ମହତ କାମ ବସିରନ ବିବି ଏପ୍ରିଲ: ୨୦୨୪ Canonical: https://sishu.kabitawithoutborders.org/shishu/article_details-ce4aab29fb.html ଘୂରି ପୃଥିବୀଟି ଆପଣ ଅକ୍ଷରେ ସରଜଇ ଦିନ ରାତି, ନିଜେ ଜଳି ଜଳି ତାରକା ତପନ ବିତରୁ ଅଛନ୍ତି ଜ୍ଯୋତି । ତମସା ହରଣ ଦୀପର ଧରମ ଜଳୁଥାଇ ନିରନ୍ତର, ନିଜେ ଘୋରି ହୋଇ ଚନ୍ଦନ କାଷ୍ଠଟି ଆନକୁ କରେ ଶୀତଳ । କର୍ଷଣ କଷଣ ସହି ମାଟି ମାଆ ଫୁଲ ଫଳ ଉପୁଜାଏ, ତାପ ପାଇ ଜଳ ବାଷ୍ପ ପାଲଟି ମେଘମାଳ ସୃଜି ଦିଏ । ସବୁରି କଳୁଷ ଧୋଇ ଧାଇ ନେଇ ବହିଯାଏ ସ୍ବଚ୍ଛ ନଈ, ମହତ ଜନଙ୍କ ଏମନ୍ତ ବେଭାର ଜଗତ କଲ୍ଯାଣ ପାଇଁ । ମହତ ପଦାଙ୍କ ଅନୁସରି ନିତି କରହେ ମହତ କାମ, ଭଲ ମଣିଷରେ ଗଣା ହେବ ତେବେ ଜୀବନ ହୋଇବ ଧନ୍ଯ । ∎