ରୁଖା ଉପରେ ପିମ୍ପୁଡି ସ୍ଵାତୀ ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/young_details-9624e8e542.html କବିତା ରୁଖା ଉପରେ ପିମ୍ପୁଡି ଲେଖା : ସ୍ଵାତୀ ରୁଖା ଉପରକୁ ପିମ୍ପୁଡି ଗଲା ଚଢି । ଚାରି ଆଡେ ଟିକେ ଚାହିଁଲା ଆଖିକୁ ଫାଡି ॥ କେତେ ଉଚ୍ଚରେ ଠିଆ ହୋଇ ଅଛି ମୁହିଁ । କେତେ ଛୋଟ ଦିଶେ ମାଟି ଗୋଡି ଆଉ ଭୂଇଁ ॥ ଏତେ ଉପରକୁ ଉଠିଲି ମୁଁ କେତେ ବୀର । ପିମ୍ପୁଡି ଜାତିରେ ମୁହିଁ ଏକା ପାରିବାର ॥ ମୋଅରି ପରିକା ନାହିଁ ଆଉ କେହି ଜଣେ । ଏତେ ବଡ କାମ କରି ପାରିଛି ଜୀବନେ ॥ ଏଇ ରୁଖା ମୋର ରାଜ୍ୟ ମୁଁ ତାର ରାଜା । ଏଇଠୁ କରିବି ଶାସନ, ପାଳିବି ପ୍ରଜା ॥ ଏତିକି ବେଳକୁ ଆସିଗଲେ ମାଲିକାଣୀ । ଦେଖିଲେ ରୁଖାରେ ମଇଳା ଲାଗି ଗଲାଣି ॥ ପାଣି କୁଣ୍ଡରେ ରୁଖାଟାକୁ ଦେଲେ ଧୋଇ । ପୋଛିଦେଲେ ତାକୁ ଶୁଖିଲା କନାଟେ ନେଇ ॥ ପାଣି କୁଣ୍ଡରେ ପିମ୍ପୁଡି ଯାଏ ବୁଡି । ମରିଗଲି ବୋଲି ବିକଳେ ଛାଡଇ ରଡି ॥ ∎