କବିତା
ନାମଟି ତାଙ୍କର ଦୁର୍ଗାବାଈ

ବାହାରିଲି ଦେଖି ଦୁରୁଗା ପୂଜା
ଯାତରା ଭିଡ଼ରେ ଲାଗିବ ମଜ୍ଜା,
ଦେଖିଲି ବାଟରେ ବୁଢ଼ୀ ଗୋଟିଏ
ଆଲୁରୁ ବାଲୁରୁ ଚେହେରା ଦିଶୁଛି
ବାବୁ ବାବୁ କହି ମାଗୁଛି ସିଏ ।
ନାମ ଟି ତାହାର ପଚାରେ ଯାଇ
କହିଲା ନାମଟି ଦୁରୁଗାବାଈ,
ଶୁଖିଲା ମୁହଁ ଟି ତାହାର ଦେଖି
କଅଁଳ ପାଦ ମୋ ଗଲା ଅଟକି ।
ଟିକି ମନ ମୋର ବଦଳି ଗଲା,
ପଚାରେ କାହିଁକି ଏପରି ହେଲା !
କହିଲା ତାହାର ନାହାନ୍ତି କେହି
ଆଠ ଦିନ ହେଲା ଉପାସ ରହି,
ପାଉନାହିଁ ବଳ କେଉଁଠି ଯିବି
କାହା ପାଖେ ଦୁଃଖ କହି ପାରିବି !
ଆସୁଥିଲା ଭାସି ମଧୁର ଗୀତ
ଶକ୍ତି ରୂପିଣୀ ମନ୍ତ୍ର ସହିତ,
ବୁଢ଼ୀ ମାଆ ଛାଡ଼ି କିପରି ଯିବି
ଦୁରୁଗା ମୂରତି ପରେ ଦେଖିବି ।
ଯାହା ଥିଲା ଘରେ ଆଣିଲି ଧରି
ବାଳୁତ ଟେ ବୋଲି ମନେ ନ କରି,
ଦେଖିଲି ନାହାନ୍ତି ସେ ସ୍ଥାନ ଶୂନ୍ୟ
ଚନ୍ଦନ, ଅଗୁର ବାସେ ସେ ସ୍ଥାନ ।
ଯାତରା ଭିଡ଼ ରେ ଦେଖିଲି ଯାଇ
ଅପରୂପ ଦୃଶ୍ୟ ପାରୁନି କହି,
ଯେଉଁ ବୁଢ଼ୀ ଥିଲେ ଭୋକ ରେ ବସି
ସେହି ବୁଢ଼ୀ ମାଆ ଦୁରୁଗା ରୂପରେ
ଧରିଛନ୍ତି ଦଶ ହାତରେ ଅସି ।
ମାଆ ଲୋ ମାଆ
ତୁମକୁ ବୁଝି ମୁଁ ପାରୁନି କିଆଁ !
କେବେ କେଉଁ ରୂପେ ହୁଅ ଯେ ଠିଆ ।
ଯେଉଁ ରୂପେ ତୁମେ ମରତେ ଥାଅ
ହିଂସା, ଲୋଭ, ଗର୍ବ ବିନାଶି ଯାଅ,
ସମରପି ଦେଲି ସକଳ ଜୀବନ
ପଣତ କାନିରେ ଘୋଡାଇ ଥାଅ ।
∎
ବାଣ୍ଠୁପଡା, ରେଲୱେ ସାଇଡିଙ୍ଗ ଏରିଆ, ରାଜଗାଙ୍ଗପୁର
ସୁନ୍ଦରଗଡ଼ । ଫୋନ 7008304225

ଲେଖା ସମ୍ପର୍କୀୟ ମତାମତ