Skip to content
ଶିଶୁ କିଶୋର

ଗପ

ପଶୁଙ୍କ ଚାଟଶାଳୀ ଗଲା ଫସର ଫାଟି

ପଶୁଙ୍କ ଚାଟଶାଳୀ ଗଲା  ଫସର ଫାଟି

ପଶୁଙ୍କ ଚାଟଶାଳୀ ଖୋଲାଯିବା ଘୋଷଣା ପର ଦିନ ଠିକ୍ ସକାଳ ଦଶଟା ବାଜିବା ପୂର୍ବରୁ ଝରଣା କୂଳ ପଡିଆରେ ପିଲାମାନଙ୍କ ସହିତ ପିତାମାତାଙ୍କ ଗହଳି ବଢ଼ିଗଲା । ସମସ୍ତେ ନିଜ ନିଜ ପିଲାଙ୍କୁ ସ୍କୁଲରେ ଛାଡିବାକୁ ଆସିଥାନ୍ତି । ହାତୀ ଗେଟ ପାଖରେ ଛିଡା

ହୋଇ କେବଳ ପିଲାମାନଙ୍କୁ ସ୍କୁଲ ଭିତରକୁ ଛାଡିଲା । ପିଲାମାନେ ନିଜ ବାପାମାଆଙ୍କୁ ଛାଡ଼ି କାନ୍ଦି କାନ୍ଦି ସ୍କୁଲ ଭିତରକୁ ଗଲେ । ପଶୁପକ୍ଷୀଙ୍କ ସାବକମାନଙ୍କ କେଁ କାଁ, ଭେଁ ଭାଁ, ଖେଁ ଖାଁ ଓ ଘୋ ଘାରେ ସ୍କୁଲ ପରିସର କମ୍ପମାନ ହେବାକୁ ଲାଗିଲା । ନିଜ ମନକୁ ବୁଝାଇ ସମସ୍ତ ପିତାମାତା ନିଜ ନିଜ ଘରକୁ ବାହୁଡି ଗଲେ ।

ଯେଊଁମାନଙ୍କ ଘର ଦୂର ସେମାନେ ଟିକିଏ ଦୂରକୁ ଯାଇଁ ନିଜ ପିଲାଙ୍କୁ ସାଙ୍ଗରେ ନେବା ପାଇଁ ଅପେକ୍ଷା କରି ରହିଲେ ।

ଚାହୁଁ ଚାହୁଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ାଇବା ପାଇଁ ଗୋଟିଏ ଗୋଟିଏ ଗଛ ମୂଳରେ ବସିଗଲେ । ପିଲାମାନେ ନିଜ ନିଜ ସ୍ଥାନରେ ବସିବା ସହିତ ଖାତା କଲମ ବାହାର କରି ବସିଲେ । ପ୍ରଧାନ ଶିକ୍ଷକ ପିଅନକୁ କହି ପ୍ରାର୍ଥନା ବେଲ୍ ବଜାଇ ଦେଲେ ।

ସମସ୍ତେ ନିଜ ନିଜ ସ୍ଥାନରେ ଠିଆ ହୋଇ ମାଇକ୍‌ରେ ବୋଲା ଯାଉଥିବା ପ୍ରାର୍ଥନା ଉଚ୍ଚାରଣ କରି ଗାଇବାକୁ ଚେଷ୍ଟା କଲେ । ତା ପରେ ସମସ୍ତେ ସେଇ ଅନୁଯାୟୀ ମନେ ମନେ ବା ପାଟି କରି ପ୍ରାର୍ଥନା ଗାଇଲେ । ପ୍ରାର୍ଥନା ସରିଲା ପରେ ପାଠ ପଢ଼ା ଆରମ୍ଭ ହେଲା । ପାଠ ପଢ଼ା ପୂର୍ବରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାମାନଙ୍କୁ ସେମାନଙ୍କ ନାମ ପଚାରି ନିଜ ନିଜ ରୋଲ୍‌ ନମ୍ବର କହିଦେଲେ । ଉପସ୍ଥାନ ଖାତାରେ ସମସ୍ତଙ୍କ ନାମ ଦେଖି ପିଲାମାନେ ଖୁସି ହେଲେ । ତା ପରେ ପାଠ ପଢ଼ା ଆରମ୍ଭ ହେଲା । ଜୀବନରେ କେବେ ସ୍କୁଲ ମାଡି ନଥିବା ପଶୁ ପକ୍ଷୀ ସାବକମାନେ ପରସ୍ପର ମଧ୍ୟରେ କଳି ଝଗଡ଼ା ଆରମ୍ଭ କରିଦେଲେ । କିଏ କାହାକୁ ଖୁମ୍ପିଲାଣି ତ କିଏ କାହାକୁ ପାଖରେ ବସାଇ ନଦେବା ପାଇଁ ଜିଦ୍ ଧରି ବସିଲାଣି । ଏହି ସବୁ କଥା ଦେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କଲେ । ହେଲେ କଣ ହେବ? କେହି କାହା କଥା ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।

ଏହା ଦେଖି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଗରମ ହୋଇଗଲା । ସେମାନେ ସମସ୍ତଙ୍କୁ ଅଲଗା ଅଲଗା ସ୍ଥାନରେ ବସିବା ପାଇଁ ମାଇକ୍‌ରେ ଘୋଷଣା କଲେ । ବିଲୁଆ ମନ୍ତ୍ରୀ ବି ସ୍କୁଲର ଅବସ୍ଥା ଦେଖି ବିଚଳିତ ହୋଇ ପଡିଲେ । ଯେତେ ବୁଝାବୁଝି କଲେ ବି ଶାବକମାନେ କାହାରି କଥା ଶୁଣିବା ପାଇଁ ପ୍ରସ୍ତୁତ ହେଲେ ନାହିଁ । ଚିଁ ଚାଁ, ଭେଁ ଭାଁ ଶବ୍ଦରେ ଖଣ୍ଡ ମଣ୍ଡଳ କମ୍ପିବାରେ ଲାଗିଲା । କଥା ଯାଇଁ ଭାଲୁ ରାଜାଙ୍କ କାନରେ ପଡିଲା । ରାଜା ଅବସ୍ଥା ନୀରିକ୍ଷଣ କରିବା ପାଇଁ ସ୍କୁଲରେ ଆସି ପହଞ୍ଚି ଗଲେ । ସ୍କୁଲର ପରିସ୍ଥିତି ଓ ଅବସ୍ଥା ଦେଖି

ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ପିଲାମାନଙ୍କୁ ଆଜି ଦିନଟି କିପରି ସମ୍ଭାଳି ରଖିବେ ସେଥିପାଇଁ ସମସ୍ତଙ୍କୁ ଚେଷ୍ଟା କରିବା ପାଇଁ ଅନୁରୋଧ କଲେ ।

ଏ ଭିତରେ ମାଡଗୋଳ ହୋଇ ହରିଣ ଛୁଆର ଗୋଡ ଭାଙ୍ଗି ଯାଇଥିଲା । ସେ ଭୋ ଭୋ ହୋଇ ଖାଲି କାନ୍ଦୁଥିଲା । ଅନ୍ୟ ହରିଣ ଛୁଆ ନିଜ ସାଙ୍ଗର ଏପରି ଅବସ୍ଥା ଦେଖି ସମସ୍ତଙ୍କୁ ମୁଣ୍ଡିଆ ମାରି ଲହୁ ଲୁହାଣ କରି ପକାଉଥାନ୍ତି । ରାଜା ଭାଲୁ ସେଠାରେ ପହଞ୍ଚି ହରିଣ

ଛୁଆଟିକୁ ସଙ୍ଗେ ସଙ୍ଗେ ପଶୁମାନଙ୍କର ବଇଦ ବଣ ଓଧ ପାଖକୁ ପଠାଇ ଦେଲା । ବଇଦ ହରିଣ ଗୋଡରେ ଚେରମୂଳିର ଲେପ ଦେଇ ପଟି ବାନ୍ଧି ଦେବାରୁ ହରିଣ ଛୁଆକୁ ଟିକେ ଭଲ ଲାଗିଲା । ତାର କାନ୍ଦ ବନ୍ଦ ହୋଇଗଲା । ସେହିପରି କଜଳପାତି ଛୁଆକୁ କାଉ ଛୁଆ ଖୁମ୍ପି ଖୁମ୍ପି ଖଣ୍ଡିଆ ଖାବରା କରିଦେଲା । ବଣି ଚଢ଼େଇ ଛୁଆ ଓ ବାଇ ଚଢ଼େଇ ଛୁଆ ବି ପରସ୍ପର ଭିତରେ ଝଗଡ଼ା ଲାଗିଗଲେ । ବଣ ଭୂଆଁ ଛୁଆ କୁନି କୁନି ପକ୍ଷୀମାନଙ୍କୁ ଖାଇବା ପାଇଁ ଟାକି ବସିଲା । ହେଲେ ପକ୍ଷୀ ଶାବକମାନେ ଏହା ଜାଣି ପାରି ଡରି ଡରି ତା ପାଖରୁ ଦୂରେଇ ଗଲେ ।

ସ୍କୁଲର ଏପରି ଅବସ୍ଥା ଦେଖି ରାଜା, ମନ୍ତ୍ରୀ ଓ ପ୍ରଧାନ ଶିକ୍ଷକଙ୍କର ଅକଲ ଗୁଡମ୍ । କ`ଣ କରିବେ ନ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ପାଠ ପଢ଼ିବା ଆମ ଦେଇ ହେବ ନାହିଁ ବୋଲି ସେମାନେ ସ୍ଥିର କଲେ ଯଦି ଆଉ ଗୋଟିଏ ଦିନ ସ୍କୁଲ ଚାଲିବ ତା ହେଲେ ନିଶ୍ଚୟ ଝରଣା କୂଳ ପଡିଆରେ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଯିବ । ଆଜି ସିନା ପିଲାମାନଙ୍କ ଭିତରେ ଝଗଡ଼ା ଲାଗୁଛି କାଲିଠୁ ବାପାମାଆଙ୍କ ଭିତରେ ଲଢ଼େଇ ଲାଗିଯିବ । ଏଣୁ ମହାଭାରତ ଯୁଦ୍ଧ ହେବା ଆଗରୁ ରାଜା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ କରିଦେବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଲେ । ପ୍ରଧାନ ଶିକ୍ଷକ ସଙ୍ଗେ ସଙ୍ଗେ ସ୍କୁଲ ଛୁଟି ହେବାର ବହୁ ପୂର୍ବରୁ ଛୁଟି ଘନ୍ଟା। ବଜାଇ

ସ୍କୁଲ ଛୁଟି କରିଦେଲେ । ଯାହାର ପିତାମାତା ଉପସ୍ଥିତ ଥିଲେ ସେମାନେ ନିଜ ନିଜ ପିଲାଙ୍କୁ ଧରି ଘରକୁ ଫେରି ଗଲେ । ଯାହାର ପିତାମାତା ଘରକୁ ପଳାଇ ଯାଇଥିଲେ ସେମାନଙ୍କୁ ଖବର ଦିଆଗଲା ଆସି ନିଜ ନିଜ ପିଲାଙ୍କୁ ନେଇ ଯିବାକୁ । ବିଲୁଆ ମନ୍ତ୍ରୀ ରାଜାଙ୍କୁ କହିଲେ ଯେତିକି ଗଙ୍ଗା ଗଲୁ ସେତିକି ଫଳ ପାଇଲୁ । ଆଉ ଜୀବନରେ କେବେ ପାଠ ପଢ଼ିବା ନାଆଁ ଆମେ ଧରିବା ନାହିଁ । ଏ

ସବୁ ମଣିଷମାନଙ୍କ କାମ । ଆମ ପଶୁ ମାନଙ୍କର ନୁହେଁ ବୋଲି ଭାଲୁ ସମସ୍ତଙ୍କୁ କହିଦେଲେ । 

∎
ସାହିତ୍ୟିକ ଓ ଶିକ୍ଷାବିତ୍‌
କୁସୁପୁର, କୁଆଁପାଳ-୭୫୪୨୦୪
କଟକ(ଓଡ଼ିଶା)
ମୋ : ୯୪୩୭୫୨୬୨୦୧

ପିଲାଙ୍କ ପାଇଁ ଲେଖା - ବରିଷ୍ଠଙ୍କ କଲମରୁ · ( ମାର୍ଚ୍ଚ:୨୦୨୫ , ଦ୍ଵିତୀୟ ବର୍ଷ : ତୃତୀୟ ସଂଖ୍ୟା ରେ ପ୍ରକାଶିତ )

ଲେଖା ସମ୍ପର୍କୀୟ ମତାମତ

Jayakrushna Sahu

10-03-2025 / 20:02:53

ପଶୁ ପକ୍ଷୀଙ୍କୁ ନେଇ ସୁନ୍ଦର ଗପଟିଏ ଲେଖିଛନ୍ତି। ଭଲଲାଗିଲା।

ଲଷ୍ମୀ କାନ୍ତ ଖୁଣ୍ଟିଆ

01-03-2025 / 11:50:54

ପଶୁପକ୍ଷୀ ଙ୍କୁ ନେଇ ଏଇ ଗପ ଟି ଭଲ ଲାଗିଲା. ବସନ୍ତ ଭାଇ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଏହି ରଚନା ଉପରେ ଆପଣଙ୍କ ମତାମତ ଦିଅନ୍ତୁ

ଆପଣଙ୍କ ନାମ / Name

ଆପଣଙ୍କ ଇମେଲ / ଫୋନ -Email or Phone No (the information will be not disclosed)

ଆପଣଙ୍କ ମତାମତ / Opinion