କବିତା
କାକର ଟୋପା

ରାତିର ପରଦା କାଟିକି ସକାଳ
ଥାପିଲାଣି ପାଦ ମରତେ ଆସି,
ହେଲେବି ଆଲୁଅ ଛୁଇଁନି ମାଟିକୁ
ଘନକୁହୁଡ଼ିର ଦାଉକୁ ନାଶି ।
ଥପଥପ ହୋଇ କାକରର ଟୋପା
ଖସୁଛି ଆକାଶ ଛାତିକୁ ଚିରି,
ଅପରୂପ ଶୋଭା ଝଲମଲ ଠାଣି
ଭରିଛି ତା` ଦେହେ ସରଗ ଶିରୀ ।
ଦୂବ ପତରରେ ତା` ରୂପର ଛବି
ମୋତି ପରି ଭାରି ସୁନ୍ଦର ଦିଶେ,
ଦିନ ଗଡ଼ିଗଲେ ହଜିଯାଏ ଧୀରେ
ତା` ମିଠା ଚାହାଣୀ ମାଟିରେ ମିଶେ ।
ଅଳପ ସମୟ ଆୟୁଷ ତାହାର
ତଥାପି ତିଳେ ତା` ନଥାଏ ଦୁଃଖ,
ଢଳିଢ଼ଳି ନାଚେ କୋହଲା ପବନେ
ଭରିଦିଏ ମନେ ଅମାପ ସୁଖ ।
କାକର ଟୋପାର ସମାନ ଜୀବନ
ଏଇ ଅଛି ପୁଣି ଏଇତ ନାହିଁ,
ସେନେହ ଶରଧା ଅତି ଆପଣାର
ରାଗ ହିଂସା ଆଉ କରିବା କାହିଁ ।
∎
ମୋ-୮୨୪୯୧୩୭୦୯୧

ଲେଖା ସମ୍ପର୍କୀୟ ମତାମତ
ଖୁବ୍ ସୁନ୍ଦର ଲାଗିଲା
02-03-2026 / 18:12:00
ଭଲ ଲାଗିଲା
ଜୟକୃଷ୍ଣ ସାହୁ
02-03-2026 / 14:32:16
ସୁନ୍ଦର ପିଲାଙ୍କ ମନଲାଖି କଵିତାଟିଏ। ଭଲଲାଗିଲା।