ଗପ
ନାତି ଶିକ୍ଷା ଦେଲା ଅଜାଙ୍କୁ

ଶୀତ ଦିନ।
କୁହୁଡିଘେରା ସକାଳ। ଅଜା,ନିଶିକାନ୍ତଙ୍କ ସେ ଯାଏଁ ନିଦ ଭାଙ୍ଗି ନ ଥାଏ। ଖଟରେ ପଡିରହି ଗଡପଡ ହେଉଥାନ୍ତି। ଯିଏ କିଏ ଭାବିବ ସେ ଜଣେ ଅଳସୁଆ ଲୋକ। ଦେହରୁ ତାଙ୍କର ସାଲଟି ଖସିପଡି ଖଟ ଉପରେ ଲୋଟି ଥାଏ। ଏହି ସମୟରେ ନିଶିକାନ୍ତଙ୍କ ନାତି,ବୁଲୁ ଆସି ପାଖରେ ବସିଲା। କେବଳ ବସିଲାନି,ନିଜର ରଂଗ ପେନସିଲ୍ ଧରି କୌଣସି ଏକ ଛବିରେ ରଂଗ ଦେବାକୁ ଆରମ୍ଭ କଲା। ବୟସ ପାଖାପାଖି ଆଠବର୍ଷ ହେବଣି।ବୁଲୁ କିନ୍ତୁ ଭଲ ଛବି ଆଙ୍କି ପାରେ। ଛବି ଆଙ୍କି ବସିଲେ ନିଜର ଭୋକଶୋଷ ବି ଭୁଲିଯାଏ। ଶେଷକୁ ଆଈ ନିଜେ ଆସି ତାକୁ ଡାକି ନିଅନ୍ତି, ଖାଇବାକୁ ଦେବାଲାଗି।
ନାତି ପାଖରେ ବସିଛି ଜାଣି,ନିଶିକାନ୍ତ କହିଲେ,କିରେ ବୁଲୁ !ତୁ କେତେବେଳେ ଆସି ମୋ ପାଖରେ ବସିଛୁ ?ପୁଣି ସକାଳୁ ସକାଳୁ ଛବି ଆଙ୍କିବାକୁ ଗଲୁଣି। ମୁଁ ଏ ଯାଏଁ ଶେଯରୁ ଉଠିନାହିଁ। ଏହାକହି,ନାତିଟୋକାକୁ ସାଲଟିକୁ ତାଙ୍କ ଦେହରେ ଭଲକରି ଘୋଡାଇ ଦେବାକୁ କହିଲେ।ବୁଲୁ ତାଙ୍କ କଥାକୁ ଶୁଣିଲା ନ ଶୁଣିଲା ପରି ରହିଲା। ନିଶିକାନ୍ତଙ୍କ ବାରମ୍ବାର ଅନୁରୋଧ ଫଳରେ ଶେଷକୁ ବାଧ୍ଯ ହୋଇ କହିଲା,ଅଜା !ତୁମେ ନିଜେ ଘୋଡାଇ ହୁଅ। ମୁଁ ପରା ଛବି ଆଙ୍କୁଛି। ଦେଖି ପାରୁନ।
ଅଜା ନାତିର କଥାରେ ସ୍ତବ୍ଧ ହୋଇ ଗଲେ। ଭାବିଲେ,ବକଟେ ପିଲା। କହୁଛି ନିଜେ ଘୋଡାଇ ହୁଅ। ଅବଶ୍ଯ ତାହାର କଥାକୁ ପ୍ରଥମେ ହସରେ ଉଡାଇ ଦେଲେ। କିନ୍ତୁ ପର ମୂହୂର୍ତ୍ତରେ କଥାର ମର୍ମକୁ ନିଜେ ବୁଝିବାକୁ ଗଲେ।ଭାବିଲେ,ନାତି ତାଙ୍କର କିଛି ଖରାପ କଥା କହି ନାହିଁ। ପ୍ରଥମେ ନିଜ କାମ ନିଜେ କରିବାକୁ ଯାଅ ବୋଲି କହିଛି। ଦ୍ବିତୀୟତଃ,ଶୀତଦିନେ ଖଟ ଉପରେ ଶୋଇ ନ ରହି କର୍ମଠ ହେବାକୁ ସୂଚନା ଦେଇଛି। ପିଲାଟିଏ ହେଲେବି ବୁଦ୍ଧି ତାର ପ୍ରଖର। ଚାଲାକ ମଧ୍ଯ। ତେଣୁ ବଡ ହେଲେବି ଛୋଟ ପିଲାଟିର କଥାକୁ ଭଲ ଅର୍ଥରେ ଗ୍ରହଣ କଲେ। ଶେଷରେ ଶେଯରେ ଶୋଇ ନ ରହି ନିଜର ନିତ୍ୟକର୍ମ କରିବାକୁ ଆଗଭର ହେଲେ। ନାତି ତାଙ୍କୁ ଉଚିତ ଶିକ୍ଷା ଦେଇ ପାରିଲା। ବଡ ହେଉ କି ସାନ ହେଉ ସମସ୍ତେ କର୍ମଠ ହେବା ବିଧେୟ।
∎
ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ ।
ମୋ -9437181196.

ଲେଖା ସମ୍ପର୍କୀୟ ମତାମତ
ଜୟକୃଷ୍ଣ ସାହୁ
01-08-2025 / 11:43:35
ଶିକ୍ଷଣୀୟ ଗପଟିଏ ଲେଖିଛନ୍ତି। ଭଲଲାଗିଲା। ଧନ୍ୟବାଦ।