ଗପ
ମିକୁନ୍ ବୁ୍ଦ୍ଧି ଶିଖିଲା

ଦିନେ ସଂଧ୍ୟାବେଳେ ମିକୁନ୍ ଘରପାଖ ଦୋକାନକୁ ପେନସିଲଟିଏ କିଣିବାକୁ ଯାଇଥିଲା। ସେଠାରେ ପେନସିଲ୍ କିଣିସାରି ବଳକା ଟଙ୍କାରେ ସାନଭାଇପାଇଁ ଚାରୋଟି ଚକୋଲେଟ୍ କଣି ଫେରିଲା।ଫାଟକ ଖୋଲି ଭିତରକୁ ଗଲାବେଳକୁ ତା` ହାତରୁ ଗୋଟିଏ ଚକୋଲେଟ୍ ତଳେ ଖସିପଡିଲା।ମିକୁନ୍ ନଇଁପଡି ଟିକେ ଖୋଜିଲା।କିନ୍ତୁ ଅନ୍ଧାରରେ ସେତେବେଳକୁ ଜାଗାଟି ଭଲ ଦେଖାଯାଉନଥିବାରୁ ସେ`ଚକୋଲେଟଟି ପାଇଲାନି।ତେଣୁ ତରତରରେ ଘରକୁ ଯାଇ ବଡ ମହମବତୀରୁ ଗୋଟିଏ ଜଳାଇ ଚକୋଲେଟ୍ ଖୋଜିବାକୁ ନେଇଆସିଲା।
ଘରଆଗରେ ଥିବା ଛୋଟଛୋଟ ଗଛର ଗହଳି ଭିତରୁ ଚକୋଲେଟଟି ସହଜରେ ମିଳୁନଥିଲା।ତଥାପି ମିକୁନ୍ ଗେଟ୍ ପାଖରୁ ଘରଯାଏଁ ରାସ୍ତାଟି ଏବଂ ତା`ର ଦୁଇପାଖ ବାରମ୍ବାର ମନଲଗାଇ ଖୋଜିଚାଲିଥାଏ।ମହମବତୀଟି ଜଳିଜଳି ସରିଆସୁଥିଲା।ଅନେକ ସମୟ ପରେ ହଠାତ୍ ଚକୋଲେଟଟି ଦେଖିଦେଇ ମିକୁନ୍ ହାତରେ ଉଠେଇ ଆଣିଲାବେଳକୁ ଆରହାତରେ ସେ`ଧରିଥିବା ମହମବତୀଟି ସରିଆସି ହାତରେ ଲାଗିଯିବାଉପରେ।ମିକୁନ୍ ତରତରରେ ହାତରୁ ମହମବତୀଟି ଛାଟିଦେଲା।ଠିକ୍ ସେତିକିବେଳକୁ ବାପା ବାହାରୁ ଆସି ସେଠି ପହଂଚିଯାଇଥିଲେ।ତାକୁ ଏ ସଂଧ୍ୟାବେଳେ ଅନ୍ଧାରରେ ବଗିଚା ଭିତରେ ଠିଆ ହୋଇଥିବାର ଦେଖି ଚିଡିଲାଭଳି ସ୍ୱରରେ ପଚାରିଲେ ଏଇ ସମୟରେ ତୁ ପାଠ ନପଢି ଏ ବାହାରେ ଅନ୍ଧାରରେ କାହିଁ ଠିଆ ହୋଇଛୁ? ମିକୁନ୍ ବାପାଙ୍କୁ ସବୁକଥା କହିଲା।ସବୁଶୁଣି ବାପା କହିଲେ,ତୋର ତ ବୁଦ୍ଧି ବୋଲି ଟିକିଏ ନାହିଁ।ମିକୁନ୍ ଆଶ୍ଚର୍ଯ୍ୟ ହେଉଥିଲା।ସେ`ତ ଏତେ ଖୋଜିଖୋଜି ଚକୋଲେଟଟି ପାଇଲା।ଆଉ ବୁଦ୍ଧି ନାହିଁ ବୋଲି ବାପା କାହଁି କହୁଛନ୍ତି?
ବାପା ଜାଣିଲେ ମିକୁନ୍ ତଥାପି ନିଜ ଭୁଲ୍ ଜାଣିପାରୁନାହିଁ।ସେ`ଏଥର ବୁଝାଇଦେଲେ-ଶୁଣ୍ ! ଟଙ୍କିକିଆ ଚକୋଲେଟଟି ଖୋଜିବାକୁ ଯାଇ ପନ୍ଦର ଟଙ୍କିଆ ମହମବତୀଟିଏ ଜଳେଇ ସାରିଦେଲୁ। ବଡ ହେଉ ବା ଛୋଟ ଯେକୌଣସି କାମଟିଏ କଲାବେଳେ ବୁଦ୍ଧି ଖଟେଇ କରିବା ଉଚିତ।ମିକୁନକୁ ବାପାଙ୍କ କଥା ଶୁଣି ଭାରି ଖରାପ ଲାଗିଲା।ଅନୁତାପରେ ତା`ମଥା ନଇଁଗଲା।ସତରେ କେତେବଡ ଭୁଲ୍ ସେ କଲା।ନାଃ!ଏଥର ଭାବିଚିନ୍ତି ସବୁକାମ କରିବ।ଏହି କଥା ଭାବି ମିକୁନ୍ ବାପାଙ୍କ ପଛେପଛେ ଘରକୁ ଗଲା।
∎ନୀଳାଦ୍ରିବିହାର
ଭୁବନେଶ୍ୱର-୨୧

ଲେଖା ସମ୍ପର୍କୀୟ ମତାମତ
ମୋହନ କୁମାର ସ୍ୱାଇଁ
04-07-2025 / 20:06:36
ବହୁତ୍ ସୁନ୍ଦର ଲାଗିଲା ଗଲ୍ପଟି
ଜୟକୃଷ୍ଣ ସାହୁ
01-07-2025 / 17:15:43
ସୁନ୍ଦର ଶିକ୍ଷଣୀୟ ଗପଟିଏ। ଭଲଲାଗିଲା। ଧନ୍ୟବାଦ ମାମ୍।
Sanjukta parichha
01-07-2025 / 11:19:59
ଗପଟି ଭଲ ଲାଗିଲା ।