ଟୁକୁନା ଓ ପାହାଡ ରାଧାମାଧବ ରଥ ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-f923852251.html ଟୁକୁନା ଭଲ ପଢୁନାହିଁ ବୋଲି ସମସ୍ତେ ତାକୁ ଅନାଦର କରୁଛନ୍ତି।କେବଳ ଘର ଲୋକ ନୁହଁନ୍ତି,ବାହାର ଲୋକ ମଧ୍ଯ। ଭଲ ନ ପଢିବା କଣ କାହା ହାତରେ ଅଛି ? ଟୁକୁନା ଚେଷ୍ଟା କରୁଛି ସତ,ଅଥଚ ସେ ପରୀକ୍ଷାରେ ଭଲ ନମ୍ବର ରଖୁନାହିଁ।ଟୁକୁନା ଭଲ ନ ପଢିବା ଯୋଗୁ ତା ପାଖରେ ଥିବା ଅନେକ ଭଲ ଗୁଣ ଛପି ଯାଉଛି। ଅର୍ଥାତ ତାର ଭଲ ଗୁଣ କାହାରି ନଜରକୁ ଆସୁନାହିଁ। ଦିନେ ଟୁକୁନା ମନ ଦୁଃଖରେ କାହାକୁ କିଛି ନ କହି ଗାଁର ବହୁ ଦୂରରେ ଥିବା ଏକ ପାହାଡ ନିକଟକୁ ଯାଇଥାଏ। ପାହାଡ ଆରପଟେ ସୂର୍ଯ୍ଯ ଅସ୍ତ ହୋଇ ଆସୁଥାନ୍ତି।ପକ୍ଷୀମାନେ ଦଳଦଳ ହୋଇ ତାଙ୍କ ବସାକୁ ଉଡି ଯାଉଥାନ୍ତି। ଆକାଶରେ ମେଘ ଖଣ୍ଡମାନ ଏଣେ ତେଣେ ଭାସି ବୁଲୁଥାନ୍ତି। ଟୁକୁନାର ମନ ଆଦୌ ଭଲ ନ ଥାଏ। ଯୁଆଡେ ଯାଏ ସେ ନିଜ ବିଷୟରେ ଚିନ୍ତା କରେ।କିପରି ଭଲ ପାଠ ପଢିବ? କିପରି ଭଲ ମଣିଷ ହେବ? ଏହି ଚିନ୍ତା ତା ମନକୁ ଆଘାତ ଦେଉଥାଏ। ଟୁକୁନା ଅନେକ ସମୟ ଧରି ପାହାଡକୁ ଚାହିଁ ରହିବା ଫଳରେ ପାହାଡ ଟି ଟୁକୁନାର ମନ କଥା ବୁଝି ପାରିଲା।ପାହାଡଟି ଟୁକୁନାକୁ କିଭଳି ଭାବେ ସାହାଯ୍ଯ କରି ପାରିବ ତାହା ଭାବି ପାରିଲା ନାହିଁ।ଶେଷକୁ ତୁଣ୍ଡ ଖୋଲି କହିଲା,ଟୁକୁନା ଭାଇ! ମୁଁ ଜାଣି ପାରୁ ନାହିଁ ତୁ କାହିଁକି ମୋ ନିକଟରେ ମନ ଦୁଃଖ କରି ବସିଛୁ ? ମୋତେ ଆଦୌ ଭଲ ଲାଗୁ ନାହିଁ। ଟୁକୁନା କହିଲା, ପାହାଡ ଭାଇ! ତୁ କଣ ମୋ ମନର କଥା ଜାଣି ପାରିବୁ? ତୁ ତ ନିର୍ଜିବ ! ପାହାଡ କହିଲା,କହିଲେ ନିଶ୍ଚୟ ଜାଣି ପାରିବି।ମୋ ଦେହରେ ବି ଈଶ୍ବର ଅଛନ୍ତି।ଜାଣି ପାରିବି ନାହିଁ କାହିଁକି ? ସବୁରି ମୂଳେ ବିଶ୍ବାସ। ଟୁକୁନା ମୁହଁ ଖୋଲି କହିଲା,ପାହାଡ ଭାଇ! ତେବେ ଶୁଣ।ମୁଁ ଭଲ ପାଠ ନ ପଢିବାରୁ ମୋତେ କେହି ଭଲ ପାଉନାହାନ୍ତି ।ଏପରିକି ବାପାମାଆ ମଧ୍ଯ। ପାହାଡ ଟୁକୁନାଠାରୁ ସବୁକଥା ଶୁଣିସାରି କହିଲା,ଏଇ କଥା !ଜୀବନରେ ମଣିଷକୁ ଅନେକ କଥା ଶୁଣିବାକୁ ପଡେ।ମୋତେ ଯେପରି ସମସ୍ତେ ନିର୍ଜିବ ବୋଲି ଭାବି କୁତ୍ସା ରଟନା କରନ୍ତି।ହେଲେ ମୁଁ କାହାକୁ ଖାତିରି କରେ ନାହିଁ।ମୋ ଦେହରୁ ନଦୀ ଓ ଝରଣା କଳକଳ ନାଦ କରି ନିମ୍ନଗାମୀ ହୁଅନ୍ତି। ମୋ ଶରୀର ଫଟାଇ ବଡବଡ ବୃକ୍ଷ ଉପରକୁ ବଢିଥାନ୍ତି। ମୋ ଦେହରେ ଥିବା ଗୁମ୍ଫା ମାନଙ୍କରେ ହିଂସ୍ରଜନ୍ତୁମାନେ ବାସ କରନ୍ତି।ଆକାଶରେ ଭାସିଯାଉଥିବା ମେଘ ଖଣ୍ଡମାନ ମୋ ଦେହରେ ପିଟି ହୋଇ ପ୍ରଚୁର ବର୍ଷା ହୁଏ। ମୋ ଦେହରେ ଥିବା ସବୁଜ ଗଛଲତା ହେତୁ ମୁଁ ଦୂରରୁ ଖୁବ ସୁନ୍ଦର ଦେଖାଯାଏ। କବିମାନେ ଭାବ ପ୍ରବଣ ହୋଇ କବିତା ରଚନା କରନ୍ତି। ଏପରିକି ଶ୍ରମିକମାନେ ମୋ ଦେହରୁ ପଥର ତାଡି ରାସ୍ତା ନିର୍ମାଣ କରନ୍ତି। ପଥର ତାଡିବା ବେଳେ ମୋତେ ବହୁତ କଷ୍ଟ ହୁଏ। କିନ୍ତୁ କାହାକୁ କିଛି ନ କହି ସବୁକିଛି ସହିଯାଏ। କେବଳ ସଂସାରର ଉପକାର କରିବା ଲାଗି।ତେଣୁ ଟୁକୁନା ! ମୋ ଠାରୁ ତୁ ସହିବା ଗୁଣ ଶିଖି ପାରିଲେ ଭବିଷ୍ୟତରେ ଭଲ ମଣିଷ ହୋଇ ଛିଡାହେବୁ। ଟୁକୁନା ପାହାଡର କଥାକୁ ଖୁବ ପସନ୍ଦ କଲା।ସେ ସବୁକିଛି ସହି ଆଗକୁ ବଢିବା ପାଇଁ ସଂକଳ୍ପ ନେଲା। ସନ୍ଧ୍ଯା ହୋଇ ଆସୁଥାଏ। ଟୁକୁନା ପାହାଡ ଠାରୁ ହସିହସି ବିଦାୟ ନେଲା।ତା ପରଠାରୁ ସେ କେବେବି ପଛକୁ ଚାହିଁନି। କାହାର ସମାଲୋଚନାକୁ ଆଦୌ ଭ୍ରୁକ୍ଷେପ କରେନି।ନିଜ ପାଠ ପଢାରେ ଅଧିକ ମନ ଦେଲା।ଗୁରୁଜନଙ୍କୁ ଯଥେଷ୍ଟ ସମ୍ମାନ ଦେଲା।ନିଜ କର୍ତ୍ତବ୍ଯରେ କଦାପି ହେଳା କଲା ନାହିଁ।ଦିନକୁଦିନ ସେ ଅଧିକ ଭଲ ପଢିଲା।ପରୀକ୍ଷାରେ ଭଲ ନମ୍ବର ରଖି ପାଶ କଲା।ସବୁକଥା ପାହାଡ ସମ ସହି ବିନୟୀ ହେଲା।ସମାଜରେ ମୁଣ୍ଡ ଟେକି ଛିଡାହେଲା।ବାପାମାଆଙ୍କ ଠାରୁ ଆରମ୍ଭ କରି ସମସ୍ତେ ତାକୁ ଭଲ ପାଇଲେ।ଜୀବନ ତାର ନୂଆ ରୂପରେ ଗଢା ହୋଇ ପାରିଲା। ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ। ମୋ :୯୪୩୭୧୮୧୧୯୬