ଗପ
ପୋଷା ଜୀବଙ୍କ ପାଇଁ

ଗୋଟିଏ ଗାଁରେ ମାଧବ ଓ ରାଘବ ନାମରେ ଦୁଇ ପଡ଼ୋଶୀ ରହୁଥିଲେ। ସେ ଦୁହିଁଙ୍କ ଘର ମଧ୍ୟ ପାଖାପାଖି ଥିଲା। ଚାଳକୁ ଚାଳ ଓ ପିଣ୍ଡାକୁ ପିଣ୍ଡା ଲାଗିକରି ଥିଲା। ଦୁଇ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା। ଗୋଟିଏ ପରିବାର ଭଳି ଚଳୁଥିଲେ। ହେଲେ ପରେ ଘରବାଡ଼ି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ଭୀଷଣ କଳିଝଗଡ଼ା ଲାଗିଲା। ଏମିତିକି ବାଡ଼ିଆବାଡ଼ି ଯାଏ ମଧ୍ୟ କଥା ଗଲା। ଆଉ ତା`ପରଠାରୁ ସେମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଲା ଓ ଆଉ କେହି କାହା ସହିତ କଥା ମଧ୍ୟ ହେଲେ ନାହିଁ।
ମାଧବଙ୍କ ଘରେ ଗୋଟିଏ ପୋଷା ବିଲେଇ ଥାଏ ଓ ରାଘବଙ୍କ ଘରେ ଗୋଟିଏ ପୋଷା କୁକୁର ରହୁଥାଏ। ଯଦି କେବେ ମାଧବଙ୍କ ବିଲେଇ ରାଘବ ଘରକୁ ଯାଏ, ସେମାନେ ତାକୁ ବାଡ଼େଇ ବାହାର କରିଦିଅନ୍ତି ଏବଂ ଯଦି କେବେ ରାଘବଙ୍କ କୁକୁର ମାଧବ ଦାଣ୍ଡକୁ ଆସେ, ସେମାନେ ବି ତାକୁ ବାଡ଼ାନ୍ତି। ଆଉ ଏଥିପାଇଁ ମଧ୍ୟ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ କଳି ଲାଗିଯାଏ।
ଦିନେ ଏହି ପୋଷା ଜୀବଜନ୍ତୁଙ୍କ ପାଇଁ ଏମିତି ଏକ ଘଟଣା ଘଟିଲା, ଯାହାକି ସେମାନଙ୍କ ମଧ୍ୟରେ ପୁଣି ପୂର୍ବ ସମ୍ପର୍କ ଫେରେଇ ଆଣିବାକୁ ବାଟ ଫିଟାଇଦେଲା।
ଖରାବେଳେ ରାଘବଙ୍କ ଛୋଟ ପୁଅ ଦାଣ୍ଡଘରେ ଶୋଇଥାଏ। ମାଆ ଘର ଭିତରେ କ`ଣ କାମ କରୁଥାଏ। ଏତିକିବେଳେ ଗୋଟେ ସାପ ଘର ଭିତରକୁ ପଶି ପୁଅ ପାଖରେ ପହଞ୍ଚି ଯାଇଥାଏ। ଆଉ ସେତିକିବେଳେ ବିଲେଇଟି ତାଙ୍କ ଘରକୁ ଯାଉଥାଏ। ସେ ଯେମିତି ସାପକୁ ଦେଖିଛି ତା` ଉପରକୁ ଝାମ୍ପି ପଡ଼ିଲା। ସାପ ଓ ବିଲେଇ ମଧ୍ୟରେ ଅନେକ ସମୟ ଯାଏ ଧସ୍ତାଧସ୍ତି ଲାଗିଥାଏ। ବିଲେଇ ଆକ୍ରମଣରେ ସାପ ହାରିଆ ହୋଇଯାଇଥାଏ ଓ ସାପର ବାରମ୍ବାର ଦଂଶନରେ ବିଲେଇ ମଧ୍ୟ ନିସ୍ତେଜ ହେଉଥାଏ, କିନ୍ତୁ ସେ ପୁଅ ପାଖରୁ ସାପକୁ ଆଦୌ ଛାଡ଼ୁ ନଥାଏ। ବିଲେଇର ଗଁ ଗଁ ଶବ୍ଦ ଶୁଣି ପୁଅର ମାଆ ଘର ଭିତରୁ ଧାଇଁ ଆସିଲେ। ସେ ହାଉଳି ଖାଇ ପୁଅକୁ ଟେକି ଆଣିଲେ। ସାପଟି ଖଣ୍ଡିଆଖାବରା ହୋଇ ବାହାରକୁ ଚାଲିଗଲା। ହେଲେ କିଛି ସମୟ ପରେ ବିଲେଇଟି ମରିଗଲା।
ମାଧବ ଘର ଲୋକେ ଏହି ଘଟଣାରେ ମନଦୁଃଖ କଲେ, ହେଲେ ପୁଅଟି ସାପ ପାଖରୁ ରକ୍ଷା ପାଇଯାଇଛି ବୋଲି କିଛି କହିଲେ ନାହିଁ।
ସେମିତି ରାଘବ ଘର ଲୋକେ ବିଲେଇଟି ତାଙ୍କ ପୁଅକୁ ରକ୍ଷା କରି ମରିଗଲା ବୋଲି ମଧ୍ୟ ବହୁତ ମନଦୁଃଖ କଲେ।
ଏହାର ଠିକ୍ କିଛି ଦିନ ପରେ ମାଧବ ଘର ପାଇଁ ଏକ ବିପଦ ଆସିଲା। ଥରେ ରାତି ଅଧରେ ଦୁଇ ଜଣ ଚୋର ମାଧବ ଘରେ ପଶିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ତାଙ୍କ ଦାଣ୍ଡରେ ଶୋଇଥିବା ରାଘବଙ୍କ କୁକୁର ଯେମିତି ଦେଖିଲା ଖୁବ୍ ଜୋରରେ ଭୁକି ତାଙ୍କ ଉପରକୁ ମାଡ଼ିଗଲା। ଚୋର ଦୁଇଜଣ ଭୟରେ କୁକୁରକୁ ବାଡ଼େଇ ବାହାରେ ପକାଇଦେଲେ। ତଥାପି କୁକୁର ସେମାନଙ୍କୁ କାମୁଡ଼ିବାରେ ଲାଗିଥାଏ। କୁକୁରର ଭୁକିବା ଶୁଣି ମାଧବ ଘର ଲୋକେ ନିଦରୁ ଉଠି ବାହାରକୁ ଆସିଲେ। ତାଙ୍କୁ ଦେଖି ଚୋର ଦୁଇଜଣ ଯିଏ ଯୁଆଡ଼େ ଧାଇଁ ପଳାଇଗଲେ। କିନ୍ତୁ ସେମାନେ କୁକୁରକୁ ଏତେ ଜୋରରେ ବାଡ଼ିରେ ପିଟିଥିଲେ ଯେ ବିଚରା ନିସ୍ତେଜ ହୋଇ ପଡ଼ି ପଡ଼ି ଦି` ଦିନ ପରେ ମରିଗଲା।
ପୋଷା କୁକୁରଟି ମରିଯିବାରୁ ରାଘବଙ୍କ ଘର ଲୋକେ ବହୁତ ମନଦୁଃଖ କଲେ, ହେଲେ ମାଧବ ଘରକୁ ଚୋର ଦାଉରୁ ରକ୍ଷା ମିଳିଥିବାରୁ ସେମାନେ ଆଶ୍ୱସ୍ତ ହେଉଥିଲେ।
ଏହି ଘଟଣା ପରେ ଦୁଇ ପରିବାର ଲୋକେ ବହୁତ ଅନୁତାପ କରିବାକୁ ଲାଗିଲେ। ସେମାନେ ଭାବୁଥିଲେ ଜୀବ ଦୁଇଟିଙ୍କ ମନରେ କୌଣସି ଶତ୍ରୁତା ନ ରଖି କେତେ ଉପକାର କଲେ, ଅଥଚ ସେମାନେ ପଡ଼ୋଶୀ ହୋଇ ମଧ୍ୟ ପରସ୍ପର ପ୍ରତି କେତେ ରାଗ ହିଂସା କରୁଥିଲେ। ନା, ଆଉ ଏ ବାଡ଼ବିବାଦ ଚଳିବ ନାହିଁ। ଏଣିକି ସେମାନେ ମିଳିମିଶି ଚଳିବେ ଯେମିତି ଆଗରୁ ଚଳୁଥିଲେ। ତା`ପରେ ସେୟା ହିଁ ହୋଇଥିଲା। ଦୁଇ ପରିବାର ନିଜ ନିଜ ଭୁଲ୍ ବୁଝିପାରି ପରସ୍ପରକୁ କ୍ଷମା ମାଗିଲେ ଓ ସେମାନେ ବିଲେଇ ଓ କୁକୁରଙ୍କ ବଳିଦାନ ନିକଟରେ ନିଜର ସବୁ ରାଗରୋଷ ଓ ହିଂସା ଭୁଲିଯାଇ ମିଳିମିଶି ଖୁସିରେ ଚଳିବାକୁ ଲାଗିଲେ।
∎
ଭୁବନେଶ୍ୱର, ମୋ. 9853523883

ଲେଖା ସମ୍ପର୍କୀୟ ମତାମତ
Haripriya Pattnaik
01-10-2026 / 22:10:51
ଭଲହେଇଛି ଗଳ୍ପଟି।