Skip to content
ଶିଶୁ କିଶୋର

ଗପ

ଚନ୍ଦାମାମୁଙ୍କର ରୋବଟ୍ ଡର

ଚନ୍ଦାମାମୁଙ୍କର ରୋବଟ୍ ଡର

ଆମ ସ୍ମାର୍ଟ ସିଟିରେ ବଟ୍ ରୋବଟ କାଫେରେ ଭାରି ଭିଡ଼। ଦଶରା ଭିଡ଼, ରାସ୍ତାରେ ଭିଡ଼, ଖେଳ ପାଇଁ ଭିଡ଼। ଖାଇବା ପାଇଁ ଭିଡ଼ ନ ହେବ କେମିତି? ଭିଡ଼ରେ ଗୋଟାଏ ବଡ଼ କାରଣ ଅଛି। କାଫେକୁ ଆସିଛନ୍ତି ଡଲି ଆଉ ମଲ୍ଲୀ। ଡଲି ସ୍କଟ ପିନ୍ଧିଛି। ମଲ୍ଲୀ ମ୍ୟାକ୍ସି। ଏମାନେ ରୋବଟ୍ ଗାର୍ଲ। କୁଆଡ଼େ ଭାରି ବିଶ୍ୱସ୍ତ। ଯନ୍ତ୍ର ପିତୁଳା ହେଲେ ବି କଥା ଶୁଣନ୍ତି, ବୁଝନ୍ତି। ବରାଦ ମୁତାବକ ଖାଇବା ନେଇ ଆସନ୍ତି ଓ ଚିକ୍କଣ ଟେବୁଲ ଉପରେ ପରଷି ଦେଇ ଯାଆନ୍ତି। ଟେବୁଲ ସଫା ହୋଇ ନଥିଲେ ଖାଇବା ଧରି ଠିଆ ହେବେ। ସତରେ କେଡ଼େ ଭଦ୍ର ୱେଟର ଦିହେଁ। ଆମ ଚନ୍ଦାମାମୁଁଙ୍କର ଖାଇବାରେ ଭରି ସଉକ। ମାଇଁକୁ ଧରି ଯାଇଥିଲେ `ବଟ୍ ରୋବଟ` କାଫେକୁ। ଗୋଟେ ଟେବୁଲ ପାଖେ ବସିଗଲେ। ଟେବୁଲ୍ ସଫା ହୋଇନଥାଏ। ଆଗକୁ ଆସି ଚାଲିଯାଇଥିବା କାହାରି ଥାଳି ଓ ଗିନା ଟେବୁଲ ଉପରେ ଥାଏ।

ମାଇଁ କହିଲେ ଟେବୁଲ ସଫା କରିବାକୁ କାହାକୁ ଡାକ। ଡାକିଲେ ଡଲିକୁ। ଡଲି ଧୀରେ ଧୀରେ ପାଖକୁ ଆସିଲା ଓ ବଡ଼ ମିଠା କଣ୍ଠରେ କହିଲା, ହାଲୋ, କୁହନ୍ତୁ କ`ଣ ସେବା କରିପାରିବି? ମାଇଁ କହିଲେ ଟେବୁଲଟା ସଫା କରି ଦିଅ। ଡଲି ଚୁପ୍ ରହିଲା। ଚନ୍ଦା ମାମୁ କହିଲେ ସେ ପରା ରୋବଟ୍ଟିଏ। ତା ଭିତରେ ଯାହା ପ୍ରୋଗ୍ରାମିଂ ହୋଇଥିବ ସେ ତାହା ହିଁ କରିବ। ଟେବୁଲ ସଫା ଦାୟିତ୍ୱ ତାହାର ନୁହେଁ। ସେ ତେଣୁ ଚିକେନ୍ ସୁଇଟ୍ କର୍ଣ୍ଣ, ସୁପ୍ ଆଣିବାକୁ କହିବା କ୍ଷଣି ଡଲି ଧୀରେ ଧୀରେ ଚାଲିଗଲା। କିଛି ସମୟ ପରେ ସୁପ୍ ନେଇ ଫେରିଆସିଲା। ସୁପ୍ ଗରମ ଥାଏ। ଚିକେନ୍ରେ ସତ୍ୟ ପ୍ରସ୍ତୁତ ହୋଇଥିଲା। ବାମ୍ଫ ବାହାରୁଥିଲା।

ଡଲି ଆସି କିଛି ସମୟ ଠିଆ ହେଲା। ବାଁକୁ, ଡାହାଣକୁ ଟିକେ ବୁଲି ଚାହିଁଲା। ଦେଖିଲା ଟେବୁଲ ସଫା ହୋଇ ନାହିଁ। ସଫା ହୋଇଥିବା ଚିକ୍କଣ ଟେବୁଲ ଉପରେ ହିଁ ସେ ସୁପ୍ ରଖିବ। ତା` ସ୍କ୍ରିନ୍ରେ ମାମୁଁଙ୍କର ଚନ୍ଦାମୁଣ୍ଡ ଦିଶିଲା। ମାମୁଁଙ୍କର ମୁଣ୍ଡ ପୁରା ଚନ୍ଦା। ଖୁବ୍ ଚିକ୍କଣ ଦିଶୁଥାଏ।

କିଛିକ୍ଷଣ ପରେ ଡଲି ସୁପ୍ ଦୁଇକପ୍କୁ ମାମୁଁଙ୍କ ଚିକ୍କଣ ମୁଣ୍ଡ ଉପରେ ଥାଇଦେଲା। ଗରମ ସୁପ୍ ତାଙ୍କ ମୁଣ୍ଡ ଉପରେ ଢାଳିଗଲା। ମାମୁଁ ବିକଳରେ ଉଠି ପଡ଼ିଲେ। ମାଇଁ ପାଟି କଲେ କହିଲେ, `ଏ ଡଲିଟାର ବୁଦ୍ଧିଶୁଦ୍ଧି ନାହିଁ ନା କ`ଣ? ଟେବୁଲ ଉପରେ ସୁପ୍ ନ ରଖି ୟାଙ୍କ ଚନ୍ଦାମୁଣ୍ଡରେ ରଖିଦେଲା କେମିତି ହୋ।

କାଫେରେ ହଟ୍ଟଗୋଳ ଆରମ୍ଭ ହୋଇଗଲା। ମାମୁଁଙ୍କ ପାଖକୁ ଲୋକେ ଧାଇଁ ଆସି କପଡ଼ାରେ ସୁପ୍ଗୁଡ଼ାକୁ ପୋଛି ପକାଇଲେ। ଡଲି କହୁଥାଏ, ସରି! ସୁପ୍ ବେଶି ହଟ୍ ଥିଲା କି?

ମ୍ୟାନେଜର ଧାଇଁ ଆସି ତୁରନ୍ତ ଆଶୁ ଚିକିତ୍ସାର ବ୍ୟବସ୍ଥା କଲେ। ମାମୁଁଙ୍କ ଡାକ୍ତରଖାନା ପଠେଇ ଦିଆଗଲା। ମାଇଁ କାଫେ ବାଲାଙ୍କୁ ଗାଳି ଦେଇ ବାହାରି ଆସିଲେ।

ଜଣେ ପଚାରିଲେ ଏମିତି ଅଘଟଣ ହେଲା କାହିଁକି? ମ୍ୟାନେଜର ମୁଣ୍ଡକୁ ତଳକୁ କରି କହିଲେ `ଆଜ୍ଞା! ଚିକ୍କଣ ସ୍ଥାନ ଉପରେ ଖାଦ୍ୟ ପରଷିବା ପାଇଁ ପ୍ରୋଗ୍ରାମିଂ ହୋଇଥିଲା। ଡଲି ତ ରୋବଟଟିଏ। ଚନ୍ଦାମୁଣ୍ଡ ପୁଣି ଚିକ୍କଣ ଚନ୍ଦା ସ୍ଥାନକୁ ସେ ଚିକ୍କଣ ଓ ସଫା ଟେବୁଲ ଭାବି ଏମିତି ଅଘଟଣ କରିଦେଇଛି। ଆମେ ତାକୁ ସୁଧାରି ନେବୁ। ଆମେ ଏଥିପାଇଁ ଦୁଃଖିତ।

ଚନ୍ଦା ମାମୁଁ ୟା ଭିତରେ ସୁସ୍ଥ ହୋଇ ଗଲେଣି। ବେକ ତଳୁ ପୋଡ଼ାଦାଗ ଲିଭିନି। ତାଙ୍କୁ କେହି ବର୍ଟ ରୋବଟ କାଫେକୁ ଡାକିଲେ କହନ୍ତି କାଫେକୁ ଯିବି, କିନ୍ତୁ ବଟ୍ ରୋବଟ୍ ପାଖକୁ ଯିବି ନାହିଁ। ଯନ୍ତ୍ର ମଣିଷ କି ମଣିଷ ହୋଇପାରିବ?

କବିତା ଭବନ, ପ୍ଲଟ ନଂ ୧୧୩/୩୩୯୧

ଜୟଦେବ ବିହାର, ଭୁବନେଶ୍ୱର-୧୩

ମୋବାଇଲ : ୯୪୩୭୦୯୧୮୪୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ଜାନୁୟାରୀ:୨୦୨୪ , ପ୍ରଥମ ବର୍ଷ : ପ୍ରଥମ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

ହରିପ୍ରିୟା ପଟ୍ଟନାୟକ।

29-01-2024 / 17:16:07

ସୁନ୍ଦର ,ଯୁଗୋପଯୋଗୀ ଲେଖା।

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion