ଗପ
ନାତୁଣୀଙ୍କ ଉପହାର

ସମୀକ୍ଷା ଓ ଶ୍ରୀୟା ଦୁଇ ଭଉଣୀ । ସେମାନେ ସିନା ଆମେରିକାରେ ଜନ୍ମ ହୋଇଛନ୍ତି। କିନ୍ତୁ ଭଲ ଭାବରେ ଓଡ଼ିଆରେ କଥା କହିପାରନ୍ତି, ଓଡ଼ିଆ ଅକ୍ଷରରେ ଜେଜେ-ଜେଜୀମା`ଙ୍କ ପାଖକୁ ମୋଇବାଇ ଫୋନରେ ମେସେଜ ବି ଲେଖନ୍ତି। ଏଣେ ତାଙ୍କ ଜେଜେଙ୍କୁ ମୋବାଇଲରେ ଓଡ଼ିଆ ମେସେଜ ଲେଖି ଆସେନାହିଁ ବୋଲି ସେ ଇଂରାଜୀରେ ମେସେଜ ଲେଖନ୍ତି। ସମୀକ୍ଷା ଜେଜେଙ୍କୁ କହେ-“ତମେ ଓଡ଼ିଆଲୋକ ହୋଇ ଆମକୁ ଇଂରାଜୀରେ କାହିଁକି ମେସେଜ ଲେଖୁଛ ? ଏବେ ପରା ତୁମ ପାଖରେ ଆଣ୍ଡ୍ରଏଡ଼ ଫୋନ ଅଛି। ସେଥିରେ ସବୁ ସୁବିଧା ରହିଛି, ଓଡ଼ିଆ key boardକୁ down।oad କରିଦେଲେ-ତମେ ସହଜରେ ଓଡ଼ିଆ ଅକ୍ଷର ଲେଖିପାରିବ।”
ଶ୍ରୀୟା କହେ-“ତମେ ଏତେ ବଡ଼ ମଣିଷହେଇ ଆଜିଯାଏ-ମୋବାଇଲରେ ଓଡ଼ିଆ ଲେଖିପାରୁନା ? ଚେଷ୍ଟାକଲେ- ତମେ ବି ପାରିବ। ମୁଁ ଏବେ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛି ସିନା, ମୋବାଇଲ, କମ୍ପ୍ୟୁଟର ଆଉ ଲାପଟପ ବି ଚଳେଇ ପାରୁଛି। ଓଡ଼ିଆ ଅକ୍ଷର ଖୁବ ସହଜରେ ଲେଖିପାରୁଛି। ହଁ ଜେଜେ ! ତମେ ଶୀଘ୍ର ଓଡ଼ିଆ ଲେଖିବା ଶିଖିଯାଅ। ଆମକୁ ମେସେଜ କର।”
ଦୁଇ ନାତୁଣୀଙ୍କ କଥା ଶୁଣି ଜେଜେଙ୍କୁ ଭାରି ଲାଜମାଡ଼େ। କିନ୍ତୁ କେତେଥର ଚେଷ୍ଟାକରି ସେ ଠିକ ଭାବରେ ମୋବାଇଲରେ ଓଡ଼ିଆ ଲେଖିପାରନ୍ତି ନାହିଁ। ତାଙ୍କୁ ସବୁ ଅଡୁଆ ଲାଗେ। ସେ ଜେଜୀଙ୍କୁ କହନ୍ତି-“ ନାତୁଣୀମାନେ କେବେ ଆମ ପାଖକୁ ଆସିଲେ-ମୋତେ ଶିଖେଇ ଦେବେ। ମୁଁ ନିଜେ ଲେଖିଲେ, ଖାଲି ଭୁଲ ଅକ୍ଷର ବାହାରୁଛି। ଯୁକ୍ତାକ୍ଷର ତ ମୋତେ ଲେଖି ପାରୁନାହିଁ। କ`ଣ ଆଉ କରିବି ?”
ସତକୁ ସତ କିଛିଦିନ ପରେ ବାପା-ମାଆଙ୍କ ସାଙ୍ଗରେ ଶ୍ରୀୟା ଓ ସମୀକ୍ଷା ଜେଜେଙ୍କ ଘରକୁ ଆସିଥିଲେ। ସେମାନେ ଗୋଟାଏ ନୂଆ ଲାପଟପ ତାଙ୍କୁ ଉପହାର ଦେଲେ। ସେଥିରେ goog।e ।nput too।s software down।oad କରିଦେଇ, ଏଥିରେ କେମିତି ଓଡ଼ିଆରେ ଲେଖିହୁଏ ଶିଖାଇଦେଲେ। ଶ୍ରୀୟା କହିଲା-“ଜେଜେ ! ହେଇ ଦେଖ, କେମିତି ସହଜରେ ତମେ ଇଂରାଜୀ ଅକ୍ଷରକୁ ଛୁଇଁ ଓଡ଼ିଆ ଅକ୍ଷରରେ ମେସେଜ ଆଉ ଗପ କବିତା ଲେଖିପାରିବ। ଯୁକ୍ତାକ୍ଷର ଲେଖିବା ପାଇଁ ଏଥିରେ ସବୁ ବ୍ୟବସ୍ଥା ବି ରହିଛି। ପ୍ରତ୍ୟେକ ଅକ୍ଷର ଲେଖିବା ପରେ ଯଦି a ଅକ୍ଷରକୁ ଟିପିଦେବ, ତେବେ ସେହି ଅକ୍ଷର ଠିକ ଭାବରେ ରହିଯିବ। ଯଦି ଗୋଟିଏ ଅକ୍ଷରକୁ ଟିପି ଆଉ ଗୋଟିଏ ଅକ୍ଷରକୁ ଟିପିଦେବ, ତେବେ ସେ ଦୁଇଟା ଅକ୍ଷର ମିଶି ଅନ୍ୟ ଗୋଟିଏ ଅକ୍ଷର ହୋଇଯିବ। ହେଇ ଦେଖ, ମୁଁ b ଅକ୍ଷର ପରେ d ଅକ୍ଷରକୁ ଟିପିଦେଲି। ଏବେ ବ୍ଦ ଯୁକ୍ତାକ୍ଷର ହେଇଗଲା। ସେଇମିତି ch ଉପରେ ଆଙ୍ଗୁଳି ଟିପିଲେ- ଚ, chhରେ ଛ ଅକ୍ଷର ବାହାରୁଛି। gya ଉପରେ ଟିପିଲେ, ଜ୍ଞ ଅକ୍ଷର ବାହାରୁଛି। baram ଟିପିଲେ ବରଂ ହେଉଛି। d କୁ ଟିପିଲେ- ଡ଼,ଡ,ଦ, ତିନି ପ୍ରକାର ଅକ୍ଷର ଦେଖାଉଛି।
ତମର ଯେଉଁଟା ଦରକାର ତାକୁ ଛୁଇଁଦେଲେ, ସେ ଶବ୍ଦର ଠିକ ଜାଗାରେ ରହିଯିବ। ନ୍ତ୍ର ଲେଖିବାକୁ ଆଗ tକୁ ଟିପିବ, ତାପରେ n ପୁଣି rକୁ ଟିପିବ। ସେଥିରେ ଯଦି ଆକାର କିମ୍ବା ଇକାର ଦେବାକୁ ଇଚ୍ଛା କରିବ, ତେବେ ଶେଷରେ aa ବା । ଟିପିବ। ସେଥିରେ ବି ଦୁଇଟା ଅକ୍ଷର ଇ ଓ ଈ ଦେଖାଇବ। ତମେ ଯାହାକୁ ଚାହିବ, ସେ ଅକ୍ଷରକୁ ନେଇପାରିବ। ବସ୍ତ୍ର ଲେଖିବାକୁ ଥିଲେ- ତମେ ଆଗ b ପରେ a ତାପରେ stra ଟିପିବ।”
ତା` କଥା ଶୁଣି ଜେଜେ ମୁଣ୍ଡ ଟୁଙ୍ଗାରୁ ଥିଲେ।
ସମୀକ୍ଷା କହିଲା-“ଜେଜେ ! ମୋବାଇଲରେ ବି ସବୁ ସୁବିଧା ରହିଛି। ମୁଁ ତମକୁ ଶିଖେଇ ଦେବି। ଯୁକ୍ତାକ୍ଷର ପାଇଁ ବି ମୋବାଇଲରେ ସବୁ ସୁବିଧା ରହିଛି। କିନ୍ତୁ ଏଥିରେ ଅଳ୍ପ କେତୋଟି ଅସୁବିଧା ରହିଛି। ତମେ କାରବାର କଲେ, ତାକୁ ସବୁ ନିଜେ ସମାଧାନ କରିପାରିବ। ହଳନ୍ତ ଚିହ୍ନ ଥିବା ଜାଗାକୁ ଟିପିଲେ, ଗୋଟିଏ ଅକ୍ଷର ସହିତ ଆଉ ଗୋଟିଏ ଅକ୍ଷର ମିଶି ଯୁକ୍ତାକ୍ଷର ହୋଇଯାଏ। ଦେଖ ମୁଁ ତମ ମୋବାଇଲରେ ଟାଇପ କରି ଦେଖାଇ ଦେଉଛି। ପ୍ରଥମେ ଇଂରାଜୀ/ଓଡ଼ିଆ ଅପସନରୁ ଓଡ଼ିଆକୁ ଚୟନ କରିବ। ବେଶ ଏବେ ତମେ ଟାଇପ କରି ଦେଖ। ଓଡ଼ିଆ ଅକ୍ଷର ଗୋଟିଏ ଟିପିଲେ, କେତେ ପ୍ରକାର ଅପସନ ଦେଖାଉଛି। ତମେ ଯଦି ଅଧିକ ଅକ୍ଷର ନଲେଖି ସେଥିରୁ ଚୟନ କରିବ, ତେବେ ବି କାମ ହେଇଯିବ। ନହେଲେ, ତମ ଇଚ୍ଛାରେ ଯାହା ଟାଇପ କରିବ ସେ ସବୁ ଦେଖାଯିବ। ସ୍ଵତନ୍ତ୍ର ଅକ୍ଷର ବି ଏଥିରେ ଅଛି। ବାରମ୍ବାର ବ୍ୟବହାର କଲେ, ତମେ ସହଜରେ ସବୁ ଅକ୍ଷର ସହିତ ତମେ ପରିଚିତ ହେଇଯିବ। ଏଥିପାଇଁ ଟିକେ ଧୈର୍ଯ୍ୟ ଦରକାର।”
ଜେଜେ ଦୁଇ ନାତୁଣୀଙ୍କ କଥାକୁ ଠିକ ଭାବରେ ଶୁଣି ମୋବାଇଲ ଆଉ ଲାପଟପରେ ଓଡ଼ିଆ ଲେଖା ଶିଖିଗଲେ। ଜେଜୀମା` ତାଙ୍କ କାମ ଦେଖି କହିଲେ-“ତମେ ତା` ବାପାକୁ କାଗଜ କଲମ ଆଉ ସିଲଟ ଖଡିରେ ପାଠ ଶିଖାଉଥିଲ। ଆଜି ସେଇମିତି ତା` ଝିଅ ଦୁଇଜଣ ତମକୁ ପାଠ ପଢ଼େଇଲେ। ଏବେ ତମେ ମୋତେ ବି ଲାପଟପରେ ଲେଖିବା ଶିଖେଇଦେବ।”
ନାତୁଣୀ ଦୁହେଁ ହସିଦେଇ କହିଲେ-“ତମେ ଚିନ୍ତା କରନା, ଜେଜୀମା` ତମକୁ ବି ଆମେ ମୋବାଇଲ ଆଉ ଲାପଟପରେ ଓଡ଼ିଆ ଲେଖିବା ଶିଖେଇଦେଇ ଯିବୁ।”

ଲେଖା ସମ୍ପର୍କୀୟ ମତାମତ
Sanjukta parichha
01-03-2024 / 16:46:44
ଗପ ସାଙ୍ଗକୁ ଓଡିଆ ଅକ୍ଷରରେ ଟାଇପ୍ ଶିକ୍ଷା ବଢିଆ ହୋଇଛି ।