ନୂଆ ବରଷ ହରିହର ଶୁକ୍ଳ ଜାନୁଆରୀ: 2026 Canonical: https://sishu.kabitawithoutborders.org/shishu/article_details-e56c224442.html ନୂଆ ବରଷ ତୁ - ଖୁସି ନହବତ ବଜେଇ ଦେ` ଅଭାବ କଷଣ ହଜେଇ ଦେ` ଜନ ମାନସରୁ ଦୁଃଖ ଅମା ଟାଳି ନିରାଶ ପରାଣେ ଆଶାଦୀପ ଜାଳି ଧୂଳି ଧୂସରିତ ଧରଣୀ ବୁକୁରେ ସରଗ ସୁଷମା ସଜେଇ ଦେ` ସବୁରି ମନକୁ ମଜେଇ ଦେ`। ନୂଆ ବରଷ ତୁ - ମମତାର ଫୁଲ ଫୁଟେଇ ଦେ` ଶରଧା-ସୁବାସ ଛୁଟେଇ ଦେ` ଜାତି-ଧରମର ଭେଦାଭେଦ ଭାବ ନ ପାଉ ମଣିଷ ମନତଳେ ଠାବ ପର- ଆପଣାର ବିଚାରଧାରାକୁ ସବୁରି ମନରୁ ତୁଟେଇ ଦେ` ସଭିଙ୍କୁ ଏକାଠି ଜୁଟେଇ ଦେ`। ନୂଆ ବରଷ ତୁ - ନୂଆ ବାଟ ଗୋଟେ ବତେଇ ଦେ` ସେବାରେ ସଭିଙ୍କୁ ମତେଇ ଦେ` ଶାନ୍ତିର ମଧୁ ସଙ୍ଗୀତ ଗାଇ ହୁଅନ୍ତୁ ସଭିଏଁ ଆନନ୍ଦରେ ବାଇ ସତ୍ୟ, ଅହିଂସାକୁ ଆଦରିଛି ଯିଏ ଅଚିରେ ତାହାକୁ ଜିତେଇ ଦେ` କାଳ ତା` ସୁଖରେ ବିତେଇ ଦେ`। ∎ ବି-୧୦/୧୪୫,କେନ୍ଦ୍ରୀୟ ବିହାର ତମାଣ୍ଡୋ,ଭୁବନେଶ୍ଵର-୨୮ ଫୋ:୯୮୬୮୮୦୫୯୯୬