ଗପ
କ`ଣ ସାଙ୍ଗ! ଏଥର ଖୁସି ତ?

ରଵିବାର ଛୁଟିଦିନ। ସକାଳୁ ସକାଳୁ ମାମୁନି ପ୍ରଜାପତି ପଛରେ ଧାଉଁଥାଏ। କୁନି କୁନି ଡେଣା ହଲାଇ ଛିଟା ପ୍ରଜାପତିଟି ଫୁଲରୁ ଫୁଲକୁ ଉଡି ଯାଉ ଥାଏ। ତା ପଛରେ ଧାଇଁ ଧାଇଁ ମାମୁନି ତାଙ୍କ ଵଗିଚା ର କଣ ମୁଣ୍ଡରେ ପହଞ୍ଚି ଗଲା। ଆଗରେ ବଗିଚା ଘର। କାହାର ଟୁପୁ ଟୁପୁ କଥା ତାକୁ ଶୁଣାଗଲା। ସିଏ ଚାରିଆଡକୁ ଚାହିଁ ଚାହିଁ ଚୁପ୍ ଚୁପ୍ ଆଗକୁ ଚାଲିଲା। ଶୁଣିଲା - ଟଣ୍ ଟଣ୍ କରି ଫୁଟା ବାଲ୍ଟିଟା କହୁଛି -" ମୋର ମନ ଭାରି ଦୁଃଖ । `
ପାଖରେ ଥିଵା ପାଣି ଟ୍ୟାପ ଟି ପଚାରିଲା -" କାହିଁକି? କଣ ହେଲା ତୋର?`
ବାଲ୍ଟି କହିଲା-" ଭଲ ଥିଲାବେଳେ ମୋତେ ସମସ୍ତେ ଆଦର କରୁଥିଲେ । ମୋ ଭିତରେ ପାଣି ଭରି ଗଛ ମୂଳରେ ଢାଳୁଥିଲେ। ଗଛଲତା ବଢ଼ି ଫୁଲଫଳ ରେ ଭର୍ତ୍ତି ହୋଇଗଲେ,- ସମସ୍ତେ ଖୁସି ହେଉଥିଲେ। ସମସ୍ତଙ୍କ ଖୁସି ଦେଖି ମୁଁ ବି ଖୁସି ଥିଲି।`
ବାଲ୍ଟି ର କଥା ନ ସରୁଣୁ ପାଣି ଟ୍ୟାପ କହିଲା-" ଏଇଟାତ ବହୁତ ଭଲ କଥା। ଏଥିରେ ତୋର ମନ ଦୁଃଖ ହେଲା କାହିକି?`
ବାଲଟି କହିଲା-" ବୁଝିଲୁ ସାଙ୍ଗ! ମୋ ଦେହରେ ଠାଏ ଠାଏ ଫୁଟି କଣା ହୋଇ ଗଲାଣି। ପାଣି ରହୁନାହିଁ। ବୋହିଯାଉଛି। ସେଥିପାଇଁ ମାଲିକ କହୁଛନ୍ତି - ମୋତେ କବାଡ଼ି ବାଲାକୁ ବିକି ଦେବେ।`
ମୁହଁ ଶୁଖାଇ ପାଣି ଟ୍ୟାପ କହିଲା-" ହଁ ରେ ସାଙ୍ଗ! ! !, କଣା,ଫୁଟା, ଭଙ୍ଗା ହେଲେ- କେହି କଣ ଆଉ ପଚାରିବ ନା- ଆଦର କରିବା ? ଅଦରକାରୀ ଜିନିଷ କୁ କିଏ କାହିଁକି ସାଇତି ରଖିବ କହିଲୁ?`
ଵାଲଟି ଓ ପାଣିଟ୍ଯାପର ସବୁକଥା ଶୁଣିସାରି ମାମୁନି ଘରକୁ ଫେରି ଗଲା। ଦିନ ସାରା ତାର ଖାଲି ବାଲଟି କଥା ମନେ ପଡୁଥାଏ। ରାତିରେ ଶୋଇ ଶୋଇ ଭାବିଲା- ବଡ଼ କାବା କଥା! । ବାଲ୍ଟି ଆଉ ପାଣିଟ୍ଯାପ୍ ର ତ ଜୀବନ ନାହିଁ। ଏମାନଙ୍କୁ କଷ୍ଟ ହେଉଛି କିପର? ପୁଣି ମନଦୁଃଖ କରୁଛନ୍ତି?`
ମନେ ପଡିଲା ତାର। ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ରହୁଥିବା ତାର ବଡ଼ ମାମୁଁ ଥରେ କହୁଥିଲେ-" ଜଡ ପଦାର୍ଥ ର ସିନା ଜୀବନ ନାହିଁ - ହେଲେ ସେମାନଙ୍କର ସଚେତନତା ରହିଛି।`
ମାମୁନି ଭାଵିଲା- ହେଇଥିବ। ହେଲେଫୁଟାବାଲ୍ଟିଟି ପାଇଁ ତାକୁ କିଛି ଗୋଟାଏ କରିବାକୁ ପଡିବ। ସ୍ଥିରକଲା - ସେଥିରେ ମାଟିଖତ ପୁରାଇ ଫୁଲ ଗଛ ଲଗାଇଦେବ।
ତା ପରଦିନ ମାମୁନି ସେଇଆ କଲା। ମାଟି, ଖତ ଓ କିଛି ପରିବା ଚୋପା ଵାଲ୍ ଟି ରେରଖିଦେଲା। ଭାବି ହେଉଥାଏ, କି ଗଛ ଲଗେଇବ?
ଦିନେ ଦେଖିଲା- ପଡ଼ିଶା ଘର ବୀରେନ୍ଦ୍ର ମଉସା ତାଙ୍କ ମଲ୍ଲୀ ବୁଦାରୁ କିଛି ଡାଳ କାଟି ଫିଙ୍ଗିବାକୁ ନେଉଛନ୍ତି। ମାମୁନି ଜାଣିଥିଲା - ମଲ୍ଲୀ ଡାଳରୁ ଗଛ ହୁଏ ବୋଲି। ସେ ମଉସାଙ୍କ ଠାରୁ ତିନି ଚାରିଟି ମୋଟାଗଣ୍ଠିଥିବା ଡାଳ ଆଣି ବାଲଟି ରେ ପୋତିଦେଲା। ନିୟମି ସେଥିରେ ପାଣି ଦିଏ। ଶୁଖିଲା ପତ୍ର ଓ ଘାସ ସଫା କରି ଗଛର ଯତ୍ନ ନିଏ।
ତିନି ଚାରିମାସ ଗଲା। ଗଛ ବଢ଼ି ସେଥିରେ ନେନ୍ଥି ନେନ୍ଥି ହୋଇ କଢ ଭର୍ତ୍ତି ହୋଇଗଲା। ମାମୁନି ର ଖୁସି କହିଲେ ନସରେ। ମଲ୍ଲୀଫୁଲ ଫୁଟିବା ଆରମ୍ଭ ହେଲା। ମଲ୍ଲୀର ମହକ ଖେଳେଇ ହୋଇଗଲା ଚାରିଆଡ଼େ। ବାସନା ଶୁଙ୍ଘି ଶୁଙ୍ଘି ଦିନେ ବାପା ତାର ଵଗିଚା କଣ ମୁଣ୍ଡରେ ପହଞ୍ଚି ଗଲେ। ସଜ ଫୁଟା ମଲ୍ଲୀ ଫୁଲ ଗୁଡ଼ିକ ଦେଖି ଭାରି ଖୁସି ହେଲେ। ତା ପରଦିନ ବାଲ୍ ଟି ଟିର ବାହାର ପଟକୁ ପରିଷ୍କାର କରି ସେଥିରେ ହାଲକା ନୀଳ ରଙ୍ଗ ବୋଳି ଦେଲେ। ଭାରି ସୁନ୍ଦର ଦିଶୁଥାଏ ଫୁଲ ଭର୍ତ୍ତି ଵାଲ୍ଟି ଟି। ଅତି ଖୁସିରେ ବାଲଟି ଟିକୁ ବଗିଚାରୁ ଆଣି ଚଉରା ପିଣ୍ଡାରେ ଥୋଇଦେଲେ। ମହମହ ବାସୁଥାଏ ଦାଣ୍ଡଦୁଆର। ବାସ୍ନା ଵାରି ଜେଜେ, ଜେଜେମା, ଆଉ ମାମୁନି ଧାଇଁ ଆସିଲେ ଦାଣ୍ଡକୁ। ଅତି ଆନନ୍ଦରେ ମାମୁନି ର ମୁଣ୍ଡ ସାଉଁଳେଇ ବାପା କହିଲେ -" ବାଃ, ମୋ ସୁନା ଝିଅର କେତେ ଵୁଦ୍ଧି!! ।
ଵାଲ୍ଟି ପାଖକୁ ଧାଇଁ ଗଲା ମାମୁନି। ଦୁଇ ଚାରିଥର ଆଉଁସି ଦେଇ, ମାମୁନି ଗେହ୍ଲେଇ ଗେହ୍ଲେଇ ପଚାରିଲା -" କଣ ସାଙ୍ଗ!! ଏଥର ଖୁସି ତ?`
∎
୫୫୪/୧୯୬୫, ଶ୍ରୀଵିହାର
ପୋଷ୍ଟ - ପଟିଆ, ଭୁବନେଶ୍ଵର-୩୧
ଫୋନ୍ -୯୯୩୭୫୯୨୭୩୯

ଲେଖା ସମ୍ପର୍କୀୟ ମତାମତ
ଅନୁରାଗ ପ୍ରସାଦ
26-07-2026 / 14:13:26
Out standing story...