ଗପ
ଗୁଡ଼ୁଲ୍ - ଗୁଡ଼ଲିଙ୍କ ରହସ୍ୟମୟ ଯାତ୍ରା, ଭାଗ -୧

ଗୁଡ଼ୁଲ୍ ଏବଂ ଗୁଡ଼ଲି ଦୁହେଁ ପଞ୍ଚମ ଶ୍ରେଣୀରେ ପାଠପଢନ୍ତି ।ସେମାନଙ୍କ ଗ୍ରାମର ନାମ ଅଜୁବା । ଅଜୁବା ନାଆଁଟି ସିନା କୌତୁହଳିଆ କିନ୍ତୁ ତା`ପଛର ରହସ୍ୟ ଶୁଣି ସମସ୍ତେ ଚକିତ ହୋଇପଡନ୍ତି । ଅନେକ ବର୍ଷତଳେ ଯେତେବଳେ ଆମ ଦେଶରେ ଇଂରେଜ ଶାସନ ଚାଲୁଥିଲା ,ସେସମୟରେ ଏଇଠି ଜନ୍ ନାମକ ଜଣେ ଇଂରେଜ ଏହି କୋଠାରେ ବାସକରୁଥିଲେ । ତାଙ୍କର ଆଠବର୍ଷର ଝିଅଟିଏ ଥିଲା । ଦେଖିବାକୁ ଗୋରା ତକତକ୍ , ନୀଳଆଖି , କୁଞ୍ଚୁକୁଞ୍ଚିଆ ଆଉ ସୁନେଲିରଙ୍ଗର କେଶ । ଠିକ୍ କଣ୍ଢେଇ ପରି । ଝିଅଟି ଖୁବ୍ ଜ୍ଞାନୀ ଥିଲା । ମହାକାଶ ସମ୍ବନ୍ଧରେ ତାର ଖୁବ୍ ଜ୍ଞାନଥିଲା । କୋଠିଛାତ ଉପରେ ଅର୍ଦ୍ଧରାତ୍ରିରେ ମଧ୍ଯ ଗାଁ`ବାସିନ୍ଦା ତାକୁ ଦେଖନ୍ତି । ସେ ଶାନ୍ତ ସ୍ୱଭାବର ଏବଂ ଗୁମସୁମ୍ ଝିଅଟିଏ । କୋଠିର ଗୁମାସ୍ତା ମାନେ କୁହନ୍ତି ଝିଅଟି ସବୁବେଳେ ପୁସ୍ତକ ପଢୁଥାଏ ନହେଲେ କିଛି ସାମଗ୍ରୀ ନେଇ କିଛିକିଛି ତିଆରି କରିଥାଏ ।ଏତେ ଛୋଟ ବୟସରୁ ଏଭଳି କାର୍ଯ୍ୟକଳାପ ଦେଖି ଲୋକେ ତାକୁ ଯାଦୁକର ବୋଲି ସନ୍ଦେହ କରୁଥିଲେ ।ଆଉ ସେମାନଙ୍କର ସେ ସନ୍ଦେହଟି ସତମାନି ନିଆଗଲା ଯେତେବେଳେ ଦିନେ ଅମାବାସ୍ୟା ରାତିରେ ଝିଅଟି ଅଚାନକ ଅଦୃଶ୍ୟ ହୋଇଗଲା । ଖୁବ୍ ଖୋଜାଚାଲିଲା କିନ୍ତୁ ଝିଅଟି ମିଳିଲାନି ।କିଛି ବର୍ଷପରେ ଦେଶ ସ୍ଵାଧୀନ ହେଲା ।
ଇଂରେଜ ସାହେବ୍ ଜଣକ ସେଇଠୁ ଚାଲିଗଲେ ।ଫାଙ୍କା କୋଠିଟି ସେମିତି ପଡ଼ିରହିଲା । ଖୁବ୍ କମଲୋକ କୋଠିକୁ ପ୍ରବେଶ କରି ଫେରିଆସନ୍ତି ଆଉ କିଛିଲୋକ ଅଦୃଶ୍ୟ ହୋଇଯାଆନ୍ତି ।
ଅନେକ ଥର ବୁଢ଼ୀମା`ଙ୍କଠୁ ଗୁଡୁଲ୍,ଗୁଡ଼ଲି କୋଠି ବିଷୟରେ ଏଭଳି ଅନେକ କଥା ଶୁଣିଛନ୍ତି ଗପ ଆକାରରେ । ଗାଆଁ ବାସିନ୍ଦା ସବୁ ପିଲାମାନଙ୍କୁ ସେଇଠିକି ଯିବାକୁ ବାରଣ କରନ୍ତି । କୋଠି ବିଷୟରେ ଡରକୁଳା ଗଳ୍ପଗୁଡ଼ିକୁ ଶୁଣିଶୁଣି ପିଲାମାନେ ଛାନିଆଁ ହୋଇ ସେଇଠିକି ଯିବାକୁ ପସନ୍ଦ କରନ୍ତିନି । ଅନେକ ଥର ପିଲାମାନେ ବୁଢ଼ୀଆଈକୁ ପଚାରନ୍ତି କିଏ ସଵୁ କୋଠିକୁ ଯାଇ ଫେରିନାହାନ୍ତି ବୋଲି ହେଲେ , ଆଈ ନୀରବ ରୁହେ ,କଥାକୁ ଏଡାଇଦିଏ ।
ଗୁଡୁଲ୍ , ଗୁଡ଼ଲି ଖୁବ୍ ସାହାସୀ ଓ ନିର୍ଭୀକ ।ସେମାନେ ଏସବୁ
ଅନ୍ଧବିଶ୍ବାସ ମନେକରନ୍ତି ।ପ୍ରତି ଚମତ୍କାର ପଛରେ ବୈଜ୍ଞାନିକ କାରଣ ଖୋଜନ୍ତି ।କିନ୍ତୁ ସେମାନେବି,ଏହି ଅନ୍ଧବିଶ୍ୱାସର
କାରଣ ଖୋଜିବାକୁ ଚାହିଁନଥିଲେ ।
ପ୍ରତିବର୍ଷ ପରି ଏବର୍ଷ ଗ୍ରୀଷ୍ମଛୁଟିରେ ସେମାନେ ଅନ୍ୟଦେଶକୁ ବୁଲିବାକୁ ଯାଇଥିଲେ ।ମାସକର ଭ୍ରମଣରୁ ଫେରି ଜାଣିବାକୁ ପାଇଲେ ଯେ ତାଙ୍କ ପୋଷାକୁକୁର ଏଲିନ୍ ହଠାତ୍ ନିଖୋଜ ହେଇଯାଇଛି । ଚାରିଆଡେ ଖୋଜା ଚାଲିଲା କିନ୍ତୁ ଏଲିନର ଖବର ନଥିଲା । ଏ ଖବର ଶୁଣି ଗୁଡୁଲ୍ ,ଗୁଡ଼ଲି ଖୁବ୍ ମନଦୁଃଖ କଲେ । ସେଦିନ ସନ୍ଧ୍ୟାରେ ଦୁହେଁ ବସି ଏଲିନକୁ ଝୁରୁଥାନ୍ତି ।ସେତିକିବେଳେ ପୋଷା ଶୁଆଟି ବାରମ୍ବାର ପଞ୍ଜୁରୀ ଭିତରୁ ଡେଣାଝାଡି ଫଡଫଡ ଶବ୍ଦକରି ଏଲିନର ନାଆଁ ନେଉଥାଏ ଆଉ ମଝିମଝିରେ ଗୁଡୁଲକୁ ଡାକ ଛାଡୁଥାଏ ।
ସେମାନେ ବୁଝିଗଲେ ଶୁଆଟି ଏଲିନ୍ ବିଷୟରେ କିଛି ଜଣାଇବାକୁ ଚାହୁଁଛି । ଶୁଆଟି ସବୁକଥା ମଣିଷଙ୍କ ଭଳିଆ ସ୍ପଷ୍ଟ କହିପାରେନା କିନ୍ତୁ ଗୁଡ଼ୁଲ୍ ପଶୁପକ୍ଷୀଙ୍କ ଭାଷା ବୁଝିପାରେ ।
ଗୁଡୁଲ୍ ,ପଞ୍ଜୁରୀ ପାଖକୁ ଯାଇ ପଚାରିଲା-" ସୁନାଶୁଆ ଲୋ ସୁନାଶୁଆ , ଏଲିନ୍ କୁଆଡେ ଅଛି ଜାଣିଛୁ କି ? ଶୁଆଟି ଆଖି ବଡ଼କରି ନିଜ ବେକକୁ ଚାରିଦିଗକୁ ବୁଲାଇ ,ତାର ହଳଦୀ ଓ ସବୁଜରଙ୍ଗ ଉପରେ ନାଲିରଙ୍ଗର ଛିଟା ପଡିଥିବା ସୁନ୍ଦର ଓ ଆକର୍ଷଣୀୟ ଡେଣାମେଲାଇ ଅଳସ ଭାଙ୍ଗିଲା । ତା ` ପରେ
ଚିର୍... ଚିର୍.. ଛିର୍ ବୋଲି ଶବ୍ଦକରି ଅନେକ କିଛି କହିଗଲା । ଗୁଡୁଲ୍ ସବୁକଥା ଗୁଡ଼ଲିକୁ କହିଲା, ଯାହାସବୁ ପୋଷାଶୁଆ ବର୍ଣ୍ଣନା କରିଥିଲା ।
ଶୁଆ ଅନୁଯାଇ ଏଲିନ୍ ପାହାନ୍ତିଆ ବେଳେ ସାହେବଙ୍କ କୋଠି
ଭିତରକୁ ଯିବାର ଡାମରାକାଉ ଦେଖିଥିଲା ।ଆଉ ସେଦିନଠୁ ଏଲିନ୍ ନିଖୋଜ ।
ଅନେକ ସମୟଯାଏଁ ଗୁଡୁଲ୍ ,ଗୁଡ଼ଲି ନୀରବହୋଇ କଣ ସବୁ ଚିନ୍ତାକଲେ ।ତାପରେ ଦୁହେଁ ନିଷ୍ପତ୍ତି ନେଲେ ଯେ ସେମାନେ ଯାହାସବୁ କୋଠି ବିଷୟରେ ଶୁଣିଥିଲେ , ସବୁସତ ନିଶ୍ଚୟ କିନ୍ତୁ ଦିଂହେ ନିର୍ଭୀକ ଓ ସାହାସୀ ଥିଲେ ।ତେଣୁ କୋଠିର ରହସ୍ୟକୁ ଉଜାଗର କରିବାର ନିର୍ଣ୍ଣୟ ନେଲେ ।
∎
କ୍ରମଶଃ...
ସୁନ୍ଦରଗଡ,୯୫୭୧୦୩୩୨୭୯

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
04-07-2026 / 18:18:40
ଗପଟି ଭଲ ଲାଗୁଛି। କ୍ରମଶଃ ଲେଖନ୍ତୁ।
Sanjukta parichha
30-06-2026 / 18:45:03
ଗପଟିର କ୍ରମଶଃ ଜାଣିବାକୁ ଆଗ୍ରହ ରହିଲା ।