ଦୁଇ ସାଙ୍ଗ ହରିପ୍ରିୟା ପଟ୍ଟନାୟକ ଅକ୍ଟୋବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-ea39558aa7.html ସକାଳ ହେଇଯାଇଥିଲା। ସୂର୍ଯଙ୍କର ସୁନେଲି କିରଣ ସୁନୁର ମୁହଁ ଉପରେ ପଡ଼ୁ ପଡ଼ୁ ତା ନିଦ ଭାଙ୍ଗିଗଲା । ବିଛଣା ଉପରେ ଉଠି ବସିପଡିଲା ସେ। ଆଃ କି ବାସ୍ନା। ଖୋଲା ଝରକା ବାଟେ ବଉଳ ଫୁଲର ବାସ୍ନା ଭାସି ଆସିଛି। ସୁନୁ ଉଠି ଝରକା ବାଟେ ତାଙ୍କ ବଗିଚାରେ ଥିବା ବଉଳ ଗଛକୁ ଅନେଇଲା। ଫୁଲରେ ନଦି ହେଇଯାଇଛି ଗଛଟା । ବଉଳ ଫୁଲ ଦେଖିଲେ ସୁନୁର ଗାଆଁ କଥା ମନେପଡେ। ଗାଆଁରେ ତାଙ୍କର ବାଡିପଟେ ବହୁତ ବଡ ବଉଳଗଛ । ସେମାନେ ପ୍ରତି ବର୍ଷ ରଜ ସମୟରେ ଗାଆଁକୁ ଯାଆନ୍ତି । ଜେଜେବାପା ରଜରେ ସେଇ ବଉଳଗଛର ମୋଟା ଡାଳରେ ତା ପାଇଁ ଦଉଡିରେ ଦୋଳି ବାନ୍ଧି ଦିଅନ୍ତି । ଗାଆଁରେ ତାଙ୍କ ପଡିଶା ଘରେ ତା ପରି ଗୋଟେ କୁନି ଝିଅ ରେଣୁ, ତା ସାଙ୍ଗ। ସେମାନେ ବଉଳ ବସିଛନ୍ତ। ସେ ଓ ତା ବଉଳ ମନଇଛା ଦୋଳି ଖେଳନ୍ତି। ରଜ ଦୁଇଦିନ ଥାଏ। ସବୁ ବର୍ଷ ପରି ଏଥର ମଧ୍ଯ ସୁନୁ ତା ମାମା ଓ ପାପାଙ୍କ ସାଙ୍ଗ ରେ ଗାଆଁକୁ ଯିବାପାଇଁ ଗାଡିରେ ବସିଲା । କଟକରୁ ତାଙ୍କ ଗାଆଁ ଗୋପପୁର ପ୍ରାୟ ଦୁଇ ଘଂଟାର ବାଟ। ବାଟସାରା ସୁନୁର ଗାଆଁକଥା ମନେ ପଡୁଥାଏ । ରଜରେ ଜେଜେମାଆ କେତେ ପ୍ରକାର ପିଠା କରନ୍ତି । ଛେନା, ନଡିଆ ପୁରଦିଆ ପୋଡପିଠା ସୁନୁର ଭାରି ପ୍ରିୟ। ମିଠା ମସଲା ଦିଆ ପାନ,ରଜଦୋଳି ଖେଳ ସବୁ ମନେପଡୁଥାଏ । ଏଥର ଗଲେ ବଉଳ ସାଙ୍ଗ ରେ ଆର ସାହିକୁ ଯାଇ ବାଉଁଶ ଦୋଳି ଖେଳିବ ବୋଲି ଭାବିଲା ସେ। ଗାଆଁ ରେ ପହଁଚି ଘରେ ଜେଜେ ମାଆ ଓ ଜେଜେବାପାଙ୍କ ର ପାଦ ଛୁଇଁ ସାରି ସୁନୁ ଦଉଡିଲା ତା ବଉଳ ପାଖକୁ । ବଉଳ ଘରକୁ ଯାଇ ଦେଖିଲା ସେ ମୁହଁ ଶୁଖାଇ ବସିଛି । ରେଣୁ ଠାରୁ ସେ ବୁଝିଲା ଯେ ରଜ ପାଇଁ ତା ର ନୂଆ ଜାମା କିଣା ଯାଇନାହି । ରେଣୁର ବାପା ଚାଷକାମ କରନ୍ତି। ଏଥର ଭଲ ଧାନ ହେଇ ନ ଥିବାରୁ ଧାନ ବିକି ପଇସା ତାଙ୍କ ପାଖକୁ ଆସିଲା ନାହିଁ । ତେଣୁ ରେଣୁ ପାଇଁ ରଜକୁ ନୂଆ ଜାମା କିଣା ଯାଇନାହିଁ । ସୁନୁ ମନ ଦୁଃଖରେ ଘରକୁ ଫେରିଲା । ଘରେ ତା ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଲା । ବାପାଙ୍କ ସାର୍ଟ ପକେଟରୁ ଖଣ୍ଡିଏ ପାଞ୍ଚ ଶହ ଟଙ୍କିକିଆ ନୋଟ ନେଇ ସେ ତା ବଉଳକୁ ଦେଲା। ରେଣୁ ନାହିଁ ନାହିଁ କଲା । ସୁନୁ ରାଣ ନିୟମ ପକେଇ ନୂଆ ଜାମା କିଣିବାକୁ ତାକୁ ଟଙ୍କା ଦେଇ ଆସିଲା । ତା ପରଦିନ ସଜବାଜ । ରାତି ପାହିଲେ ରଜ। ପିଠା କରିବା ପାଇଁ ନଡିଆ, ଗୁଡ ଆଦି କିଣିବା ପାଇଁ ସୁନୁର ବାପା ରମେଶବାବୁ ହାଟକୁ ବାହାରିଲେ। ଯିବାବେଳେ ପଇସା ଗଣିବା ବେଳକୁ ଜାଣିଲେ ଯେ ଖଣ୍ଡିଏ ପାଞ୍ଚ ଶହ ଟକିଆ ନୋଟ୍‌ ନାହିଁ। ଠିକ୍‌ ସେତିକି ବେଳେ ରେଣୁର ବୋଉ ପାଞ୍ଚ ଶହ ଟଙ୍କିଆ ନୋଟ ଖଣ୍ଡିକ ସୁନୁବୋଉକୁ ଦେଇ ସୁନୁ ରେଣୁ କୁ ଦେଇଥିବା କଥା କହିଲେ । ସୁନୁର ପାପା, ମାମା ସବୁ କଥା ଜାଣି ଗଲେ। ରମେଶ ବାବୁ ସୁନୁର ମୁଂଡ ଆଉଁଶି କହିଲେ ମତେ କହିଥିଲେ ତ ମୁଁ ହାଟରୁ ତୋ ବଉଳ ପାଇଁ ବଢିଆ ନୂଆ ଜାମା ନେଇ ଆସିଥାଆନ୍ତି । ସୁନୁର ମାମା ଗୀତାଦେବୀ କହିଲେ, ଲୁଚେଇ କରି କିଛି ନେବା ଠିକ କାମ ନୁହେଁ । ରମେଶବାବୁ ରେଣୁ ର ବାପା,ବୋଉଙ୍କୁ କହି ରେଣୁ ଓ ସୁନୁ ଦୁଇ ସାଙ୍ଗଙ୍କୁ ହାଟକୁ ନେଇ ରେଣୁ ପାଇଁ ନୂଆ ଜାମା ଓ ରଜର ସବୁ ଦରକାରୀ ଜିନିଷ କିଣି ଆଣିଲେ । ଘରକୁ ଫେରି ସୁନୁ ଓ ରେଣୁ ଲୁଡୁ ଖେଳରେ ମାତିଗଲେ। ∎