କବିତା
ମୋ`ଗୁହାରି ଶୁଣ ଠାକୁରେ

ଶିଶୁ ଟିଏ ମୁହିଁ ଗୁହାରି କରୁଛି
ପ୍ରଭୁ ଜଗନ୍ନାଥ ଦିଅ ହେ ଦେଖା
ରଥ ଯାତରାରେ ତୁମ୍ଭଙ୍କୁ ଦେଖିବୁ
ତୁମେ ଆମ ଗୁରୁ ତୁମେ ହିଁ ସଖା ।
ଛୁଆଁ ଅଛୁଆଁର ଭେଦଭାବ ନାହିଁ
ତୁମରି ପାଖରେ ଜାଣିଛୁ ଆମେ,
ଯାତରା ଭିଆଇ ଦର୍ଶନ ଦେଉଛ
ଗୁଣ୍ଡିଚା ଯାତରେ ଶ୍ରୀକ୍ଷେତ୍ର ଧାମେ ।
ବିଶ୍ୱ ପ୍ରସିଦ୍ଧ ଏ ଘୋଷ ଯାତରାରେ
ଗୁଣ୍ଡିଚା ମାଆଙ୍କ ଘରକୁ ଯାଅ,
ମାଆ ହାତ ରନ୍ଧା ଭୋଜନ ପରଷା
ଭାଇ ଭଗ୍ନୀ ସାଥେ ଆନନ୍ଦେ ଖାଅ ।
ଟିଭିରୁ ଶୁଣିଛି ମାଆଠୁ ଜାଣିଛି
ବାଟରେ ତୁମର ମାଉସୀ ଘର,
ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଫେର
ମାଉସୀକୁ ତୁମେ ନଭାବି ପର ।
ବାପା ମାଆ ସାଥେ ପୁରୀ ଆସିଥିଲୁ
ଛଅ ଘଣ୍ଟା ହେଲୁ ଧାଡ଼ିରେ ଠିଆ
ଠେଲାପେଲା ମଧ୍ୟେ ଦରଶନ କଲୁ
ଏମିତିଆ ଲୀଳା ତୁମର କିଆଁ ।
ରଥ ଯାତରାରେ ଦର୍ଶନ କରିବୁ
ତୁମ ସହ ଥିବେ ଭଉଣୀ ଭାଇ
କେତେ କେତେ ଭକ୍ତ ଦେଖିବେ ତୁମକୁ
ଜୟ ଜଗନ୍ନାଥ ନାମକୁ ଗାଇ ।
ଦରଶନ କରି ତୁମକୁ ଫେରିଲେ
ନୂଆ ପାଠେ ମନ ଲଗାଇ ଦେବି,
ତୁମ ଶୁଭାଶିଷ ମୋଠାରେ ରହିବ
ଜୀବନରେ ମୁହିଁ ଯଶସ୍ୱୀ ହେବି ।
ଏଇଥର ମୁହିଁ ଯାତକୁ ଯିବି,
ମୋ`ଭାଇ ଭଉଣୀ ସାଥୀରେ ନେବି ।
∎
ମୋ-୯୯୩୮୧୩୩୫୫୯

ଲେଖା ସମ୍ପର୍କୀୟ ମତାମତ
ଧୀରେନ ମିଶ୍ର
09-07-2026 / 15:52:30
ବହୁତ ବଢିଆ ଉପସ୍ଥାପନ। ପ୍ରଣାମ।