କବିତା
ଜିଣିବ ସବୁରି ମନ

କଳା କଟ କଟ ରୂପ ସିନା ତାର
କଣ୍ଠରୁ ଝରଇ ମହୁ
କାହା ମନ କୁହ ଚହଲି ଯାଏନି
ଶୁଣିଲେ ତା କୁହୁ କୁହୁ?
ଫଗୁଣ ମାସରେ ବଉଳରେ ଯେବେ
ମଣ୍ଡି ହୁଏ ସହକାର
ମନ ମଉଜ ରେ ଗୀତ ବୋଲିଥାଏ
ପତର ଉଢ଼ାଳୁ ତାର।
ଜଗତେ ଅଛନ୍ତି ବିଭିନ୍ନ ରଙ୍ଗ ର
ସୁନ୍ଦର କେତେ ପକ୍ଷୀ
କଣ୍ଠସ୍ବର କା`ର ହୋଇକି ପାରିଛି
ତାହା ପରି ମନଲାଖି?
ରୂପ ର ଚମକ ଅଢେଇ ଦିନିଆଁ
ନିଶ୍ଚୟ ହୋଇବ ନାଶ
ଅଥଚ ଆମର ଗୁଣ ର ମହକେ
ଚହଟଇ ଚଉଦିଶ।
ସ୍ୱରର ଯାଦୁରେ ଲତା ମଙ୍ଗେଶକର୍
ଥିଲେ ବୋଲି ବଶକରି
ଶରଧା ରେ ତେଣୁ କୁହନ୍ତି ସଭିଏଁ
କୋକିଳ କଣ୍ଠୀ ବୋଲି।
ରୂପ ନୁହେଁ ପିଲେ ଗୁଣ ଥିଲେ ସିନା
ଜିଣିବ ସବୁରି ମନ
କଳା କୋଇଲି ଟି ନୁହେଁ କି ଏହାର
ସାର୍ଥକ ଉଦାହରଣ ?
∎
ମଣ୍ଡୁଆ,କେନ୍ଦୁଝର ଗଡ
ମୋ -୯୪୩୭୭୫୨୩୯୫

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
29-05-2026 / 15:51:28
ଭାରି ଭଲଲାଗିଲା କବିତାଟି।
ମୁରଲୀଧର ବେହେରା
02-05-2026 / 17:45:51
ପିଲା ମାନଂକ ପାଇଁ ବରିଷ୍ଠ ସାରସ୍ଵତ ସ୍ରଷ୍ଟା ଙ୍କ ଲେଖନୀ ମୁନରୁ ନିଃସୃତ କବିତା "ଜିଣିବ ସବୁରି ମନ"ଖୁବ୍ ହୃଦୟସ୍ପର୍ଶି। ଶିକ୍ଷଣୀୟ ଶିଶୁ କବିତା ଟି କୋମଳ ମତି ଶିଶୁଙ୍କ ମନକୁ ଛୁଇଁବ ନିଶ୍ଚୟ।
ଉମାକାନ୍ତ ବେହେରା
01-05-2026 / 11:34:56
ସୁନ୍ଦରକବିତା, ଶିକ୍ଷଣୀୟ ମଧ୍ୟ