ଜେଜେଙ୍କର ପିଲାଦିନ କଥା ଜୟକୃଷ୍ଣ ସାହୁ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-f96a3a6069.html ଜେଜେ କହୁଥିଲେ ତାଙ୍କ ପିଲାଦିନ କଥାଟି ଗୋଟି ଗୋଟି କରି ଶୁଣୁଥିଲି ପୋତି ମଥାଟି। କେମିତିକା ଖୋଲାମେଲା ଥିଲା ତାଙ୍କ ଜୀଵନ ହସିଖେଳି ଗାଇ ଵୁଲି ହେଉଥିଲେ ମଗନ। ବରଷାରେ ଭିଜି ଭିଜି ସାଙ୍ଗସାଥୀ ମେଳରେ ଭସାଇ କାଗଜ ଡଙ୍ଗା ମାତିଥାନ୍ତି ଖେଳରେ। ଗାଆଁ ପୋଖରୀରେ ଏପଟୁ ସେପଟକୁ ପହଁରା ସାଙ୍ଗରେ ଥାଆନ୍ତି ରାମ ଦାମ ଶାମ ଗଉରା। ଗଛ ଚଢ଼ା ଆମ୍ବ ଖିଆ ଗୁଡ଼ିଉଡ଼ା ମକରେ ଆହା ସେ ଜୀଵନ କେତେ କଟିଥିଲା ସୁଖରେ। ଵୋହୂଚୋରୀ ଡାହୁପୁଆ ଡୁ ଡୁ କଵାଡ଼ି ଖେଳୁଥିଲେ ଗାଆଁ ଦାଣ୍ଡେ ଭିଡ଼ି ଭିଡ଼ି ଶଗଡ଼ି। ସତରେ ଏତିକି ସୁଖ ଗାଆଁ ପାଖେ ରହିଛି ଜେଜେମାଆ ସେଇ କଥା କୋଳେ ଧରି କହିଛି। ଜେଜେ ଖାଉଥିଲେ ଜଳଖିଆ ଚୁଡ଼ା ନଡ଼ିଆ ଚୁଡ଼ା ଗୁଡ଼ ମୁଢ଼ି ଖାଇବାକୁ ଲାଗେ ଵଢି଼ଆ। ଡାଲମା ବେସର ମହୁର ଆହା କେଡ଼େ ସୁଆଦ ନିତି ଖାଇବାକୁ କରିଥାନ୍ତି ଜେଜେ ବରାଦ। ବାଡ଼ିରେ କଦଳୀ ଆମ୍ବ ବରକୋଳି ଡାଳିମ୍ବ ସେମିତିକା ସୁଖ ଆଉ ଖୋଜିଲେ କି ମିଳିବ? ଧୋତି ଗାମୁଛାରେ ଵିତୁଥିଲା ତାଙ୍କ ଜୀଵନ ଭୁଲିନାହାଁନ୍ତି ସେ ଫଗୁଣ ମଳୟ ପଵନ। ସହରରେ ରହିଲି ମୁଁ ଵାଵା ମାମା ପାଖରେ ଏମିତିକା ସୁଖ ଆଣି କିଏ ଦେଵ ସତରେ। ∎ କପିଳ ପ୍ରସାଦ, ଭୁବନେଶ୍ୱର-୨ ମୋ-୯୯୩୭୦୯୨୩୯୭.