ଏଣୁ ଜୀବନ ତା ନାଆଁ କୈଳାସ ଚନ୍ଦ୍ର ବେହେରା ସେପ୍ଟେମ୍ବର: ୨୦୨୬ Canonical: https://sishu.kabitawithoutborders.org/shishu/article_details-d639b54265.html ଗ୍ରୀଷମ ଋତୁର ଆଗମନ ଆଣେ ଜୀବନେ ଯାତନା ନେଇ ଫେରେ ଶିରିହୀନ ତତଲା ମହୀରେ ଜୀବନ ସନ୍ଧାନ ଦେଇ l ଦକ୍ଷିଣ ପଶ୍ଚିମ ମଉସୁମୀ ବାଆ ସାଗର ସଲିଳ ଛୁଇଁ ଶୀତଳ ଉଦକ ରେଣୁ ସାଥେ ଭାସେ ଆକାଶେ ବାଦଲ ହୋଇ l ମାଆ ବସୁମତୀ ରଜସ୍ୱଳା ହୋନ୍ତି ଦେଖି ନଭେ ମେଘ ଠାଣି ଲାଜେଇ ବରଷା ଛପି ଛପି ଆସେ କଳା ଓଢଣୀ ଟେ ଟାଣି l ଚପଳା ଚମକ ଘଡଘଡ଼ି ଡାକ ମେଘ ସଜବାଜ ଦେଖି ବିରହିଣୀ ପ୍ରାଣେ ମଧୁର ମୂର୍ଚ୍ଛନା ସଜଳ ଚାତକ ଆଖି l ବିରହୀ ମୟୂର କଳାପ ତୋଳିଲେ ମୟୂରୀ ଉଠଇ ମାତି ଶିଖୀ ନୃତ୍ୟ ଦେଖି ଆକାଶେ ଦିଶଇ ମେଘ ମଲ୍ଲାରର କାନ୍ତି l ଜୀବନ୍ମୃତ ପ୍ରାୟ ଜୀବଜଗତକୁ ପହିଲି ବରଷା ଛୁଆଁ ସଞ୍ଜୀବନୀ ସମ ବ୍ୟାକୁଳ ପ୍ରାଣରେ ଜୀବନ ସଞ୍ଚାରେ ନୂଆ l ମିଳନ ପ୍ରତ୍ୟାଶୀ ବେଙ୍ଗୁଲୀ ଡାକଇ ବରଷା ପାଣିରେ ଭିଜି ସାଧବବୋହୂଟି ଅଭିସାରେ ଯାଏ କଅଁଳ ଘାସରେ ହଜି l ଇନ୍ଦ୍ରଧନୁ ଆଣେ ରଙ୍ଗୀନ ସପନ ପ୍ରେମୀଯୁଗଳଙ୍କ ମନେ ବୃକ୍ଷ, ଲତା, ପ୍ରାଣୀ ସକଳେ ବିଭୋର ବରଷାର ଆଗମନେ l ପ୍ରକୃତି ହାଟରେ କଅଁଳ ଫୁଲର ପସରା ଭଳିକି ଭଳି ନବ ଯଉବନୀ ଜଳାଧାର ଖେଳେ ସମୀରଣ ସାଥେ ଦୋଳି l କେଦାରେ କେଦାରେ ସବୁଜିମା ଖେଳେ ବାଡ଼ି ବଗିଚାର ବେଶ ଦର୍ଶନେ ବିହ୍ଵଳ ଚଷାଭାଇ ମନେ ଉଙ୍କିମାରେ ନୂଆ ଆଶ l ଆଷାଢ଼େ ମଜାଏ ଶ୍ରାବଣେ ଭିଜାଏ ବଢ଼ି ଆସେ ଯେବେ ମାଡ଼ି ତୁଟିଯାଏ ଚାଷୀ ମନର ଭରସା ଜଳେ ବୁଡ଼େ ଘରବାଡ଼ି l ତେବେବି ବରଷା ମଙ୍ଗଳଦାୟିନୀ ଜଗତ ଜୀବନ ମାଆ ଜଳ ବିନୁ ଜୀବ ସୃଷ୍ଟି ଅସମ୍ଭବ ଏଣୁ ଜୀବନ ତା ନାଆଁ l ∎ ତେମଳା, ଶଂଖୋ, କେନ୍ଦୁଝର ମୋ ---9178040155 ପିନ –758022