ଆସିଲେ ସେ ଆସେ ମଧୁରବେଳା ଡକ୍ଟର ସଚ୍ଚିଦାନନ୍ଦ କର ସେପ୍ଟେମ୍ବର: ୨୦୨୪ Canonical: https://sishu.kabitawithoutborders.org/shishu/article_details-c4b524870c.html ଆସେ ସିଏ, ଆସି ପକ୍ଷୀମାନଙ୍କୁ ସେ ଶିଖାଏ ଗୀତ କହେ କାନେ କାନେ ସଅଳ ଉଠିବା ଦେହକୁ ହିତ ।। ଆସେ ସିଏ, ଆସି ଫୁଲ ପାଖୁଡ଼ାକୁ ଦିଏ ସେ ଖୋଲି ତରତର କରେ ଚଷାକୁ କ୍ଷେତକୁ ଆସିବ ବୋଲି ।। ଆସେ ସିଏ, ଆସି ସବୁଠି ଆଲୋକ ଦିଏ ସେ ବୁଣି ଆଣିଥାଏ ସାଥେ ଶୀତଳ,ସତେଜ ପବନ ପୁଣି ।। ଆସେ ସିଏ, ଆସି ତୁଟାଏ ସଭିଙ୍କ ଶୋଇବା ସୁଖ କହେ ଯାଅ ଉଠି ଯାଇ ବେଗେ ଆଗ ପଖାଳ ମୁଖ ।। ଆସେ ସିଏ, ଆସି ଦେଉଳ ଦୁଆର ଫିଟାଏ ଯାଇ ଡାକି ଆଣେ ପୁଣି ଭକତଙ୍କୁ ଦିଅଁ ଦେଖିବା ପାଇଁ ।। ଆସେ ସିଏ, ଆସି ଘାଟିଆକୁ ନେଇ ଜଗାଏ ଘାଟ ବାଟୋଇକୁ ହସି ଫେରାଇ ଦିଏ ତା` ହଜିଲା ବାଟ ।। ଆସେ ସିଏ, ଆସି ଚାଟକୁ ଗୁଣାଏ ଦୁଇରେ ଚାରି କହେ ଘରେ ଘରେ ବାସି କାମ ସବୁ ଦେବାକୁ ସାରି ।। ଆସେ ସିଏ ନିତି ଆସିବାକୁ କେବେ କରେନି ହେଳା ନାଆଁ ତା` ସକାଳ ଆସିଲେ ସେ ଆସେ ମଧୁରବେଳା ।। ∎