ଗପ
ହେଜିଲା ନାତି

ଜେଜେ ସେଦିନ ସାହିତ୍ଯ ସଭାକୁ ଯିବା ପାଇଁ ସଜ ହେଲେ । ନାତି ନାତୁଣୀ ଦୁହେଁ ବି ତାଙ୍କ ସାଙ୍ଗରେ ଗଲେ ସଭା ଦେଖିବେ, କିଏ କ`ଣ କହିବେ ତାକୁ ଶୁଣିବେ। ସଭା ପରିସର ରେ ପହଞ୍ଚିବାରୁ ଜେଜେଙ୍କୁ ବହୁତ ଲୋକ ନମସ୍କାର କଲେ।ନାତୁଣୀ ଅଙ୍କିତା ସେଠାକାର ସମସ୍ତ ଗୁରୁଜନଙ୍କୁ ପାଦ ଛୁଇଁ ନମସ୍କାର କଲା।କିନ୍ତୁ ନାତି ସମ୍ଭବ ଟିକେ ପଛରେ ଠିଆ ହେଇ ରହିଲା କିଛି ସମୟ।ତା`ର ଇଛା ନ ଥାଏ କାହାକୁ ନମସ୍କାର କରିବା ପାଇଁ। ଜେଜେ କ`ଣ କହିବେ ବୋଲି ସିଏ ପଛେଇ ପଛେଇ ଯାଇ ଗାଡି ଭିତରେ ବସିଲା।ସଭା ଅରମ୍ଭ ହେବାର ଦଶ ପନ୍ଦର ମିନିଟ ପରେ ଯାଇ ପଛ ଧାଡିରେ ବସିଲା କେହି ଦେଖି ନ ପାରିବା ଭଳି।
ସଭା ସରିବା ପରେ ଖାଇବା ରେ ଧାଡି ଲାଗିଲା।ସମ୍ଭବ ମଧ୍ଯ ଧାଡିରେ ଯାଇ ଖାଇବା ଆଣିଲା। ଖାଇ ସାରି ଆଗୁଆ ଯାଇ ଗାଡିରେ ବି ବସି ପଡିଲା।
ଘରକୁ ଫେରିଲେ ସମସ୍ତେ।ଏ କଥା ବି କେହି କିଛି ଆଲୋଚନା କଲେ ନାହିଁ। ଏମିତି କିଛି ଦିନ ବିତିଗଲା। ପୁଣି ସମ୍ଭବର ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଇଁ ଜେଜେଙ୍କୁ ନିମନ୍ତ୍ରଣ କରାଗଲା।କିନ୍ତ ସେ ଯୋଗଦେବାକୁ ମନା କରିବାରୁ ଘରେ ସେଦିନର କଥାଟି ଆଲୋଚନା ହେଲା।
ସମ୍ଭବ ବୁଝି ପାରିଲା ମୁଁ ଅନ୍ଯମାନଙ୍କୁ ସମ୍ମାନ ନ ଦେବା ଦ୍ବାରା ଜେଜେ କେତେ ଅପଦସ୍ତ ହେଇଛନ୍ତି ଆଉ ତାଙ୍କ ମନର କେତେ ଦୁଃଖ ।ସେଥିପାଇଁ ଆଉ ଜେଜେ ମୋ ସହିତ ଯିବାକୁ ଉଚିତ ମଣୁ ନାହାନ୍ତି।
ସିଏ କାହାକୁ କିଛି ନ ପଚାରି ନ ବୁଝି ଜେଜେଙ୍କ ପାଦ ତଳେ ପଡି ନିଜ ଭୁଲ୍ ପାଇଁ କ୍ଷମା ମାଗିଲା ଆଉ ଭବିଷ୍ୟତରେ ଏମିତି ଭୁଲ୍ କରିବନି ବୋଲି କାନ୍ଦି କାନ୍ଦି କହିବାରୁ ଜେଜେ ତାକୁ କୋଳେଇ ନେଲେ ଆଦରରେ।
∎
ଶଂଖୋ,ଫକୀରପୁର,କେନ୍ଦୁଝର।

ଲେଖା ସମ୍ପର୍କୀୟ ମତାମତ
Sanjukta parichha
08-04-2026 / 10:57:01
ଶିକ୍ଷଣୀୟ ଲେଖା ଟିଏ ।ଭଲ ଲାଗିଲା ।