କବିତା
ପାଦେ ଦେବା ମଥା ନଇଁ

ମାଆ ନାମେ ଥାଏ କେତେଯେ ମମତା
କୋମଳ ସେ ମିଠା ସ୍ୱର
ସରଗର ସୁଖ ଅମୃତରେ ଭରା
ନିରିମଳ ବୁକୁ ଯାର l
ଦଶମାସ ଯାଏ ଗରଭେ ଧରିଛି
ଯେତେକ ଯାତନା ସହି
ଅନ୍ଧାର କବାଟ ଶିକୁଳି ଫିଟାଇ
ଦେଇଛି ଭୂଇଁରେ ଶୋଇ l
ସୁଧା ଭରା କ୍ଷୀର ଝରାଇ ଛାତିରୁ
ଦେଇଛି ପାଟିରେ ନେଇ
ଉଦର ପୂରାଇ ପିଠି ଆଉଁସିଛି
କଅଁଳ ଖରାରେ ଥାଇl
ମାଆ ଡାକ ଥରେ ବାଜିଲେ କାନରେ
ଭୁଲିଯାଏ ରାଗ ରୁଷା
ପେଟ ମୁହଁ ଦେଖି ପଢ଼ିପାରେ ସିଏ
ତା ପିଲା ମନର ଭାଷା l
ବାର ଓଷା ବ୍ରତ ମନ୍ଦିରେ ପ୍ରଦୀପ
ଜାଳେ ଉଜାଗର ରହି
ପରିବାର ପ୍ରତିବେଶୀ ହିତେ ଥାଏ
ନିଜ ଖୁସି ବଳିଦେଇ l
ଗାନ୍ଧାରୀ ମାଆ ସେ ପୁଣ୍ୟ ପଥେ ଥାଏ
ମଣେନା ଆପଣା ପର
ତା ଆଖିରେ ଦେଖେ ସଭିଙ୍କୁ ସମାନ
ଜୟ କହେ ଧରମର l
ସରଗର ସୁଖ ବାଣ୍ଟୁଛି ମରତେ
ସରବ ସହଣି ହୋଇ
ଯଶୋଦା ଅବା ସେ ଦେବକୀ ମାଆର ପାଦେ ଦେବା ମଥା ନଇଁ l
∎
ତେମଳା. ନନ୍ଦିପଦା. କେନ୍ଦୁଝର!

ଲେଖା ସମ୍ପର୍କୀୟ ମତାମତ
Snigdha priyadarshini Nayak
06-03-2026 / 08:32:23
The best poem. Many many congratulations
ମୋହନ କୁମାର ସ୍ୱାଇଁ
02-03-2026 / 18:10:23
ଭଲ ଲାଗିଲା କବିତା ଟି
ଶିବ ପ୍ରସାଦ ମିଶ୍ର
02-03-2026 / 15:12:10
ମାଆ - ମାଟିରୁ ଆକାଶ ଯାଏ ପରିବ୍ୟାପ୍ତ ଏକ ଅବର୍ଣ୍ଣନୀୟ ମମତାର ପରିଭାଷା। ଶ୍ରୀଯୁକ୍ତ ବେହେରାଙ୍କ ଶବ୍ଦଗୁଚ୍ଛ କେବଳ ଶିଶୁ ନୁହେଁ, ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କୁ ପ୍ରଭାବିତ କରିବ ନିଶ୍ଚୟ।
Amulya Kumar Jena
02-03-2026 / 13:25:10
Very niceful& practical feelings of human beings to the nature that reels glorious for all.Thanks alot to the poem concerned.
ରମାକାନ୍ତ ନାୟକ
01-03-2026 / 21:19:09
ମାଆ ସରଗଠାରୁ ଗରୀୟାନ l ମାଆପ୍ରତି ପିଲାମାନଙ୍କ ମନରେ ଗଭୀର ଭକ୍ତିଭାବନା ଉଦ୍ରେକକାରୀ ଏହି କବିତାର ସରଳ ଭାଷା ଓ ତରଳ ଭାବ ଶିଶୁମାନଙ୍କ ହୃଦୟରେ ରେଖାପାତ କରିବାରେ ସମର୍ଥ ହେବ l