ଅଜା ବାହାରିଲେ ହାଟ ରାଧାମାଧବ ରଥ ମଇ: ୨୦୨୫ Canonical: https://sishu.kabitawithoutborders.org/shishu/article_details-e6f75ebbf5.html ସଜବାଜ ହୋଇ ଗାଆଁ ହାଟକୁ ଯେ ଅଜା ବାହାରିଲେ ବୁଲି ଆଈ କହିଲେଣି ଆଣିଥିବ ମାଛ ଜଳାଉଛି ମୁହିଁ ଚୂଲି। ଅଜାଙ୍କୁ ଦେଖିକି ନାତି କହିଲାଣି, ଯିବି ତମ ସାଥେ ଅଜା ହାଟରୁ ଆଣିବି ମୋ` ପସନ୍ଦ ଚିଜ ପାଇବି ମୁଁ କେତେ ମଜା। ନ କରି ପାରିଲେ ନାତିକୁ ମନା ଯେ ସଙ୍ଗେ ବାହାରିଲା ନାତି ହାତ ଧରି ଚାଲେ ଅଜା ସାଥେ ନାତି ଗରବେ ଫୁଲାଇ ଛାତି। ବାଟରେ ଦେଖିଲେ ମାଙ୍କଡ ନାଚ ଯେ ନ ଘୁଞ୍ଚିଲା ତିଳେ ପାଦ ଆଈ ଚାହିଁଥିଲେ ଫେରିବା ବାଟକୁ ଗଣୁଥିଲେ ପରମାଦ। ଦୋକାନେ ଦେଖିଲେ ବିକା ହୁଏ ଖଜା ନାତି କହେ କିଣିବାକୁ ପକେଟରୁ ଟଙ୍କା କାଢିଥିଲେ ଅଜା ଦେବାପାଇଁ ଦୋକାନୀକୁ । ଖଜାରେ ସନ୍ତୁଷ୍ଟ ନ ହୋଇଲା ନାତି କହିଲା,କିଣିବ ବରା ଆଳୁଦମ୍ କିବା ଲାଗୁଥିଲା ଭଲ ନ ଦେଲା ନାତି ଯେ ଧରା। ଅଜାନାତି ଦୁହେଁ ହୋଇଲେ ଅଲଗା ଭେଟ ନ ହୋଇଲା ତାଙ୍କ ଚିନ୍ତା ଯେ ପଶିଲା ଅଜାଙ୍କ ମୁଣ୍ଡରେ ମୁହଁ କିବା ହେଲା ବାଙ୍କ। ଦୂରରୁ ଦେଖିଲେ ଆସୁଅଛି ନାତି ବେଲୁନ୍ ଧରିଛି ହାତେ ପାଖକୁ ସେ ଆସି କହିଲା ଅଜାଙ୍କୁ ସାଙ୍ଗ ଦେଇଅଛି ମୋତେ। ଚାଲ ଫେରିଯିବା କହିଲେଣି ଅଜା ମାଛ କିଣା ପଛେ ଥାଉ ଘୂରିବଣି ମଥା ଆଈଙ୍କର ତେଣେ ପହଞ୍ଚିବା ବେଳ ଥାଉ। ଅଜାଙ୍କ ବଚନ ମାନିଲା ସହସା କାନ ଧରି କହେ ନାତି ତୁମ ହାତ କେବେ ଛାଡ଼ିବିନି ଅଜା ନ ଯିବି କାହାର କତି। ∎ ଭର୍ତ୍ତୁର, ବାଙ୍ଗାଲୋର, କର୍ଣ୍ଣାଟକ। ମୋ-9437181196.