ଗପ
ପ୍ରଜାପତି କଥା ଶୁଣିଲା

ସକାଳ ହେଇଗଲାଣି। ବିଛଣାରୁ ଉଠିପଡିଲା ସୁମନ। ଝରକା ଦେଇ ବାହାରକୁ ଚାହିଁଲା। ସୂର୍ଯ୍ୟ ଉଇଁନାହାନ୍ତି। କିନ୍ତୁ ଫର୍ଚ୍ଚା ହେଇଆସିଲାଣି। ମୁହଁ ଧୋଇ ବାହାରକୁ ଆସିଲା ସେ। ଏଇ ସମୟଟା ତାକୁ ବହୁତ ଭଲଲାଗେ। କି ସୁନ୍ଦର ବାସ୍ନା ଆସୁଛି ତାଙ୍କ ଫୁଲବଗିଚାରୁ!
ଆସ୍ତେଆସ୍ତେ ଚାଲିଚାଲି ସେ ବଗିଚା ପାଖକୁ ଆସି ପଡ଼ିଥିବା ବଡ଼ ପଥରଟି ଉପରେ ବସିପଡ଼ିଲା। ଏତେସୁନ୍ଦର ଫୁଲ ଫୁଟିଛି। ହେଲେ ଆଗପରି ଆଉ ପ୍ରଜାପତି କି ମହୁମାଛି ଆସୁନାହାନ୍ତି। ଏଇ ସମୟରେ ତା`ର ଦୃଷ୍ଟିପଡିଲା ସୁନ୍ଦର ପ୍ରଜାପତିଟିଏ ବଗିଚାର ବାଡ଼ ଉପରେ ବସିଛି।
"ପ୍ରଜାପତି! ପ୍ରଜାପତି!ଆମ ବଗିଚା ଭିତରକୁ ଆ। କେତେ ସୁନ୍ଦର କଖାରୁଫୁଲ ଫୁଟିଛି। ତା`ଉପରେ ଟିକେ ବସ"। ଅନୁନୟ କରି କହିଲା ସୁମନ। କାହିଁକିନା ଗତକାଲି ବର୍ଷାପାଗରେ ସୁମନ ବୋଇତିକଖାରୁରେ ପକୁଡ଼ି ତିଆରି କରିବାକୁ କହିଥିଲା। ମାମା କହିଲେ "ଏଥର ବୋଇତିକଖାରୁ ବଜାରରୁ କିଣିବାକୁ ପଡ଼ିଲା। ଆଗପରି ଆଉ ବାଡ଼ିରେ କଖାରୁ ଫଳୁନାହି। କଷି ଧରୁଛି। ହେଲେ ସବୁ ଝଡ଼ିଯାଉଛି।"
ପାପା କହିଲେ" ଆଜିକାଲି ଆଉ ପ୍ରଜାପତି କି ମହୁମାଛି ଆସି ଫୁଲରେ ବସୁନାହାନ୍ତି। ଅଣ୍ଡିରାଫୁଲର ପରାଗରେଣୁ ମାଇଫୁଲରେ ପଡୁନାହିଁ। ପରାଗଣ ହେଇନପାରି କଷି ଝଡ଼ି ଯାଉଛି।"
ଏତେକଥା ଭାବିବା ଭିତରେ ଆଉ ଦୁଇ ତିନୋଟି ପ୍ରଜାପତି ମଧ୍ୟ କେଉଁଠି ଥିଲେ ଆସିଯାଇଛନ୍ତି। ଦେଖୁଦେଖୁ ସବୁ ପ୍ରଜାପତି ଗୋଟିଏ ଗୋଟିଏ କଖାରୁଫୁଲ ଉପରେ ବସିଗଲେ।
ସୁମନର ମନ ଖୁସିରେ ଭରିଗଲା। ସତରେ କଅଣ ପ୍ରଜାପତି ତା` କଥା ଶୁଣିପାରିଲା। ସେ ଖୁସିରେ ଘରଭିତରକୁ ଦୈଡିଲା ମାମାଙ୍କୁ ଡାକି ଏ ଦୃଶ୍ୟ ଦେଖେଇବା ପାଇଁ।
∎

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
12-08-2026 / 15:52:04
ପିଲାଙ୍କ ପାଇଁ ଶିକ୍ଷଣୀୟ ଵିଷୟଟିର ଅଵତାରଣା କରିଛନ୍ତି ମାମ୍। ଭଲଲାଗିଲା। ଧନ୍ୟବାଦ।
Haripriya Pattnaik
05-08-2026 / 23:09:58
ମୋ ଗଳ୍ପ ପଢି ସଞ୍ଜୁକ୍ତା ଭଉଣୀ ଓ ଧନଞ୍ଜୟ ବାବୁ ମତାମତ ଦେଇଥିବାରୁ ଦୁଇଜଣଙ୍କୁ ଆନ୍ତରିକ ଧନ୍ୟବାଦ।
Sanjukta parichha
01-08-2026 / 17:14:28
ବଢିଆ ହେଇଛେ ଗପ ।
Dhananjaya swain
01-08-2026 / 16:12:29
If you could add few lines more on pollination, it would have been better. But small is beautiful. Bhala lagila.