ବୁଢିଆଣୀ ଡ଼କ୍ଟର ନରେନ୍ଦ୍ର ପ୍ରସାଦ ଦାସ ଫେବୃଆରୀ: ୨୦୨୪ Canonical: https://sishu.kabitawithoutborders.org/shishu/article_details-cac147298f.html ବାଡିରେ ବୁଲୁଥିଲାବେଳେ ଲେମ୍ବୁଗଛରୁ ଗୋଟାଏ ବୁଢିଆଣୀ ମୋ ନାତୁଣୀମୁଣ୍ଡକୁ ଡେଇଁପଡିଲା। କଣଟେ ଚାଲୁଛି କହି ମୁଣ୍ଡରେ ହାତ ମାଇଲାବେଳକୁ ତା` ଆଙ୍ଗୁଠିରେ ଅତିସରୁ ସୂତାଭଳି କଣ ଗୁଡେଇହୋଇଗଲାଭଳି ଲାଗିଲା। ଦେଖିଲାବେଳକୁ ତା ଆଙ୍ଗୁଠିରୁ ସେମିତି ଅତି ସରୁଆ ସୂତାଅଗରେ ଛୋଟ ବୁଢିଆଣୀଟିଏ ଝୁଲିକିରହିଛି। ସରୁ ସୂତାଅଗରେ ବୁଢିଆଣୀହ ଦୋଳିଖେଳ ନାତୁଣୀକୁ ମଜାଲାଗିଲା। ହେଲେ ଦୋଳି ଖେଳୁଖେଳୁ ବୁଢିଆଣୀ ତଳେ ପଡି କୋଉଠି ଘାସମାଳରେ ଲୁଚିଗଲା। ନାତୁଣୀ ପଚାରିଲା – “ବୁଢିଆଣୀସୂତା କେଉଁଠୁ ଆସୁଛି ?” ସେତେବେଳେ ମୁଁ ଅନ୍ୟ କାମକରୁଥିଲି। ହେଲେ ସିଏ କଣ ମତେ ଛାଡେ ! କାମ ଛାଡି ନାତୁଣୀକୁ କହିଲିଯେ ପୃଥବୀଯାକର ମଣିଷ ଗୋଟିଏଜାତି ହେଲାବେଳକୁ ବୁଢିଆଣୀମାନେ ଚଉରାଳିଶହଜାର ଜାତିର। ଆମ ଓଡିଶାରେ ଏକଶହ ଅଠତିରିଶ ଜାତିର ବୁଢିଆଣୀଙ୍କୁ ଚିହ୍ନଟକରାଯାଇଛି। ଜଙ୍ଗଲବୁଦାମାଳରେ ବଡବଡ ବୁଢିଆଣୀ ଦେଖାଯାଆନ୍ତି। ବଡ ବୁଢିଆଣୀଙ୍କୁ ମାଙ୍କଡଶା କହନ୍ତି। ବୁଢିଆଣୀମାନେ ଅଧ ମିଲିମିଟରରୁ ନବେ ମିଲିମିଟର ଲମ୍ବ। ଆମେରିକାରେ ଦେଖାଯାଉଥିବା ଟାରେଂଟୁଲା ସବୁଠାରୁ ବଡ। ଏହା ହାତ ପାପୁଲିପରି ଲମ୍ବ ହେବ। ସିନେମାରେ ଓ ଗପରେ ଟାରେଂଟୁଲାକୁ ଭୟଙ୍କର ଓ ବିଷାକ୍ତ ବୁଢିଆଣୀଭାବରେ ବର୍ଣ୍ଣନା କରାଯାଇଥିବାରୁ ସମସ୍ତେ ତା` ନାଁ ଶୁଣିଲେ ଡରନ୍ତି। ମାତ୍ର ଟାରେଂଟୁଲା ଏକ ନିରୀହ ପ୍ରାଣୀ। ଆମେରିକା, ବ୍ରାଜିଲ ଓ ୟୁରୋପରେ ଦେଖାଯାଉଥିବା ନଅଜାତିର ବୁଢିଆଣୀ ବିଷାକ୍ତଅଟନ୍ତି। ଆକାରରେ ବଡହୁଅନ୍ତୁ କି ସାନହୁଅନ୍ତୁ, ବୁଢିଆଣୀମାନଙ୍କର ଆଠଟି ଗୋଡ। ସେମାନେ ଚିଙ୍ଗୁଡି, କଙ୍କଡା, ଅସରପା, କୀଟପତଙ୍ଗଙ୍କପରି ସନ୍ଧିପଦୀଗୋଷ୍ଠିର ପ୍ରାଣୀ। ମେକ୍ସିକୋ, କୋଷ୍ଟାରିକା ଅଂଚଳରେ ରହୁଥିବା ଗୋଟିଏ ଜାତିକୁ ଛାଡିଦେଲେ ବାକି ସବୁ ବୁଢିଆଣୀ ମାଂସାଶୀ। ଏମାନଙ୍କଜାଲରେ ପଡିଯାଉଥିବା ପିମ୍ପୁଡି, ମାଛି, ମଶାପରି ଛୋଟଛୋଟ କୀଟପତଙ୍ଗଙ୍କୁ କେତେକ ଖାଉଥିଲାବେଳେ କେତେକ ଗୋଟେଜାଗାରେ ଲୁଚିକି ଛକିଥିବେ ଓ ଶିକାର ତାଙ୍କ ପାଖାପାଖି ଆସିଗଲେ ତା` ଉପରକୁ ଲମ୍ଫମାରି ତାକୁ ଖାଆନ୍ତି। ଏପରି ଲମ୍ଫମାରି ଶିକାର କରୁଥିବା ବୁଢିଆଣୀମାନେ ଝିଂଟିକା, କୋଟଳିପୋକପରି ବଡପ୍ରାଣୀଙ୍କୁ ମାରି ଖାଇଥାଆନ୍ତି। ଅନିଷ୍ଟକାରୀ କୀଟପତଙ୍ଗଙ୍କୁ ଖାଉଥିବାରୁ ବୁଢିଆଣୀମାନେ ଆମପାଇଁ ଉପକାରୀ ଅଟନ୍ତି। ତା`ଛଡା ବୁଢିଆଣୀସୂତା ସେତିକି ମୋଟର ଷ୍ଟିଲତାରଠାରୁ ପାଂଚଗୁଣ ଅଧିକାଟାଣବୋଲି ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ତାକୁ ବନ୍ଧୁକରେ ନିଶାଣଲାଗି ବ୍ୟବହାର କରାଯାଇଥିଲା। ୨୫୨ ସହିଦନଗର, ଭୁବନେଶ୍ୱର