କବିତା
କରିବା ପଣ

ପବନ ବହେ ପରାଣ ରହେ
ସେ ପବନ ପରାଣ
ଦେହ ଭିତରେ ପବନ ପରା
ଜୀବର ସେ ଜୀବନ ।
ବିନା ପବନେ ବଞ୍ଚିବା କ୍ଷଣେ
ନୁହଁଇଟି ସମ୍ଭବ
ପବନ ଭଳି ପାଣି ଲୋଡ଼ନ୍ତି
ଅଛନ୍ତି ଯେତେ ଜୀବ ।
ଗଛ ଯୋଗୁଁ ହିଁ ପାଣି ପବନ
ଆମକୁ ମିଳିଥାଇ
ବଣ ପାହାଡ଼ ପ୍ରକୃତି ମାଆ
ଥାନ୍ତି ଆମକୁ ଦେଇ
ନଈ ସେମିତି ପାଣି ଦେଇ କି
ଥାଏ ଦେବା ଧାରାରେ
ଗଛ କେତେ ଯେ ଫୁଲ ଓ ଫଳ
ଦିଏ ବିନା ବିଚାରେ ।
କେତେ ଜୀବକୁ କୋଳେଇ ନେଇ
ମାଟି ଧରି ରଖିଛି
ମାଟି ଉପରେ ମାଟିର ତଳେ
କେ ଘର ତୋଳିଅଛି ।
ଅଙ୍କେଇ ଥାଇ ବଙ୍କେଇ ଯାଇ
ବହେ ନଈ ମାଟିରେ
ବଣ ଜଙ୍ଗଲ ପାହାଡ଼ ଖୋଲ
ଜୀବ ବି ସେ ମାଟିରେ ।
ଆମରି ପାଇଁ ତାଙ୍କରି ଦାନ
ମୂଲ୍ୟ ବା କେ କଳିବ
ପ୍ରକୃତି ବିନା ଜୀବନ ଏଠି
ହୁଅନ୍ତା ଅସମ୍ଭବ ।
ତେଣୁ ଆମକୁ ବିଚାରବନ୍ତ
ହେବାକୁ ହିଁ ପଡ଼ିବ
ପରିବେଶର ସୁରକ୍ଷା ପ୍ରତି
ଦୃଷ୍ଟି ଦେବାକୁ ହେବ ।
କରିବା ପଣ ରଖିବା ମନ
ପାଉ ଯାହାଠୁ ଯାହା
କୃତଜ୍ଞ ହେବା ସୁରକ୍ଷା ଦେବା
ଯେ ହୁଏ ଆମ ସାହା ।
ପରିବେଶର ସୁରକ୍ଷା ପାଇଁ
ସଚେତନତା ବାର୍ତ୍ତା
ଆମେ ବାଣ୍ଟିବା ପୁଣି ଜାଣିବା
ପ୍ରକୃତି ଆମ ମାତା
∎
ବଉଦରାଜ, ଜି. ବୌଦ୍ଧ
ମୋ.9437478466

ଲେଖା ସମ୍ପର୍କୀୟ ମତାମତ
ନିରାକାର ଚଇନି
02-03-2024 / 14:00:17
ଭଲ ହୋଇଛି
ଲଷ୍ମୀକାନ୍ତ ଖୁଣ୍ଟିଆ
01-03-2024 / 18:59:20
କବିତାଟି ବେଶ ମନଛୁଆଁ ତଥା ଭାବଗର୍ଭକ ହୋଇଛି
ରାଧାମାଧବ ରଥ। ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ।
01-03-2024 / 16:51:47
କବିତାଟି ଅତି ସୁନ୍ଦର। ସବୁ କବିତା ଓ ଗଳ୍ପ ଭଲ ହୋଇଛି। ସଂପାଦକଙ୍କୁ ବହୁତ ବହୁତ ଧନ୍ୟବାଦ।