ ତିନିମିଟର ବା ଦଶଫୁଟ ପର୍ଯ୍ୟନ୍ତ ଉଚ୍ଚତା ଉପରେ ଥିବା କୀଟପତଙ୍ଗଙ୍କୁ ସେମାନେ ସହଜରେ ତଳକୁ ଖସାଇ ଦେବାକୁ ସମର୍ଥ ଅଟନ୍ତି। ତାଙ୍କ ପାଟିର ଗଠନ ଶୈଳୀ ଏଥିପାଇଁ ବହୁତ ସହାୟକ ହୋଇଥାଏ। ଏହି ମାଛର ତୀକ୍ଷ୍ଣ ଦୃଷ୍ଟିଶକ୍ତି ମଧ୍ୟ ଏଥିରେ ସାହାଯ୍ୟ କରିଥାଏ। ୪୫୦ ରୁ ୧୧୦୦ କୋଣ ମଧ୍ୟରେ ଅବସ୍ଥାନ କରୁଥିବା କୀଟପତଙ୍ଗଙ୍କୁ ସେ ସହଜରେ ଖସାଇ ଦେଇପାରେ। ତେବେ ୬୦୦ ରୁ ୭୫୦ ର ଅବସ୍ଥାନ ଦୂରତାରେ ସେ ଅଧିକ ସଫଳ ଭାବରେ କାର୍ଯ୍ୟ କରିଥାଏ। ତୀକ୍ଷ୍ଣ ଦୃଷ୍ଟି ଦ୍ୱାରା ଶୀକାରକୁ ଠାବ କଲାପରେ ତାକୁ ଲକ୍ଷ୍ୟ କରି ସେ ପାଟିରେ ପାଣିର ଫୁଆରା ଧରି ଫିଙ୍ଗେ। ଶୀକାର କେତେ ଦୂରତାରେ ଅଛି, କେତେ ପାଣି ଫିଙ୍ଗି ତାକୁ ତଳକୁ ଖସାଇ ହେବ, ସେହି ଅନୁଯାୟୀ ଆକଳନ କରି ଏହା ପାଟିରେ ପାଣି ଜମା କରି ଫିଙ୍ଗିଥାଏ। ଥରକରେ ଶୀକାରକୁ ଖସାଇ ନପାରିଲେ ଏହା ପୁନର୍ବାର ପ୍ରୟାସ କରିଥାଏ। ପାଣି ଫିଙ୍ଗି ଶୀକାରକୁ ଖସାଇବା ଦକ୍ଷତା କମ୍ ବୟସ୍କ ମାଛ ଅପେକ୍ଷା ବୟସ୍କ ମାଛମାନଙ୍କ ଠାରେ ଅଧିକ ଥାଏ। ବୟସ୍କ ମାଛମାନେ ଏ କ୍ଷେତ୍ରରେ ଅଧିକ ସଫଳ ଅଟନ୍ତି। ବେଳେବେଳେ ପାରିପାର୍ଶ୍ଵିକ ଅବସ୍ଥାକୁ ଅନୁଧ୍ୟାନ କରି ଅର୍ଥାତ୍ ଗୋଟିଏ ଶୀକାର ପାଇଁ ଏକା ସ୍ଥାନରେ ଅଧିକ ସଂଖ୍ୟକ ମାଛ ଥିଲେ ସେମାନେ ନିଜର ପାଣିଫିଙ୍ଗା କୌଶଳରେ ପରିବର୍ତ୍ତନ ଆଣିଥାନ୍ତି, ଯେପରି ଶୀକାର ନିଜ ନିକଟକୁ ହିଁ ଆସିପାରିବ। ନିଜ ନିକଟରେ ପାଣି ସୁଅରେ ଭାସୁଥିବା କୀଟପତଙ୍ଗଙ୍କୁ ସେମାନେ ପହଁରିଯାଇ ପାଟିରେ ଟାଣି ଆଣିଥାନ୍ତି।
ଅଧିକ ପରିମାଣରେ ଓ ସୁବିଧାରେ ମିଳୁନଥିବାରୁ ଏହାକୁ ମନୁଷ୍ୟର ଖାଦ୍ୟରୂପେ ବିଶେଷ ବ୍ୟବହାର କରାଯାଏ ନାହିଁ। ଯଦିଓ ଏହାକୁ ଖିଆଯାଇପାରେ। ଏମାନଙ୍କର ସୌନ୍ଦର୍ଯ୍ୟ ଲାଗି ତାଙ୍କୁ ଆକ୍ୱାରିୟମରେ ଦର୍ଶନୀୟ ବସ୍ତୁରୂପେ ରଖାଯାଇପାରେ। କିନ୍ତୁ ଏମାନେ କୀଟପତଙ୍ଗଙ୍କୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ମାଂସାଶୀ ଜୀବ ହୋଇଥିବାରୁ ଘରେ ବା ଆକ୍ୱାରିୟମରେ ରଖି ତାଙ୍କୁ ପାଳିବା କଷ୍ଟକର ହୋଇଥାଏ। ତଥାପି ଯତ୍ନର ସହିତ ଆକ୍ୱାରିୟମରେ ପାଳନ କଲେ ଏମାନେ ୫ ରୁ ୧୦ ବର୍ଷ ଯାଏ ବଞ୍ଚିଥାନ୍ତି। ଭାରତରେ ପଞ୍ଜାବର ଲୁଧିଆନା ସହରରେ ଆକ୍ୱାରିୟମ ପାଇଁ ଏହି ମାଛ କିଣିବାକୁ ମିଳିଥାଏ।
ବାସ୍ତବିକ୍ ଆର୍ଚର ବା ତୀରନ୍ଦାଜୀ ମାଛ, ଜୀବଜଗତରେ ଏକ ବିସ୍ମୟ ଅଟେ।
∎
କୋଟିତୀର୍ଥ ଲେନ୍ ,ବିନ୍ଦୁସାଗର ନିକଟ, ଭୁବନେଶ୍ୱର-୨, ମୋ: ୯୪୩୭୦୧୪୩୨୨

ଲେଖା ସମ୍ପର୍କୀୟ ମତାମତ