କୋଟି ଶରଧାର ଭାବ ଅନନ୍ତ କୁମାର ସେନାପତି ମାର୍ଚ୍ଚ: ୨୦୨୫ Canonical: https://sishu.kabitawithoutborders.org/shishu/article_details-fa735149ec.html କୁଆଁ କୁଆଁ ରାବ ଶୁଣି ମୋର ମାଆ ପଚାରେ କାନ୍ଦୁଛୁ କିଆଁ, କହିଲି ମାଆ ଲୋ ଜାଣି ନାହିଁ କିଛି ସବୁ ତ ଲାଗୁଛି ନୂଆ । ଯେଉଁ ଘରେ ଥିଲି ଅତି ଆଦର ରେ ଅପରୂପ ତା `ର ଶୋଭା, ଖାଇବା, ଶୋଇବା, ଖେଳିବା ଉଆସ ଥିଲା କେତେ ମନଲୋଭା । ହେଲେ ବି ଛୋଟିଆ ସେ ଘରେ ପାଇଛି କୋଟି ଶରଧା ର ଭାବ, ସେ ମଧୁର ଖୁସି ମମତାର ମୋହ କିଏ ଵା ଦେଇ ପାରିବ । ମାଆ ହସି କହେ, ସେହି ଖୁସି ପାଇଁ ସହିଛି କେତେ କଷଣ, ପିଇ ତ ଯାଇଛି ଯେତେ ଲୁହ ଲହୁ ଦିନେ ତୁ ଜାଣିବୁ ଧନ । ଯେତେ ଆଗେ ଯିବୁ ବଡ଼ ହୋଇ ହୋଇ ଦେଖିବୁ ନୂଆ ସପନ, ଭୁଲି ତୁ ଯିବୁନି ମାଆର ମମତା ଥିଲୁ ରଙ୍କୁଣୀ ରତନ । ଏ ସବୁ ଭାବନା ମାଆ କରୁଥିଲା ଏନ୍ତୁଡ଼ି ପାଖରେ ଶୋଇ, ଆଖିରେ ତାହାର ଭାସି ଉଠୁଥିଲା ମମତା ମୋହରି ପାଇଁ । ଗାଲେ ବୋକ ଦେଇ କୋଳକୁ ନେଲା ସେ ଶୁଣି କୁଆଁ ଡ଼ାକ ସ୍ୱର, ସେ କୋଳ ରେ ଭରା ସରଗ ର ସୁଖ ଆନ ଲୋଡ଼ା ନାହିଁ ମୋର । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ 7008304225