ପୁଣ୍ୟ କାର୍ତ୍ତିକ ସୁଶାନ୍ତ କୁମାର ସାମଲ ନଭେମ୍ବର: ୨୦୨୫ Canonical: https://sishu.kabitawithoutborders.org/shishu/article_details-d16cfd1112.html କାର୍ତ୍ତିକ ମାସେ ପଞ୍ଚୁକ ପଡେ ନିଷ୍ଠାରେ ଆମେ ରହି, ବୃନ୍ଦାବତୀଙ୍କୁ ପୂଜା କରିବା ସର୍ବ ମଙ୍ଗଳ ପାଇଁ। ପଞ୍ଚୁକ ଅଟେ ପାଞ୍ଚୋଟି `କ` କପଟ କାମ କ୍ରୋଧ, କଟୁବଚନ କୁସଙ୍ଗ ଭୁଲି ମନ କରିବା ଶୁଦ୍ଧ। ପାଞ୍ଚ ଦିନରେ ପାଞ୍ଚ କୁକର୍ମ ଦୂରେଇ ଦେଲେ ଆମେ, କାର୍ତ୍ତିକ ମାସେ ପୁଣ୍ୟ ଅର୍ଜିବା ସଫଳ ହେବା କାମେ। ପଞ୍ଚୁକ ସାରି ପୂର୍ଣ୍ଣିମା ଦିନ ପ୍ରଭାତୁ ଉଠି ସର୍ବେ, ଡଙ୍ଗା ଭସାଇ ଗାଇବା ଆସ ଅତୀତ ସ୍ମୃତି ଗର୍ବେ। ଏହି ମାଟିର ସାଧବପୁଅ ବୋଇତ ସାଥେ ଧରି, ଯାଉଥିଲେ ସେ ଜାଭା ସୁମାତ୍ରା ଦ୍ଵୀପେ ବଣିଜ କରି। ଆମ ରାଇଜ ଦରବ ନେଇ ସେଠାରେ ବିକି ଦେଇ, ଧନରତନ ଆଣୁଥିଲେ ସେ ଆମ ଦେଶକୁ ବୋହି। ସେହି ସ୍ମୃତିକୁ ମନେ ପକେଇ ପୂର୍ଣ୍ଣିମା ଦିନ ଆମେ, ଡଙ୍ଗା ଭସାଇ ତୁଣ୍ଡେ ଧରିବା ଚାରୋଟି ମାସ ନାମେ। ଆଶ୍ୱିନ ମାଘ କାର୍ତ୍ତିକ ସାଥେ ବୈଶାଖ ମାସ କହି, ଭସାଇ ଦେବା ଜଳରେ ଡଙ୍ଗା ପାନ ଓ ଗୁଆ ଥୋଇ। କହିବା ଆମେ ଗୋଟିଏ ସ୍ଵରେ ଆ- କା-ମା-ବୈ , ଡଙ୍ଗା ଭସାଇ ଦେବ ଦର୍ଶନ କେବେ ଭୁଲିବା ନାହିଁ। ∎ ଦୟାନଦୀ ବିହାର, ଭୁବନେଶ୍ୱର ଫୋନ - ୯୯୩୭୪୬୮୨୩୪