ହସେ ସାରା ମୁଲକ ହରିହର ଶୁକ୍ଳ ସେପ୍ଟେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-fe4cb0fc6f.html ଗଛଟିଏ ହସିଉଠେ ଫୁଲଟିଏ ଫୁଟିଲେ, ଫୁଲ ହସେ, ପବନରେ ବାସ ତା`ର ଛୁଟିଲେ। ଜହ୍ନମାମୁ ହସୁଥାଏ ଆସିଗଲେ ପୂନେଇଁ, ଚୋର ହସେ, କଳାରାତି ଆସେ ଯେବେ ଘନେଇ। ଅଜାଙ୍କର ହସ ଛୁଟେ ନାତି ଥିଲେ ପାଖରେ, ମାଆ ଓଠେ ହସ ଛୁଟେ ଛୁଆ ଥିଲେ କାଖରେ। ଘର ହସେ, ସଭିଙ୍କର ମନ ଯଦି ମେଳିଲା, ଚାଷୀ ହସେ, ବିଲେ ଯଦି ସୁନାଢେଉ ଖେଳିଲା। କଳିଆର ହସ ଫୁଟେ କଳିଗୋଳ ଲାଗିଲେ, ଦେଶମାଟି ହସିଉଠେ ଦେଶବାସୀ ଜାଗିଲେ। ଶିଶୁ ହସେ, ମନେ ତା`ର ଖେଳିଗଲେ ପୁଲକ, ଶିଶୁଟିଏ ହସିଦେଲେ ହସେ ସାରା ମୁଲକ। ∎ ବି-୧୦/୧୪୫, କେନ୍ଦ୍ରୀୟ ବିହାର ତମାଣ୍ଡୋ,ଭୁବନେଶ୍ୱର-୭୫୧୦୨୮ ଫୋ:୯୮୬୮୮୦୫୯୯୬