କବିତା
ପଣା

ବେଲ କହେ ଆରେ ନଡ଼ିଆ ଭାଇ
ପଣା ସଙ୍କରାନ୍ତି ଆମରି ପାଇଁ।
ହସି କହେ ଆସି କଦଳୀ ବୁଢ଼ା
ଡାକିଲେନି ବୋଲି ରାଗିଛି ଚୁଡ଼ା।
ଛେନା ଗୁଡ଼ ଦୁହେଁ ଆସିଲେ ହସି
ଚକା ପାରି ଗଲେ ମଝିରେ ବସି।
ରାଗରେ ମରିଚ ଆସିଲା ଧାଇଁ
କହେ ମତେ କାହିଁ ଡାକିଲ ନାହିଁ?
ବସି ବସି ଧିରେ କହିଲା ଦହି
ଦେଖ ଆଉ କିଏ ଗଲେକି ରହି?
କାଜୁ କହେ ଖାଲି ଆସିବ ନୀର
ଡାକିବାକୁ ତାକୁ ଯାଇଛି କ୍ଷୀର।
ଯିଏ ଯହିଁ ରହିଥିଲେଟି ବାକି
ସଭିଏଁ ସଭିଙ୍କୁ ଆଣିଲେ ଡାକି।
ରାଗ ରୁଷା ଭୁଲି ହୋଇଲେ ମେଳ
ଗୋଳାଗୋଳି ହୋଇ ଚାଲିଲା ଖେଳ।
ନିଜ ସୁଆଦରେ ନ ହୋଇ ଗଣା
ମିଶିମାଶି ଶେଷେ ହୋଇଲେ ପଣା।
ମିଶିଯିବା ଆମେ ସବୁ ତା ପରି
ଭାଇ ଭାବ ମଧୁ ପଡିବ ଝରି।
ପଣା ଆଜି ଏହି ବାରତା ବହି
ସଭିଙ୍କୁ ସରାଗେ ଯାଉଛି କହି।
∎
ଗ୍ରାମ-ଭଅଁରା, ପୋ-ଭୁରୁଙ୍ଗା
ଜିଲ୍ଲା-ଯାଜପୁର-755017

ଲେଖା ସମ୍ପର୍କୀୟ ମତାମତ
କୁମାର ସୁଧୀରଜୀ
14-04-2025 / 12:31:08
ପଣା ଉପରେ କବିତାଟି ବେଶ ମନଛୁଆଁ। ଖୁସି ମିଳିଲା। ଏଇ ଦିନ ବିଶେଷରେ ଇତିହାସ ଆଉ ପୁରାଣରେ ଘଟିଥିବା ଘଟଣାକୁ ଯୋଡାଯାଇ ପାରନ୍ତା କାରଣ ଖାଲି ଶିଶୁନୁହେଁ କିଶୋରମାନଙ୍କପାଇଁ ମଧ୍ୟ ପତ୍ରିକାଟି ଉଦ୍ଦିଷ୍ଟ। ଧନ୍ୟବାଦ ଏମିତି ବହୁତ ଲେଖନ୍ତୁ।
ଜୟନ୍ତ
04-04-2025 / 17:27:50
ହୃଦୟରୁ ଅନେକ ଅନେକ ଧନ୍ଯବାଦ ସାର। କବିତାଟି ଆପଣଂକୁ ଭଲ ଲାଗିଥିବାରୁ ଏବଂ ମତାମତ ଦେଇଥିବାରୁ।
ଡକ୍ଟର ସୁନାମଣି ରାଉତ
01-04-2025 / 09:05:14
ଏହା ଏକ ସୁନ୍ଦର ଓ ଶୀକ୍ଷଣୀୟ କଵିତା । ବୟସରେ ଛୋଟ ହେଲେ ମଧ୍ୟ ଉପଧା ମିଳନର କଵିତା ରଚନାରେ କବି ସିଦ୍ଧହସ୍ତ । ଏଥିରେ ପ୍ରକାଶିତ ଅନ୍ୟାନ୍ୟ ରଚନା ନିଜ ନିଜ ଗୁଣରେ ଗରୀୟାନ୍ ।ମାତ୍ର କେତେକ ରଚନାରେ ବର୍ଣାଶୁଦ୍ଧି ପ୍ରତି ସଂପାଦକ ଦୃଷ୍ଟି ଦେଇ ଥିଲେ ପତ୍ରିକାଟି ଆହୁରି ସରସ, ସୁନ୍ଦର ହୋଇପାରିଥାନ୍ତା ।ପିଲାଙ୍କ ପତ୍ରିକା ହୋଇଥିବାରୁ ସଂପାଦକ ଏଥିପ୍ରତି ଅଧିକ ସଚେତନ ହେବେ ବୋଲି ଆଶା ଓ ବିଶ୍ବାସ।