କବିତା
ଆମେ

ସୂର୍ଯ୍ୟର ସମ ଝଳିବା ଆମେ
ଅଗ୍ନିର ସମ ଜଳିବା,
ପବନ ପରି ଛୁଟିବା ଆମେ
କୁସୁମ ପରି ଫୁଟିବା ॥
ମନ ଲଗାଇ ଖଟିବା ଆମେ
ମାଟିମା` ପାଦେ ଲୋଟିବା,
ସତ ପାଖରେ ଯୁଟିବା ସିନା
ମିଛ ପାଖରୁ ହଟିବା ॥
ନ୍ୟାୟର ବାଟ ଧରିବା ଆମେ
ପରୋପକାର କରିବା,
ହିଂସାଲୋଭକୁ ଛାଡିବା ଯଦି
ସୁଖରେ ଦିନ ସାରିବା ॥
ସାଗରେ ବୁଡି ଖୋଜିବା ଆମେ
ଆକାଶେ ଉଡି ହଜିବା,
ସାରା ଦୁନିଆ ଦେଖିବା ବୁଲି
କାହାଣୀ ତା`ର ଲେଖିବା॥
ଯବାନ୍ ପରି ଲଢିବା ଆମେ
ଅରାତି ଦେଶୁ ତଡିବା,
ନୂଆ ପ୍ରକାରେ ଗଢିବା ଦେଶ
ନୂଆ ପାଠ ଯେ ପଢିବା॥
ବନ୍ଧୁ ଭଳି ମିଶିବା ଆମେ
ଜହ୍ନ ଭଳି ହସିବା,
ଦୁଃଖୀ ମଣିଷ ଦୁଃଖର ସେହି
ଅନ୍ଧାର ଆମେ ନାଶିବା॥
ମହୁମାଛିର ତୁଲ ଯେ ଆମେ
ଜ୍ଞାନର ମଧୁ ସଂଚିବା,
ହସି ହସାଇ ଖୁସି ମନାଇ
ଜୀବନ ଆମ ବଂଚିବା॥
∎
ନୀଳାଦ୍ରିବିହାର
ଭୁବନେଶ୍ୱର

ଲେଖା ସମ୍ପର୍କୀୟ ମତାମତ