ମହକିବି ଦିନେ ଫୁଲ ପରିକା ଅନନ୍ତ କୁମାର ସେନାପତି ଜୁଲାଇ: ୨୦୨୬ Canonical: https://sishu.kabitawithoutborders.org/shishu/article_details-ca56e5d08a.html ଭାରି ଖୁସି ଲାଗେ ଖେଳିବାକୁ ସାଥେ କଅଁଳ ପାଦରେ ଧାଇଁକି, ଅବୁଝା ମନ ମୋ ଘୁରି ବୁଲୁଥାଏ ନୂଆ ସପନଟେ ପାଇଁକି । ଖାତିର ନ କରେ କୁହୁଡି କାକର ଅବା ଖରାତାତି ବରଷା, ଖେଳୁ ଖେଳୁ ପଥେ ଥକିଯାଏ ଯେବେ ମାଆର କୋଳଟି ଭରସା । ଡରିଯିବି ନାହିଁ ଉଡିବାକୁ ନଭେ ବଣ ପରବତ ସାଗର, ଏଇ ହାତେ ମୋର ଜନମମାଟିକୁ ଗଢ଼ିଦେବି କେତେ ବାଗର । କେବେ ଝରିଯିବି ଝରଣା ପରି ମୁଁ କୁଳୁ କୁଳୁ ଗୀତ ଗାଇକି, ଭଲ ଲାଗେ ଭାଙ୍ଗି ନୂଆ ଗଢିବାକୁ ଚପଳ ମନରେ ଥାଇକି । ପାଇଲେ ସିନେହ ଫୁଲ ପରି ଫୁଟି ମହକି ଉଠିବି ମାଟିରେ, ନିତି ଦେଖେ ଯାହା ସୁନାର ସପନ କିଏ ବା ପାରିବ କାଟିରେ । ଆନର ଓଠରେ ଫୁଟାଇବି ହସ ଜ୍ଞାନର ଆଲୋକ ଜଳାଇ, ଯଶ ଗଉରବ ଦିନେ ଏ ମାଟିରେ ମହକି ଉଠିବ ଖେଳାଇ । ∎ ବାଣ୍ଠୁପଡା, ରାଜଗାଙ୍ଗପୁର, ସୁନ୍ଦରଗଡ଼ ଫୋନ 7008304225