ଵାପା ଡକ୍ଟର ସୁନାମଣି ରାଉତ ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-fade75494b.html ସଭିଏଁ ଲେଖନ୍ତି `ବୋଉ` କଥା ଵେଶି ` ଵାପା`କୁ ଯାଆନ୍ତି ଭୁଲି ବାପା ଆଣି ଦେଲେ ଚାଉଳ,ପରିଵା ବୋଉ ତ ଲଗାଏ ଚୁଲି। ଜର କାଶ ହେଲେ ବୋଉ ଜଗିରହେ ଓଷଦ ଆଣନ୍ତି ବାପା ଭଲ ହୋଇ ମୁଁ ଯେ ଗୀତ ଗାଉ ଥାଏ ଲରେଲାପା ଲାରେଲାପା । ପିଲାଦିନେ ବୋଉ ଜହ୍ନକୁ ଦେଖାଏ ବାପା ହୁଅନ୍ତି ମୋ ଘୋଡା ସେଇ ବାପା ପୁଣି ଭଲ ପାଇଁ ମୋତେ ଦେଇଥାନ୍ତି କାନମୋଡା । କେତେ ବହିଖାତା ଜାମା ଛତାଜୋତା ସବୁ ସେ ଦିଅନ୍ତି ଖଞ୍ଜି ବୋଉ ପରି ବେଶୀ କଥା ନ କହି ସେ କହନ୍ତି କଥାର ମଞ୍ଜି । ବାହାରେ କୋଉଠି ଭଲମନ୍ଦ ହେଲେ ପିଠିରେ ପଡନ୍ତି ବାପା ମୋର ହସଖୁସି ପାଇଁ ସେ ସହନ୍ତି କେତେଯେ କଷଣ ଚାପା । ବୋଉ ପରି ବାପା ମଧୁର ନୁହନ୍ତି ବାପା ଅନ୍ୟ ନାମ `ପିତା` ପିତା ହେଲେବି ସେ ଆମ ପାଇଁ ପୁଣ୍ୟ ପୋଥି, ଭାଗବତ, ଗୀତା । ବାପା ବୋଲି ଯେଉଁ ଦୁଇଟି ଅକ୍ଷର ସରଗ ଠାରୁ ସେ ବଡ ଆମ ପାଇଁ ହସଖୁସି-ସାଗର ସେ ଶାନ୍ତିର ସୁରକ୍ଷା ଗଡ଼ । ବଡହୋଇ ଆମେ ବାପାଙ୍କ ସେବାରେ ଜୀବନ ବିତାଇ ଦେବା ତାଙ୍କ ପାଦତଳେ ପ୍ରଣାମ ଜଣାଇ ଭଲ ମଣିଷଟେ ହେବା । ∎ ରାଜବଗିଚା, କଟକ-୯ ମୋ – ୯୪୩୭୧୯୨୮୯୦