କବିତା
ଆମ ଗାଁ ବରଗଛ

ଗାଁ ମୁଣ୍ଡେ ଅଛି ଗୋଠ
ଗାଈ ଗୋରୁଙ୍କର ହାଟ
କଅଁଳା ବାଛୁରୀ ନାଟ
ଗାଈଆଳ ହାତେ ଛାଟ
କେଉଁକାଳୁ ଅଛି ବୁଢା ବରଗଛ
କେତେକ କହନ୍ତି ବଟ l
ଗଛର ବୟସ ନେଇ
କାହାରିକୁ ଜଣା ନାହିଁ
ବାପାଙ୍କୁ ପଚାର କାହିଁ
ଜେଜେ କଲେ ନାଇନାଇଁ
ବୟସ କଅଣ ଜାଣିବା ଜରୁରୀ
ସାଥିଟିଏ ଆମ ପାଇଁ l
କଟିଛି ମୋ ପିଲାଦିନ
ପାଠରେ ନଦେଇ ମନ
ସାଙ୍ଗ ହୋଇ କେତେ ଜଣ
ଡାଳକୁ କରି ଝୁଲଣ
ତଳକୁ ଡ଼େଇଁକି ଆନନ୍ଦ ନେଇଚୁ
ଗଛଟା ଲାଗେ ଜୀଵନ l
ଖରାବେଳେ ଦେଖି ଛାଇ
ଥକା ମେଣ୍ଟେଇବା ପାଇଁ
ଅଟକି ଯାଏ ବାଟୋଇ
ବସୁ ବସୁ ପଡେ ଶୋଇ
ବହଳ ପତର କଅଁଳ ଛାଇକୁ
ସୁଲୁ ସୁଲୁ ବାଆ ପାଇ l
ବରଷା ହେଲେ ଅକାଳେ
ମୋଟାମୋଟା ବାହୁ ତଳେ
ଘଡିଏ ଅଟକି ଗଲେ
ଭିଜିବାରୁ ରକ୍ଷା ମିଳେ
ଖରା ବରଷାର ସାଥୀ ଟିଏ ସିଏ
ଭାଗ୍ୟରେ ଥିଲେ ମିଳେ l
ପାକିଟିରେ ବାଟି ଧରି
ପାଟିରେ ଶୁଶୁରି ମାରି
ଖରାକୁ ଟିକେ ନଡରି
ଗଛମୂଳେ ପଡେ ହୁରି
ମାଆ ଙ୍କର ଗାଳି ବାପାଙ୍କର ବାଡ଼ି
ସବୁ ଦେହସୁଆ କରି l
କେତେ ଜାତି ଜାତି ପକ୍ଷୀ
ନିଜ ପାଇଁ ବସା ରଖି
ନାଲି ଫଳ ଚାଖି ଚାଖି
ଆପଦ ବିପଦ ଦେଖି
ଚଗଲା ମହନା ଅଠା କାଠି ମାରେ
କାଢି ଦେଉଁ ଦେଖି ଦେଖି l
ସେଇଗଛ ଏବେ ଅଛି
ଓହଳ ଝୁଲି ରହିଛି
ଗାଁ କୁ କିଏ ଆଉଚି
ସ୍ମୃତି ଯା ବଂଚି ରହିଛି
ସହରିଆ ମନ ଗାଁ ର ଜୀଵନ
ବାରି ହୋଇ ଯାଉଅଛି l

ଲେଖା ସମ୍ପର୍କୀୟ ମତାମତ
Mohan Kumar swain
11-02-2026 / 18:57:20
ଖୁବ୍ ଭଲ ଲାଗିଲା କବିତା ଟି
ଶରତ କୁମାରୀ ସ୍ଵାଇଁ
04-02-2026 / 20:09:02
ଚମତ୍କାର,ଶିଶୁ ମନଛୁଆଁ କବିତା ଟିଏ। ନମସ୍କାର ସହ ଧନ୍ୟବାଦ ଜଣାଉଛି।
କୀର୍ତ୍ତନ ସାହୁ
03-02-2026 / 14:52:49
ବହୁତ ବଢିଆ ହେଇଛି ।
ହରିପ୍ରିୟା ପଟ୍ଟନାୟକ
02-02-2026 / 23:08:35
ବହୁତ ଭଲଲାଗିଲା କବିତାଟି।