ବିଷୁବ ସଂକରାନ୍ତି କୁଞ୍ଜବିହାରୀ ସାହୁ ଏପ୍ରିଲ: ୨୦୨୬ Canonical: https://sishu.kabitawithoutborders.org/shishu/article_details-d474d9d5fa.html ବେଲ ରସରେ ସଜା ହୋଇଛି କେଡ଼େ ସୁଆଦ ପଣା, ପିଅରେ ପିଅ ସାଥୀ ହୋଇକି କରନି ମନ ଊଣା । ୧ ହସଖୁସିରେ ପିଇଲେ ପଣା ଘର ଭିତରେ ବସି, ବୋଉ କହିଲା ସୁନାଟି ତୁମେ ଯଆରେ ହସି ହସି । ୨ ଦେଖରେ ପିଲେ ଝାମୁ ଯାତରେ  ଜଳଇ ରଡ଼ ନିଆଁ, ଠାକୁରେ ଧ୍ୟାୟୀ ଦଣ୍ଡୁଆମାନେ ନିଆଁରେ ହେଲେ ଠିଆ । ୩ ବାପା ମା ସାଥେ କୁନି ପିଲାଏ ଧରିଲେ ନିଜ ହାତ, ସାହି ମୁଣ୍ଡକୁ ସଅଳ ଯାଇ ଦେଖିଲେ ଝାମୁ ଯାତ । ୪ ଦେଖରେ ପିଲେ ମନ୍ଦିର ଇଏ ଅଛନ୍ତି ହନୁମାନ, ତାଙ୍କରି ପରା ଜନମଦିନ କରରେ ଜୟଗାନ । ୫ ମନ୍ଦିର ଯାଇ ଭକତି ଭରେ ହନୁମାନଙ୍କ ପାଦେ, ମୁଣ୍ଡିଆଟିଏ ମାରିଲେ ପିଲେ ଗାଇଲେ ଶଙ୍ଖନାଦେ । ୬ ଏମିତି ଏଇ  ଖୁସି ପରବ ବିଷୁବ ସଂକରାନ୍ତି, ଓଡ଼ିଆଙ୍କର ନୂଆବରଷ ଜାଗେ ଓଡ଼ିଆ ଜାତି । ୭ ∎ ପାତ୍ରପଡା, ଭୁବନେଶ୍ବର ୭୦୦୮୧ ୪୨୦୪୦