ଗପ
ଶିଷ୍ଟ ବଣି ଓ ଦୁଷ୍ଟ ବାଇଚଢେଇର କଥା

ତାଳ ଗଛ କୋରଡରେ ବଣି ଚଢେଇ ତା` ଛୁଆଙ୍କୁ ନେଇ ଯେମିତି ଖୁସିରେ ଥାଏ,ବାହୁଙ୍ଗାରେ ଝୁଲୁଥିବା ବାଇ ଚଢେଇ ମଧ୍ଯ ଆନନ୍ଦରେ ରହୁଥାଏ ତା` ଛୁଆ ମାନଙ୍କ ମେଳରେ। ଉଭୟଙ୍କ ମଧ୍ଯରେ ସଂପର୍କ ବି ଖୁବ୍ ନିବିଡ ଥାଏ।
ମା` ବଣି ତା` ଛୁଆଙ୍କୁ ପ୍ରତିଦିନ ହିତ କଥା ମାନ କହେ।ଅନ୍ଯ ମାନଙ୍କୁ ହିଂସା ନ କରି ଭଲ ପାଇବା, ଆପଣେଇବା ପାଇଁ ଉପଦେଶ ଦିଏ। ପ୍ରତିଦିନ ସକାଳ ସଂଜରେ ଠାକୁର ଙ୍କୁ ପ୍ରାର୍ଥନା କରିବା ଓ ଗୁରୁଜନଙ୍କୁ ପାଦ ଛୁଇଁ ନମସ୍କାର କରିବା ଶିଖାଏ।
କିନ୍ତୁ ବାଇ ଚଢେଇ ର ଛୁଆ ମାନେ ଏ ସବୁକୁ ଗ୍ରହଣ କରନ୍ତି ନାହିଁ। ମା` କଥାକୁ ଶୁଣି,ନ ଶୁଣିଲା ଭଳି ବ୍ଯବହାର କରନ୍ତି।
ସେଦିନ ବଣି ଓ ବାଇ ଚଢେଇ ମା` ଦୁହେଁ ଅଧାର ଖୋଜିବାକୁ ଉଡି ଯାଇଥିଲେ ବସା ଛାଡି।ଏଇ ସୁଯୋଗରେ ବାଇଚଢେଇର ଛୁଆମାନେ ବଣିଛୁଆ ମାନଙ୍କ ସହିତ କେବଳ ଯେ ଝଗଡା କଲେ ତା ନୁହେଁ,ସେମାନଙ୍କୁ ଥଣ୍ଟରେ ଖୁମ୍ପି ରକ୍ତ ବାହାର କରିଦେଲେ। କିଛି ସମୟ ପରେ ମା` ବଣି ବସାକୁ ଫେରି ଦେଖିଲା ଛୁଆଙ୍କର ଏମିତି ଅବସ୍ଥା। ଛୁଆମାନେ କାନ୍ଦି କାନ୍ଦି ମା` କୁ କହିଲେ ତାଙ୍କ ମା` ତ ଫେରି ନାହାନ୍ତି; ତମେ ଆସ ଆମେ ସେମାନଙ୍କୁ ଆକ୍ରମଣ କରିବା। ମା` ବଣି ଆଖିରୁ ଲୁହ କେଇଟୋପା ଗଡି ପଡିଲା ଛୁଆଙ୍କ କଅଁଳ ଓଠର କଥା ଶୁଣି।ସିଏ ତା` ଛୁଆଙ୍କୁ ବୋଧ ଦେଇ ଅନେକ ବୁଝାଇଲା ଓ ଆଣିଥିବା ଅଧାର ତାଙ୍କ ଥଣ୍ଟରେ ଗୁଞ୍ଜିଦେଇ ଶ୍ରଦ୍ଧାରେ କୋଳେଇ ନେଲା।
ସେତେବେଳକୁ ମା` ବାଇଚଢେଇ ପହଞ୍ଚି ଯାଇଥିଲା ତା` ବସାରେ ।ତା` ଛୁଆଙ୍କୁ ଅଧାର ଖୁଆଇ କଥା ବି ହେଲା । କିନ୍ତୁ ବଣିକୁ କିଛି ବି ପଚାରିଲା ନାହିଁ।
ତହିଁଆରଦିନ ସକାଳେ ବଣି ତା` ଛୁଆଙ୍କୁ ପିଠିରେ ବୋହି ଅନ୍ଯ ଠାଆକୁ ଉଡିଯିବା ପାଇଁ ପ୍ରସ୍ତୁତ ହେବାର ଜାଣି, ବାଇଚଢେଇର ଛୁଆ ଦୁହେଁ ଧାଇଁଆସି ବଣି ମା` ଓ ଛୁଆ ମାନଙ୍କୁ ପାଦ ଧରି କ୍ଷମା ମାଗିଲେ।ଅନ୍ଯ ଆଡେ ନ ଯାଇ ପୂର୍ବ ଭଳି ଏଇଠି ରହିବାକୁ ଅନୁରୋଧ କଲେ।
ସେମାନଙ୍କ ଅନୁରୋଧକୁ ଏଡି ନ ଦେଇ ବଣି ଓ ତା`ର ଛୁଆ ମାନେ ସେଇ ଗଛ କୋରଡରେ ଅଛନ୍ତି ।ଏବେ ସେମାନେ ଉଡା ଶଖିଥିଲେ ବି ପୂର୍ବପରି ମା`ର କଥା ବୋଲ ମାନି ଚଳୁଛନ୍ତି ।କିନ୍ତୁ ବାଇଚଢେଇର ଛୁଆ ମାନଙ୍କ ବ୍ଯବହାରରେ ସେମିତି କିଛି ପରିବର୍ତ୍ତନ ହେଇ ନ ଥିବାରୁ ସେମାନେ ଅନ୍ଯ ମାନଙ୍କ ପାଖରୁ ସ୍ନେହ ଶ୍ରଦ୍ଧା ପାଇବାରୁ ବଞ୍ଚିତ।
∎
ସଭାପତି,ଉତ୍କଳମଣି ଶିଶୁ ସାହିତ୍ୟ ସମିତି
ଶଂଖୋ,କେନ୍ଦୁଝର।
ମୋ-9437751733

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 11:49:10
ପ୍ରୟାସ ଅତି ଉତ୍ତମ। ଆଗକୁ ବହୁତ ଭଲ ଲେଖା ଲେଖନ୍ତୁ ମହାଶୟ। ଗୋଟେ କଥା ଶ୍ରଦ୍ଧା ପୂର୍ବକ ନିବେଦନ କରିବି। ଆଶା ବିଶ୍ବାସ ଓ ଭରସା ସକାରାତ୍ମକ ଭାବ ନେଇ ଗ୍ରହଣ କରିବେ। ଆମେ ବୁଝି ନପାରିଲେ ବି ଚଢେଇମାନେ ଯେହେତୁ ଶବ୍ଦ କରନ୍ତି ତେଣୁ ତାଙ୍କ ଭାଷାରେ କଥା ହେଉଛନ୍ତି କହି ପାରିବା। କିନ୍ତୁ ଶିଶୁପକ୍ଷୀକି ତାମାଆ ପାଦଛୁଇଁ ମୁଣ୍ଡିଆମାରିବା କଥା ଉପଦେଶ ଦେଲା। ଏଇଟା ଟିକେ ଅଧିକ ହେଇଗଲାନି କି? ଭାବିବେ ଟିକେ। ଗୁରୁଜନଙ୍କ କଥା ମାନିବା ସେମାନଙ୍କୁ ସମ୍ମାନ ଦେବାଯାଏଁ ପୁରା ଠିକ୍। ଆପଣ ବି ଭାବନ୍ତୁ। ଆପଣଙ୍କ ଲେଖନି ଚୀରସ୍ରବାହେଉ ଓଁ।
ଜୟକୃଷ୍ଣ ସାହୁ
13-04-2025 / 13:57:59
ଗପଟି ଶିକ୍ଷଣୀୟ ହୋଇଛି।ଧନ୍ୟବାଦ।
ବସିରନ୍ ବିବି
08-04-2025 / 17:29:42
ଶିଶୁ ମନଲାଖି ସୁନ୍ଦର ଗପ। ସ୍ରଷ୍ଟା ଙ୍କୁ ଧନ୍ୟବାଦ
Sanjukta parichha
01-04-2025 / 12:51:07
ଗପଟି ଶିକ୍ଷଣୀୟ ହୋଇଛି ।
କୀର୍ତ୍ତନ ସାହୁ
01-04-2025 / 11:34:00
ଶିକ୍ଷଣୀୟ ଗଳ୍ପଟି ସୁନ୍ଦର ହେଇଛି।