Skip to content
ଶିଶୁ କିଶୋର

କବିତା

ସ୍ୱପ୍ନ ଓ ଆତ୍ମବିଶ୍ୱାସ

ସ୍ୱପ୍ନ ଓ ଆତ୍ମବିଶ୍ୱାସ

ଏକ ଗାଁରେ ରହୁଥିଲା ରଘୁ।
ସେ ଗରିବ ଥିଲା, ଛୋଟ ଥିଲା, କିନ୍ତୁ ତା`ର ଆଖିରେ ଥିଲା ଅନେକ ସ୍ୱପ୍ନ। ପ୍ରତିଦିନ ସେ ଖେତକୁ ଯାଉଥିଲା, ମାଟି କାମ କରୁଥିଲା,
କିନ୍ତୁ ମନରେ ଏକ ପ୍ରଶ୍ନ ଥାଏ,
“ମୋର ଜୀବନ ଏଇପରି ହିଁ ରହିଯିବ କି?” ଗାଁର ଲୋକେ ସବୁବେଳେ କହୁଥିଲେ,
“ରଘୁ, ତୁ ଗରିବ, ବଡ଼ ଧରଣର କାମ କିଛି କରିପାରିବୁ ନାହିଁ।”
ସେଇ କଥାଗୁଡ଼ିକ ତା`ର ମନକୁ କଷ୍ଟ ଦେଉଥିଲା,
କିନ୍ତୁ ସେ ଭାଙ୍ଗି ପଡ଼ୁନଥିଲା। ଏକ ଦିନ ସେ ଗାଁ ପାଖରେ ଥିବା ଜଙ୍ଗଲରେ ବୁଲୁଥିଲା।
ସେଠାରେ ସେ ଶୁଷ୍କ ମାଟି ଭିତରେ ଏକ ଛୋଟ ଚାରା ଦେଖିଲା।
ମାଟି ଶୁଷ୍କ, ପାଣି ନାହିଁ, ପରିବେଶ କଠିନ,
ତଥାପି ସେ ଚାରାଟି ବଞ୍ଚିବା ପାଇଁ ଚେଷ୍ଟା କରୁଥିଲା। ରଘୁ ଆଶ୍ଚର୍ଯ୍ୟ ହେଲା।
“ଏତେ କଷ୍ଟରେ ମଧ୍ୟ ଏହା ବଞ୍ଚିବାକୁ ଚାହୁଁଛି…”
ସେ ଚାରାଟିକୁ ପାଣି ଦେଲା, ତା` ପାଖରେ ମାଟି ଖୋଳିଲା,
ଏବଂ ପ୍ରତିଦିନ ସେଠାକୁ ଯାଇ ତା`ର ଯତ୍ନ ନେବାକୁ ଲାଗିଲା। ଦିନ ଗଲା।
ସେ ଚାରାଟି ଧୀରେ ଧୀରେ ବଡ଼ ହେବାକୁ ଲାଗିଲା।
ଏକ ଦିନ ସେ ଏକ ସୁନ୍ଦର ଲିଚୁ ଗଛରେ ପରିଣତ ହେଲା। ସେହି ଗଛ ତଳେ ବସି ରଘୁ ଭାବିଲା,
“ଯଦି ଏହି ଛୋଟ ଚାରା ଏତେ କଷ୍ଟରେ ମଧ୍ୟ ବଢ଼ିପାରେ,
ତେବେ ମୁଁ କାହିଁକି ନୁହେଁ?” ସେ ଦିନରୁ ରଘୁ ନିଜ ଜୀବନକୁ ବଦଳାଇବାକୁ ନିଷ୍ପତ୍ତି ନେଲା।
ସେ ପଢ଼ିବା ଆରମ୍ଭ କଲା। ରାତିରେ ଲଣ୍ଠନ ଜାଳି ବହି ପଢ଼ିଲା।
ଲିଚୁ କୋଳି ଆଣି ବିକି ଦି`ପଇସା ରୋଜଗାର କଲା ଏବଂ ପରିବାର ପ୍ରତିପୋଷଣ କଲା।
ଅନ୍ୟ କାମ କରିବା ସହିତ ସେ ଉନ୍ନତ ମାନର ଚାଷ ଶିଖିଲା।
କୃଷି ବିଭାଗରୁ ତାଲିମ ନେଲା, ନୂଆ କୌଶଳ ଆପଣେଇଲା। ପାଞ୍ଚ ବର୍ଷ ପରେ ସେହି ରଘୁ ଗାଁର ପ୍ରଥମ ଲିଚୁ ବଗିଚା ତିଆରି କଲା।
ଯେଉଁ ଲୋକେ କହୁଥିଲେ “ତୁ କିଛି କରିପାରିବୁ ନାହିଁ”,
ଆଜି ସେମାନେ ତା` ପାଖରେ କାମ ମାଗୁଛନ୍ତି। ସେହି ଲିଚୁ ଗଛ ତଳେ ରଘୁ ଏବେ ଗାଁ ପିଲାଙ୍କୁ ପଢ଼ାଏ।
ସେ କହେ, “ମାଟି ଯେତେ ଶୁଷ୍କ ହେଉ, ସ୍ୱପ୍ନ ଯଦି ଓଦା ଥାଏ,
ଚାରା ନିଶ୍ଚୟ ଗଛ ହେବ।”

ପରିସ୍ଥିତି ତୁମକୁ ବାନ୍ଧି ପାରେ, କିନ୍ତୁ ତୁମର ଜିଦ୍ ଓ ଆତ୍ମବିଶ୍ୱାସ ତୁମକୁ ସଫଳତା ହାସଲ କରିବା ପାଇଁ ଶକ୍ତି ଯୋଗାଇବ।
∎
ଶିକ୍ଷୟିତ୍ରୀ ଡିଏଭି ପବ୍ଲିକ ସ୍କୁଲ, ପୁରୀ
ମୋ:୯୪୩୮୫୯୧୪୭୩

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜୁଲାଇ:୨୦୨୬ , ତୃତୀୟ ବର୍ଷ : ସପ୍ତମ ସଂଖ୍ୟାରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Ajaya Kumar Parida

01-07-2026 / 12:11:38

ଖୂବ୍ ଶିକ୍ଷଣୀୟ

ନରେନ୍ଦ୍ର ନାଥ ସାମନ୍ତରାୟ

30-06-2026 / 20:22:05

ଗଳ୍ପଟି ଅତ୍ୟନ୍ତ ଶିକ୍ଷଣୀୟ ଓ ଶିଶୁ ମାନଙ୍କପାଇଁ ମନମୁଗ୍ଧକର।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion