ବନ୍ଦେ ଜନନୀ ମୋ ଉତ୍କଳ ଡ. ସନାତନ ପଣ୍ଡା ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-fb225ce3dd.html ମାଟି ମୋ ଚନ୍ଦନ ପାଣି ପାଦୁକ କଳାସଂସ୍କୃତିର ଭରା ମହକ ମୋ ଭାଷା ଓଡ଼ିଆ ସବୁଠୁ ମଧୁର ମୋ ଦିଅଁ କାଳିଆ ଜଗତ ଠାକୁର ଆହା କି ସୁନ୍ଦର ରାଇଜ ମୋର ବନ୍ଦେ ବନ୍ଦେ ଜନନୀ ମୋ ଉତ୍କଳ।। ଉତ୍କଳ ଗୌରବ ଉତ୍କଳର ମଣି ସେବାରେ ଜାତିକୁ କରିଗଲେ ଋଣୀ ନିହାଣମୁନରେ ବାରଶ ବଢ଼େଇ କଥା କୁହେ ଶିଳା ଯଶ ତା`ର ଗାଇ ସାକ୍ଷୀ କୋଣାରକ ଦୁର୍ଗ ବାରବାଟୀ ବୀରପ୍ରସବିନୀ ମୋ ଓଡ଼ିଶା ମାଟି ଭକ୍ତଭଗବାନ ଶ୍ରୀକ୍ଷେତ୍ରରେ ମେଳ ଚରଣ ଧୋଉଛି ସାଗର ଜଳ ଆହା କି ସୁନ୍ଦର ରାଇଜ ମୋର... ।। କେଡ଼େ ମନଲୋଭା ପ୍ରାକୃତିକ ଶୋଭା ଖଣିଖାଦାନରେ ଭରା ରତ୍ନଗର୍ଭା ଆମ ନାଚଗୀତ ଆମରି ସାହିତ୍ୟ କଳା ଓ ସଂସ୍କୃତି ବିଶ୍ୱରେ ବିଦିତ ବାରମାସେ ଆମ ତେରଟି ପରବ ଓଡ଼ିଆଜାତିର ଗାଉଛି ଗରବ ମରତେ ଉତ୍କଳ ସରଗପୁର ଜନମ ତା କୋଳେ ପୁଣ୍ୟର ଫଳ ଆହା କି ସୁନ୍ଦର ରାଇଜ ମୋର... ।। ∎ ଫୋନ : ୯୪୩୭୧୧୪୯୫୨, mailto:sanatan.oes@gmail.com