ଜୀବନଟା ହେଉ ସରସା ନଗେନ୍ଦ୍ର ନାଥ ପଟ୍ଟନାୟକ ମଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-f4035b8aaa.html ରାତି ପାହିଲା ସକାଳ ହେଲା କାଳି ଅନ୍ଧାରଟା ହଟିଲା ନାଲିଆ ସୂରୁଜ ଉଇଁଯାଇ ନଭେ ସୁନାର କିରଣ ବୁଣିଲା । ପିଲାଙ୍କର କାନେ କହିଲା ସୂରୁଜ ଉଠିପଡ ନିଦୁ ସହଳେ ନିଜନିଜ କାମେ ଲାଗିପଡ ଵେଗି ପୋଛିଦେଇ ନିଦ ବହଳେ । ସକାଳୁ ସକାଳୁ ପକ୍ଷିଏ ଗାଇଲେ ଚିଇଁ ଚିଇଁ ଗୀତ ମଧୁର ଗାଆରେ ପିଲାଏ ଜୀବନ ସଙ୍ଗୀତ ମିଠା ମିଠା ସୁର ଲହର । ମୁରୁକି ମୁରୁକି ହସି କଢି କହେ ଫୁଟୁ ହସ ଓଠେ ତୁମର ବାସ ଚହଟାଇ ଫୁଲଟି ବୋଲଇ ଲୁଟିନିଅ ବାସ୍ନା ମୋଅର । ବହିଯାଇ ସୁଖୀ ପବନ କହିଲା କରିଚାଲ ସୁଖ-ବରଷା ମିଳିମିଶି ସବୁ ଖୁସି ବାଣ୍ଟିଚାଲ ଜୀବନଟା ହେଉ ସରସା । ∎ ପ୍ରାକ୍ତନ ଅତିରିକ୍ତ ଶାସନ ସଚିବ,ଓଡ଼ିଶା ସରକାର ଓସ୍କାର ସିଟି ,ଲେନ ନଂ ୯, ପ୍ଲଟ ନଂ ୪୫୬ ଲକ୍ଷ୍ମୀ ସାଗର କେନାଲ ରୋଡ ,ଭୁବନେଶ୍ୱର ମୋ – ୯୪୩୮୩୩୨୧୩୮*